ପିପିଲି ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ପ୍ରଶାସନ ଉପସ୍ଥିତିରେ ଶାନ୍ତି କମିଟି ଗଠିତ

ପିପିଲି: ପିପିଲି ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର ପିପିଲି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତର ନାମ ରାହୁଲ ସାହା(୨୫) ଓ ତା’ର ଘର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୭ନଂ ୱାର୍ଡର ନରସିଂହପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ରାହୁଲ ନାମରେ ପିପିଲି ଥାନାରେ ଏହାକୁ ମିଶାଇ ମୋଟ୍‌‌ ୬ଟି ମାମଲା ରହିଥିବା ସୂଚନା ମିଳିଛି। ଏହି ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ପିପିଲିରେ ମାରପିଟ୍‌‌ ଓ ହଣାକଟା ଭଳି ଘଟଣା ଘଟିଥିଲା। ଯାହାକୁ ନେଇ ଏଠାକାର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପିପିଲି ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ଦୀପାବଳିରେ ଉଗ୍ରରୂପ ଧାରଣ କରିଥିଲା। ୨୪ ତାରିଖ ସୋମବାର ମଧ୍ୟାହ୍ନ ୧ଟା ୪୫ ମିନିଟ୍‌‌ରେ ଉଜାଣିପଡ଼ା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁକୁ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୭ନଂ ୱାର୍ଡର ଏକ ମଣ୍ଡପ ନିକଟରେ ଗୁଳିମାଡ ହୋଇଥିଲା। ଗୁଳିଟି ସାନୁଙ୍କ ପ୍ୟାଣ୍ଟ ପକେଟ୍‌‌ରେ ଥିବା ଏକ ମୋବାଇଲ୍‌‌ ଫୋନକୁ ଭେଦ କରି ଡାହାଣ ଜଂଘରେ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ପିପିଲିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏସ୍‌‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସେହିଦିନଠାରୁ ପିପିଲିରେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ବିଭିନ୍ନ ଥାନାର ୫ଜଣ ଇନିସ୍‌‌ପେକ୍ଟରଙ୍କ ସମେତ ଅଢେଇ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ପିପିଲିରେ ମୁତୟନ ଅଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ଅସ୍ଥାୟୀ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛି। ତେବେ ପିପିଲି ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା ସୂଚନା ମିଳିଛି।

ପିପିଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି, ସଦ୍‌‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନର ଉଦ୍ୟମରେ ଉଭୟ ଗୋଷ୍ଠୀର ମୁରବୀ ଓ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। ପୁରୀର ଅତିରିକ୍ତ ଏସ୍‌‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ତହସିଲଦାର ପୁନମ ମହାପାତ୍ର, ଏସ୍‌‌ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଡେଲାଙ୍ଗ ଆଇଆଇସି ଅନିଲ କୁମାର ମହାନ୍ତି, ନିମାପଡ଼ା ଆଇଆଇସି ଶଙ୍କର୍ଷଣ ଦଳାଇ ପ୍ରମୁଖଙ୍କ ଉପସ୍ଥିତିରେ ମଙ୍ଗଳବାର ସନ୍ଧ୍ୟାରେ ପିପିଲି ଥାନା ପରିସରରେ ଆୟୋଜିତ ଶାନ୍ତି କମିଟି ବୈଠକ ବେଶ୍‌‌ ଫଳପ୍ରଦ ହୋଇଥିବା ସୂଚନା ମିଳିଛି। ଶାନ୍ତି କମିଟିର ଆବାହକ ବିକ୍ରମ କେଶରୀ ସିଂହ, ଜବାର ଖାଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପିପିଲି ଏନଏସି ପୌରାଧ୍ୟକ୍ଷ ସେକ୍‌‌ ବାବୁ, ରମେଶ ମହାପାତ୍ର, ଶଙ୍କର ବେହେରା, ଶ୍ୟାମସୁନ୍ଦର ବିଶ୍ୱାଳ, ବଜାର ବ୍ୟବସାୟୀ ସଂଘ ସଭାପତି ରାକେଶ ମହାପାତ୍ର, ସଂପାଦକ ପ୍ରବୀର ହାଲଦାର, ସେକ୍‌‌ ମେହେବୁବ, ପ୍ରଫୁଲ୍ଲ ବିଶ୍ୱାଳ, ଅଜୟ ମହାରଣା, ଯୋଗେନ୍ଦ୍ର ପ୍ରଧାନ, ପ୍ରମୋଦ ପ୍ରଧାନ, ମଙ୍ଗା ସାହା, ସେକ୍‌‌ ଜାହିର, ଏମ୍‌‌ଡି ଜହିମ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଅଞ୍ଚଳରେ ଶାନ୍ତି ଓ ଭାଇଚାରା ବଜାୟ ରଖିବା ଉପରେ ମତ ଦେଇଥିଲେ। ପିପିଲି ଓ ଆଖପାଖ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ଆସନ୍ତା ଶୁକ୍ରବାର ଶାନ୍ତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Comments are closed.