ଅଲିଭ ରିଡ଼ଲେ ସରଂକ୍ଷଣ ଏବଂ ମାଛଧରା ନିଷିଦ୍ଧାଞ୍ଚଳ ନିମନ୍ତେ ସତର୍କ ସୂଚନା ପ୍ରଦାନ ପାଇଁ ମୋବାଇଲ ଆପର ଲୋକାର୍ପଣ

ଭୁବନେଶ୍ୱର : ଏମ ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତିବିଦ୍ୟାଯୁକ୍ତ ” ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ ” ବା “ଏଫ ଏଫ ଏମ ଏ “ବିକଶିତ କରିଛନ୍ତି ।
ରାଜ୍ୟର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ମତ୍ସ୍ୟଚାଷୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା “ଏଫ ଏଫ ଏମ ଏ ” ଆପ୍ଲିକେସନକୁ ବିଭାଗୀୟମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଉଦ୍ମୋଚନ କରିଛନ୍ତି।
ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖୁବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶ ଜନିତ ସତର୍କ ସୂଚନା ପ୍ରଦାନକରିବ ଏହି ମୋବାଇଲ ଆପ୍‌ ।
ଏହି ଅଫ ଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀମାନେ ଏବଂ ମାଛ ଧରା ଡଙ୍ଗାରେ ନିଯୁକ୍ତ ନାବିକ / ବ୍ୟକ୍ତିମାନେ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସମ୍ବଦ୍ଧରେ ଜାଣିପାରିବେ ।
ଏହି ମୋବାଇଲ ଆପ୍ଲିକେସନ ଲୋକାର୍ପଣ ଅବସରରେ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁଆର ସାହୁ ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ ।
ଏହି ଅବସରରେ  ମନ୍ତ୍ରୀ ସୂଚନା ଦେଇଥିଲେ ଯେ , ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ – ଲାଇନରେ ଏହା କାର୍ଯ୍ୟକ୍ଷମ ରହିବ । ଏହାଦ୍ଵାରା କଇଁଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଠାରୁ ଦୂରରେ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍ ରୁ ସତର୍କ ସୂଚନା ମିଳିପାରିବ ।
ପ୍ରତିବର୍ଷ ଏହି ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ ଦୁରରୁ ଧାମରା , ଦେବୀନଦୀ , ଋଷିକୁଲ୍ୟ ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୁହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି । ଏହା ବ୍ୟତିତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା , ମାଛଧରା ସ୍ଥଳ ନିରୂପଣ , ସାମୁଦ୍ରିକ ଅବସ୍ଥିତି ସୂଚନା , ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର ( INCOIS ) ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ ହେବ ।
ଏହାଦ୍ବାରା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ । ଏହି ବିନାମୂଲ୍ୟରେ ଉପଲବ୍ଧ ମୋବାଇଲ ଆପ୍ଲିକେସନ ଦ୍ବାରା ବିଭିନ୍ନ ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ର ରୁ ମାଛଧରା କାର୍ଯ୍ୟରେ ନିଯୋଜିତ ୨୨୦୦୦ ଟ୍ରଲର , ଯନ୍ତ୍ରାଚାଳିତ ଡଙ୍ଗା ଓ ଅଣଯାନ୍ତ୍ରିକ ଡଙ୍ଗାରେ ସମ୍ପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ ।

Comments are closed.