ଡେଲଟା ଭଳି ମାରାତ୍ମକ ହୋଇନପାରେ ଓମିକ୍ରନ- ଡା.ଆନ୍ଥୋନି ଫସି

ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ- ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ୱାଶିଂଟନ: କୋଭିଡର ନୂଆକରି ଚିହ୍ନଟ କରାଯାଇଥିବା ପ୍ରକରଣ ଓମିକ୍ରନକୁ ନେଇ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ମାଡିଚାଲିଛି । ତେବେ ଏହା ଡେଲଟା ପ୍ରକରଣ ଭଳି ମାରାତ୍ମକ ହୋଇନପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଆନ୍ଥୋନି ଫସି । ସେ କହିଛନ୍ତି ଯେ, ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଅଧିକ ସୂଚନା ସଂଗ୍ରହର ଆବଶ୍ୟକତା ରହିଛି । ତେବେ ଏହି ରୋଗରେ ଏପର୍ଯ୍ୟନ୍ତ କେହି ଗୁରୁତର ଅବସ୍ଥାକୁ ଯାଇନଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଓମିକ୍ରନ ପ୍ରକରଣ ଚିହ୍ନଟ ହେବାପରେ ଭ୍ରମଣ ଉପରେ ଲାଗୁ କରାଯାଇଥିବା କଟକଣାକୁ କୋହଳ କରିବାକୁ ବାଇଡେନ ସରକାର ବିଚାର କରୁଛନ୍ତି । ସୂଚନାଯୋଗ୍ୟ ଯେ ଓମିକ୍ରନ ପ୍ରଥମେ ନଭେମ୍ବର ମଧ୍ୟଭାଗରେ ଚିହ୍ନଟ ହେବାପରେ ସଂପ୍ରତି ୪୦ରୁ ଅଧିକ ରାଷ୍ଟ୍ରକୁ ସଂକ୍ରମିତ ହୋଇସାରିଛି । ତେବେ ଓମିକ୍ରନ ସଂକ୍ରମିତ କାହାର ମୃତ୍ୟୁ ଘଟିନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଓମିକ୍ରନ ପ୍ରକରଣ ଅଧିକ ବେଗରେ ସଂକ୍ରମିତ ହେଉଥିବା କହିଛି ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହା ଡେଲଟା ଏବଂ ବେଟା ପ୍ରକରଣ ତୁଳନାରେ ଅଧିକ ସଂକ୍ରାମକ କ୍ଷମତା ରଖିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପ୍ରକରଣରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଗଳା ଦରଜ, କ୍ଳାନ୍ତ ଲାଗିବା, କାଶ, କଫ ଭଳି ଲକ୍ଷଣ ପ୍ରକାଶ ପାଉଥିବା କୁହାଯାଇଛି । ଦକ୍ଷିଣ ଆଫ୍ରିକାରେ ଅଧିକ ସଂଖ୍ୟାରେ ପିଲା ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

Comments are closed.