ଓମିକ୍ରନ ଅତି ବିପଜ୍ଜନକ

ବୈଜ୍ଞାନିକଙ୍କ ଚିତ୍ର ଜାରି : ଡେଲ୍‌ଟାଠୁ ଭୟଙ୍କର

ଇଟାଲୀ  : କରୋନାର ନୂଆ ପ୍ରଜାତି (ଭ୍ୟାରିଆଣ୍ଟ) ‘ଓମିକ୍ରନ’କୁ ନେଇ ଏବେ ବିଶ୍ୱବ୍ୟାପୀ ଆତଙ୍କିତ ରହିଥିବାବେଳେ ବିଭିନ୍ନ ରାଷ୍ଟ୍ରରେ ଏକାଧିକ ବ୍ୟକ୍ତି ଏହି ନୂତନ ପ୍ରଜାତିର ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଖବର ଆସୁଛି। ଏଭଳି ସମୟରେ ଏହି ନୂତନ ପ୍ରଜାତି ଭୂତାଣୁର ଚିତ୍ର ଏବେ ବୈଜ୍ଞାନିକମାନେ ଜାରି କରିଛନ୍ତି। ରୋମ୍‌ର ବେମ୍ବିନୋ ଗେସୋ ଡାକ୍ତରଖାନାରେ କୋଭିଡ୍‌ ଭୂତାଣୁ ଉପରେ କରାଯାଇଥିବା ଗବେଷଣା ପରେ ଏହି ଫଟୋକୁ ଇଟାଲୀୟ ଗବେଷକ ଗଣମାଧ୍ୟମରେ ଛାଡିଛନ୍ତି।
ପ୍ରଫେସର କାର୍ଲୋ ଫେଦେରିକୋ ପର୍ନୋ ଏବଂ ମିଲାନର ଷ୍ଟେଟ୍‌ ୟନିଭର୍ସିଟିର ପ୍ରଫେସର କ୍ଲାଡିଆ ଅଲ୍ଟେରୀ ଅନୁଧ୍ୟାନ କରିଥିଲେ। ଫଟୋରେ ଓମିକ୍ରନ ସ୍ପାଇକ୍ ପ୍ରୋଟିନର ସଂରଚନା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ, ଫଟୋରେ ଓମିକ୍ରନର ମ୍ୟୁଟେସନ ରେଟ୍ (ଉତ୍ପରିବର୍ତ୍ତନ ହାର) ପୂର୍ବର ଡେଲଟା ପ୍ରଜାତି ଅପେକ୍ଷା ବହୁ ଅଧିକ ଥିବା ଜଣାପଡିଛି। ଏହି ନୂଆ ପ୍ରଜାତିରେ ୪୩ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ ରହିଛି। ଏହା ପୂର୍ବରୁ ଥିବା ଡେଲଟା ଭାରିଆଣ୍ଟରେ ଏହା କେବଳ ୧୮ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ ଥିଲା। ବୈଜ୍ଞାନିକମାନେ ନୂଆ ଭାରିଆଣ୍ଟକୁ ନେଇ ବେଶ ଚିନ୍ତିତ ରହିଛନ୍ତି। ସୂଚନାଯୋଗ୍ୟ ଯେ, ଓମିକ୍ରନ ପ୍ରଜାତିକୁ ନେଇ ବୈଜ୍ଞାନିକମାନେ ଏବେ ନୂଆ ନୂଆ ତଥ୍ୟ ସଂଗ୍ରହ ଓ ଗବେଷଣାରେ ଲାଗିଛନ୍ତି।
ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ପ୍ରଜାତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାକୁ ଚିନ୍ତାଜନକ ଶ୍ରେଣୀ (ଭ୍ୟାରିଆଣ୍ଟ ଅଫ୍‌ କନ୍‌ସର୍ଣ୍ଣ)ରେ ରଖିଛି।
ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଦକ୍ଷିଣ ଆଫ୍ରିକାର ଗୋତଙ୍ଗେ ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ରୋଗୀ ଏହି ନୂତନ ପ୍ରଜାତିର କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ, ସେଠାରେ ତାଲାବନ୍ଦ ଲଗାଇବା ସ୍ଥିତି ଉପୁଜିଲାଣି। ଶିକ୍ଷାନୁଷ୍ଠାନ ବନ୍ଦ ସହ ପରୀକ୍ଷା ବାତିଲ ମଧ୍ୟ କରାଯାଇଛି। ସେଠାରେ ପ୍ରତ୍ୟେକ ଜନତାଙ୍କର ଏବେ ନମୁନା ପରୀକ୍ଷା କରାଯାଉଛି ଓ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ସେଠାରୁ ବିମାନ ଉଡାଣ ମଧ୍ୟ ବାତିଲ କରିଦିଆଯାଇଛି।

ହୁ’ର ବର୍ଗୀକରଣ

ନୂଆଦିଲ୍ଲୀ: ବିଶ୍ବର ଅଧିକରୁ ଅଧିକ ରାଷ୍ଟ୍ରରେ କରୋନା ନୂତନ ପ୍ରଜାତି ଭୂତାଣୁ ଓମିକ୍ରନ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବର ୧୩ରୁ ଅଧିକ ରାଷ୍ଟ୍ରକୁ ଏହି ଭୂତାଣୁ ବ୍ୟାପିସାରିଲାଣି। ଏହି ଭୂତାଣୁକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଯାଇଛି। ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଏହି ଭୂତାଣୁକୁ ‘ଅତି ବିପଜ୍ଜନକ’ ବର୍ଗରେ ସ୍ଥାନୀତ କରିଛି। ହୁ’ର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସସ୍‌ କହିଛନ୍ତି ଯେ ଓମିକ୍ରନ (ବି.୧.୧.୨୯୫) ଭୂତାଣୁ ବିଶ୍ବରେ ବଡ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଭୂତାଣୁ ମ୍ୟୁଟେସନକୁ ନେଇ ଏହା ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହିତ ଦ୍ରୁତବେଗରେ ସଂକ୍ରମିତ ହେବ। ଭୂତାଣୁର ସଂକ୍ରମଣ ରୋକିବା ଓ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିବା ଲାଗି ହ’ୁ କେତେକ ସତର୍କତା ଜାରି କରିଛି। ସତର୍କତା ଅନୁଯାୟୀ ଭୂତାଣୁର ଜିନୋମ ସି​‌େ​‌କ୍ବନ୍ସକୁ ଅନୁଧ୍ୟାନ କରିବା ସହିତ ଏହାର ଲକ୍ଷଣ ସମ୍ପର୍କରେ ଜାଣିବାକୁ ପରାମର୍ଶ ଦିଆଯାଇଛି। ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ, ବେଲଜିୟମ୍, ବେସୱାନା, କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ୍‌, ନେଦରଲାଣ୍ଡସ୍‌, ପର୍ତ୍ତୁଗାଲ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ ଆଦି ଦେଶକୁ ବ୍ୟାପୀ ସାରିଲାଣି। ସଂକ୍ରମଣ ରୋକିବା ଲାଗି ସମସ୍ତ ରାଷ୍ଟ୍ର ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ପ୍ରବେଶ କଟକଣା କଠୋର କରାଯାଇଛି।

Comments are closed.