ଓମଫେଡ୍ ନେଉନି କ୍ଷୀର; ଚିନ୍ତାରେ ଚାଷୀ

କୋଣାର୍କ : କରୋନା ଲାଗି ସାରା ଦେଶ ଲକ୍ଡ଼ାଉନ୍ରେ ଥିବାବେଳେ ଏହାର ସିଧାସଳଖ ପ୍ରଭାବ ଦୁଗ୍ଧ ଚାଷୀଙ୍କ ଉପରେ ପଡ଼ିଛି। ଓମ୍ଫେଡ଼୍, ଘରୋଇ ଦୁଗ୍ଧ କମ୍ପାନୀଗୁଡ଼ିକ କ୍ଷୀର ନେଉ ନ ଥିବା ଯୋଗୁଁ ଚାଷୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଦାନା କିଣିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସରକାର ଚାଷୀମାନଙ୍କ ଲାଗି ସହାୟତା ଘୋଷଣା କରିବାକୁ ଦାବି ହେଉଥିବାବେଳେ ପୂର୍ବ ଭଳି କ୍ଷୀର ବ୍ୟବସାୟ ଜାରି ରଖିବାକୁ ଚାଷୀମାନେ ଦାବି କରିଛନ୍ତି।
ପ୍ରକାଶ ଯେ, କୋଣାର୍କ ଥାନା ଅଂଚଳରେ ଥିବା ଜୁଣେଇ, ବନାଖଣ୍ଡି, କରମଙ୍ଗା, କୋଣାର୍କ, ବାଲିଦୋକାନ, ପଲାବସ୍ତ, କୁରୁଜଙ୍ଗ, କାଦୁଆ ନୂଆଗାଁ, ମହଲପଡ଼ା, ତରକୋର, ଜଗନ୍ନାଥପୁର, ବରପଦା, ସୁତନ, କାହ୍ନପୁର, ଟିକନା, ଖାଲକଟାପାଟଣା ସମେତ ଶତାଧିକ ଗାଁରୁ ଓମ୍ଫେଡ଼୍ ଓ ଘରୋଇ ସଂସ୍ଥା କ୍ଷୀର ନେଉ ନ ଥିବାବେଳେ ଦିନେ ଦୁଇ ଦିନରେ ଗୋଟିଏ ଥର କ୍ଷୀର କ୍ରୟ କରୁଥିବା ଜଣାପଡ଼ିଛି। ଏପରିସ୍ଥଳେ ଚାଷୀମାନେ ପ୍ରବଳ କ୍ଷତି ସହୁଥିବାବେଳେ ଘରେ ରଖିଥିବା ଗୃହପାଳିତ ପଶୁମାନଙ୍କୁ ଦାନା ଯୋଗାଇ ପାରୁ ନ ଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ସରକାରୀ ଭାବେ ଥିବା ଓମ୍ଫେଡ଼୍ ମଧ୍ୟ ସମରୂପ ଭାବେ କ୍ଷୀର କ୍ରୟ କରୁ ନ ଥିବା ଯୋଗୁଁ ଚାଷୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଗ୍ଧ ଚାଷ କରୁଥିବା ଚାଷୀମାନେ ପ୍ରବଳ କ୍ଷତି ସହୁଥିବାବେଳେ ସରକାରୀ ଭାବେ ଦାନା ଯୋଗାଇବା ସହ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Comments are closed.