ଗ୍ରୁପ୍‌ ଶୀର୍ଷରେ ରହି ସୁପର-୧୨ରେ ସ୍କଟ୍‌ଲାଣ୍ଡ

ମସ୍କାଟ୍‌: ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ​‌​ରେ ଗ୍ରୁପ୍‌ ‘ବି’ର ଶୀର୍ଷରେ ରହିଛି ସ୍କଟ୍‌ଲାଣ୍ଡ। ଏହାସହ ସ୍କଟ୍‌ଲାଣ୍ଡ ଏହି ଗ୍ରୁପ୍‌ରୁ ସୁପର-୧୨ରେ ପ୍ରବେଶ କରିଛି। ଗୁରୁବାର ଗ୍ରୁପ୍‌ ‘ବି’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଘରୋଇ ଓମାନ୍‌କୁ ସହଜରେ ୮ ୱିକେଟରେ ସ୍କଟ୍‌ଲାଣ୍ଡ ପରାସ୍ତ କରିଛି। ଆକିବ୍ ଇଲିୟାସ୍ ଓ ଜିସାନ୍ ମକ୍‌ସୁଦଙ୍କ ଉପଯୋଗୀ ଯୋଗଦାନ ସତ୍ତ୍ବେ ପ୍ରଥମେ ବ୍ୟାଟିଂକରି ଓମାନ୍ ଶେଷ ବଲ୍‌ରେ ୧୨୨ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ କ୍ରିଜ୍‌କୁ ଓହ୍ଲାଇଥିବା ସ୍କଟ୍‌ଲାଣ୍ଡର ସମସ୍ତ ବ୍ୟାଟ୍‌ସମ୍ୟାନ ସଫଳ ହେବାରୁ ୧୭ ଓଭରରେ ୨ ୱିକେଟ ହରାଇ ସ୍କଟ୍‌ଲାଣ୍ଡ ବିଜୟୀ ହୋଇଥିଲା। ସମସ୍ତ ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ସ୍କଟ୍‌ଲାଣ୍ଡ ଗ୍ରୁପ୍‌ ‘ବି’ ଶୀର୍ଷରେ ରହିଛି। ଫଳରେ ସୁପର-୧୨ ପର୍ଯ୍ୟାୟରେ ଭାରତ ଥିବା ଗ୍ରୁପ୍‌-୨ରେ ସ୍କଟ୍‌ଲାଣ୍ଡ ସ୍ଥାନପାଇଛି। ଗ୍ରୁପ୍‌ ‘ବି’ର ୨ୟ ସ୍ଥାନରେ ଥିବା ବାଂଲାଦେଶ ସୁପର-୧୨ରେ ଗ୍ରୁପ୍‌-୧ରେ ସ୍ଥାନପାଇଛି।

୧୨୩ ରନ୍‌ ଲକ୍ଷ୍ୟରେ ସ୍କଟ୍‌ଲାଣ୍ଡ ଓପ୍‌ନିଂ ଯୋଡ଼ିରେ ୩୩ ରନ୍‌ କରିଥିଲା। ଜର୍ଜ ମନ୍‌ସି ୧୯ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌କରି ଆଉଟ ହୋଇଥିଲେ। ପରେ ବିସ୍ଫୋରକ ବ୍ୟାଟିଂ କରିଥିବା ସ୍କଟ୍‌ଲାଣ୍ଡ ଅଧିନାୟକ କାଏଲ୍‌ କୋଏଜର ୨୮ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୧ ରନ୍‌କରି ଆଉଟ ହୋଇଥିଲେ। ୭୫ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ମାଥ୍ୟୁ କ୍ରସ୍ ଓ ରିଚି ବେରିଂଟନ ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ବେରିଂଟନ ୨୧ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌ରେ ଏବଂ ମାଥ୍ୟୁ କ୍ରସ୍‌ ୩୫ ବଲ୍‌ରୁ ୨୬ ରନ୍‌କରି ଅପରାଜିତ ରହିଥିଲେ। ସ୍କଟ୍‌ଲାଣ୍ଡର ସଫଳ ବୋଲର ଜୋସ୍ ଡେଭି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ଓମାନ୍ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଓମାନ୍ ସହଳ ଯତିନ୍ଦର ସିଂହ (୦) ଓ କଶ୍ୟପ ପ୍ରଜାପତି (୩)ଙ୍କ ୱିକେଟ ହରାଇଥିଲା। ୩ୟ ୱିକେଟ ପାଇଁ ଆକିବ୍ ଇଲିୟାସ୍ ଓ ମହମ୍ମଦ ନଦିମ୍ ୩୮ ରନ୍‌ ଯୋଡ଼ିଥିଲେ। ଇଲିୟାସ୍ ୩୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୭ ରନ୍‌କରି ଆଉଟ ହୋଇଥିଲେ। ନଦିମ୍ ୨୧ ବଲ୍‌ରୁ ୨ଟି ଛକା ସହ ୨୫ ରନ୍‌ କରିଥିଲେ। ଅଧିନାୟକ ଜିସାନ୍ ମକ୍‌ସୁଦ ୩୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ପରେ ଆଉ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ୨୯ ରନ୍‌ରେ ଓମାନ୍ ଶେଷ ୬ଟି ୱିକେଟ ହରାଇ ୧୨୨ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଜୋସ୍ ଡେଭି ୩ଟି ଏବଂ ସାଫିୟାଁ ସରିଫ୍ ଓ ମାଇକେଲ ଲିସ୍କ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.