ଅଲିମ୍ପିକ୍‍ସ ପାଇଁ ସିନ୍ଧୁଙ୍କ ଜୋର୍‌ଦାର ଅଭ୍ୟାସ

ହାଇଦରାବାଦ: ସାରାବିଶ୍ୱରେ କୋଭିଡ୍‍ ସଂକ୍ରମଣରେ ବୃଦ୍ଧି ଯୋଗୁଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତିକ ବ୍ୟାଡ୍‍ମିଣ୍ଟନ୍‍ ପ୍ରତିଯୋଗିତା ବାତିଲ ହେବାରେ ଲାଗିଛି। ପୁଣି ଯେଉଁଠାରେ ଟୁର୍ଣ୍ଣାମେଣ୍ଟ ହେଉଛି; ସେହିଦେଶରେ ଭାରତୀୟଙ୍କୁ ପ୍ରବେଶ ମନା। କାରଣ ଭାରତରେ ସଂକ୍ରମଣର ମାତ୍ରା ଅଧିକ ଥିବା ବେଳେ କୌଣସି ଭାରତୀୟ ବିମାନଙ୍କୁ କିଛି ଦେଶ ଓହ୍ଲାଇବାର ଅନୁମତି ଦେଇନାହାନ୍ତି। ପୁଣି ଭାରତ, ମାଲେସିଆ ଓ ସିଙ୍ଗାପୁରରେ ହେବାକୁ ଥିବା ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଯାଇଛି। ଏଥିପାଇଁ ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ପରି ଖେଳାଳିଙ୍କ ଅଲିମ୍ପିକ୍‍ସରେ ଖେଳିବାର ଆଶା ମଉଳିବାରେ ଲାଗିଛି। ହେଲେ ଅଲିମ୍ପିିକ୍‍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପି.ଭି. ସିନ୍ଧୁ ମଧ୍ୟ ଏକାଧିକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ବାତିଲହେବା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖେଳି ସିନ୍ଧୁ ଅଲିମ୍ପିକ୍‍ସ ପାଇଁ ପ୍ରସ୍ତୁତ ହୋଇଥାଆନ୍ତେ। ହେଲେ ହାଇଦରାବାଦରେ ରହି ଅଭ୍ୟାସ କରିବା ଛଡ଼ା ସିନ୍ଧୁଙ୍କ ପାଖରେ ବିକଳ୍ପ ନାହିଁ।

ପି.ଭି. ସିନ୍ଧୁ କହିଛନ୍ତି, ଆମେ ଜାଣିଥିଲୁ ଯେ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଅଲିମ୍ପିକ୍‍ସ ପୂର୍ବରୁ ସିଙ୍ଗାପୁର ଅନ୍ତିମ ଆନ୍ତର୍ଜାତିକ ପ୍ରତିଯୋଗିତା ଥିଲା। ହେଲେ ଏହା ବାତିଲ ହେବାରୁ ଶିବିରରେ ଅଭ୍ୟାସ କରିବା ଛଡ଼ା ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ। ଆମ ଦଳର ମୁଖ୍ୟ ପ୍ରଶିକ୍ଷକ କୋରିଆର ପାର୍କ ଆମକୁ ମ୍ୟାଚ୍‍ ପରିସ୍ଥିତି ଦେଉଛନ୍ତି; ଆମେ ସେହି ଅନୁସାରେ ଖେଳୁଛୁ। ଭିନ୍ନ ଖେଳାଳି ଭିନ୍ନ ଶୈଳୀରେ ଖେଳିଥାଆନ୍ତି। ଯେପରି ତାଏ ଜୁ ୟିଙ୍ଗ୍‍ ଓ ରାଚାନକ୍‍ ଇଣ୍ଟାନନ୍‍। ହେଲେ ଏପରି ଖେଳାଳିଙ୍କର କିପରି ମୁକାବିଲା କରାଯିବ; ତାହା ଆମକୁ ପ୍ରଶିକ୍ଷକ ପାର୍କ ଶିଖାଉଛନ୍ତି। ପୁଣି କିଛିମାସ ପରେ ଉପରୋକ୍ତ ଖେଳାଳିଙ୍କର ମୁକାବିଲା କରିବାକୁ ଯାଉଛି। ଏହି ସମୟରେ ଆମ ଖେଳରେ କିଛି ପରିବର୍ତ୍ତନ ହୋଇଥାଏ। ତେଣୁ ମୋତେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଲିମ୍ପିକ୍‍ସ ପାଇଁ ଯୋଗତା ଅର୍ଜନ କରିଥିବା ଭାରତୀୟ ବ୍ୟାଡ୍‍ମିଣ୍ଟନ ଖେଳାଳି ଅନ୍ୟତ୍ର ଅଭ୍ୟାସ କରୁଥିବା ବେଳେ ପି.ଭି. ସିନ୍ଧୁ ହାଇଦରାବାଦର ଗାଚିବୋୱଲି ଷ୍ଟାଡିୟମ୍‍ରେ ଅଭ୍ୟାସ କରୁଛନ୍ତି। ପୁଣି ସୁଚିତ୍ରା ଏକାଡେମୀରେ ସିନ୍ଧୁ ଶାରୀରିକ ଅଭ୍ୟାସ କରୁଛନ୍ତି। ବିଶ୍ୱ ଚମ୍ପିଆନ୍‍ ସିନ୍ଧୁ କହିଛନ୍ତି ଯେ ମହାମାରୀ କରୋନା ସମୟରେ ଅଲିମ୍ପିକ୍‍ସ ପରି ପ୍ରତିଯୋଗିତା ଆୟୋଜନ କରିବା ବଡ଼ ଆହ୍ୱାନ। ଏହା ସହଜ ହେବନାହିଁ।

ତେବେ ଆୟୋଜକ ଯେପରି ନିୟମ ରଖିବେ; ସମସ୍ତଙ୍କୁ ମାନିବାକୁ ପଡ଼ିବ। ସିନ୍ଧୁ କହିଛନ୍ତି, ସମସ୍ତ ଦେଶରେ ପୃଥକ୍‍ କୋଭିଡ୍‍ ନିୟମ ରହିଛି। ଥାଇଲାଣ୍ଡରେ ଆମର ପ୍ରତି ୨-୩ ଦିନରେ ଆର୍‍ଟି-ପିସିଆର୍‍ ପରୀକ୍ଷା ହେଉଥିଲା। ଆମେ ଅଲ୍‍ଇଂଲଣ୍ଡ ଚମ୍ପିଆନ୍‍ସିପ ଖେଳିବାକୁ ଯାଉଥିବା ବେଳେ ବିମାନରେ ଜଣେ ସଂକ୍ରମିତ ହେବାରୁ ଭାରତୀୟ ଦଳ ଏଥିରେ ଭାଗ ନେଇନଥିଲେ। ହେଲେ ଅଲିମ୍ପିକ୍‍ସ ପରି ବଡ଼ ଇଭେଣ୍ଟରେ ଏପରି ଘଟିବନାହିଁ ବୋଲି ସିନ୍ଧୁ ଆଶା ରଖିଛନ୍ତି। ଅଲିମ୍ପିକ୍‍ସରେ ୨୦୦ ପାଖାପାଖି ଦେଶର କ୍ରୀଡ଼ାବିତ୍‍ ଭାଗନେବାର ଥିବାରୁ ସମସ୍ତଙ୍କୁ ଅତ୍ୟନ୍ତ ଯତ୍ନବାନ ହେବାକୁ ପଡ଼ିବ ବୋଲି ସିନ୍ଧୁ କହିଛନ୍ତି। ବହୁତଦିନ ପରେ ବ୍ୟାଡ୍‍ମିଣ୍ଟନ୍‍ କୋର୍ଟକୁ ଫେରିଥିବା ସିନ୍ଧୁ ମାର୍ଚ୍ଚରେ ସ୍ୱିସ୍‍ ଓପନ୍‍ ଖେଳିଥିଲେ। ଏହା ପରଠାରୁ ସେ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ। ଶେଷରେ ସିନ୍ଧୁ କହିଛନ୍ତି ଯେ ଚଳିତବର୍ଷ ସେ କମ୍‍ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ହେଁ ଖେଳାଳି ଭାବେ ସେ ବହୁତ ଉନ୍ନତି କରିଛନ୍ତି।

Comments are closed.