ଟୋକିଓ ଅଲିମ୍ପିକ୍‌ସ ହକି:ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ପୁରୁଷ ଦଳ

ଟୋକିଓ : ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ନିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ସେହିପରି ଭାରତୀୟ ମହିଳା ହକି ଦଳ ନିଜର ପ୍ରଥମ ମ୍ୟାଚ୍‌ ସେହିଦିନ ନେଦରଲାଣ୍ଡ୍‌ସ ସହ ଖେଳିବ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରୁପ୍ ଏ’ରେ ଥିବା ଭାରତୀୟ ପୁରୁଷ ହକି ଦଳ ଜୁଲାଇ ୨୬ରେ ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ଅଷ୍ଟ୍ରେଲିଆ, ଜୁଲାଇ ୨୮ରେ ସ୍ପେନ୍‌, ଜୁଲାଇ ୩୦ରେ ଗତଥରର ଚମ୍ପିଆନ୍‌ ଆର୍ଜେଣ୍ଟିନା ଓ ଜୁଲାଇ ୩୧ରେ ଜାପାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ସେହିପରି ଗ୍ରୁପ୍‌ ଏ’ରେ ଥିବା ଭାରତୀୟ ମହିଳା ହକି ଦଳ ଜୁଲାଇ ୨୭ରେ ଜର୍ମାନୀ, ଜୁଲାଇ ୨୯ରେ ଗ୍ରେଟ୍‌ ବ୍ରିଟେନ୍, ଜୁଲାଇ ୩୧ରେ ଆୟରଲାଣ୍ଡ ଓ ଅଗଷ୍ଟ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବ ବୋଲି ଜଣାପଡ଼ିଛି। ପୁରୁଷ ଓ ମହିଳା ବିଭାଗ ଫାଇନାଲ ମ୍ୟାଚ୍‌ ଯଥାକ୍ରମେ ଅଗଷ୍ଟ ୬ ଓ ୭ରେ ଖେଳାଯିବ।

ବିଶ୍ବ ମାନ୍ୟତାର ୫ମ ସ୍ଥାନରେ ଥିବା ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ବରରେ ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟରେ ରୁଷିଆକୁ ମୋଟ୍ ୧୧-୩ ଗୋଲ୍‌ରେ ପରାସ୍ତ କରି ଅଲିମ୍ପିକ୍‌ସ ଟିକଟ ହାସଲ କରିଥିବା ବେଳେ ଭାରତୀୟ ମହିଳା ଦଳ ଆମେରିକାକୁ ମୋଟ୍‌ ୬-୫ ଗୋଲ୍‌ରେ ପରାସ୍ତ କରି ଅଲିମ୍ପିକ୍‌ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଟୋକିଓରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲିମ୍ପିକ୍‌ସ ହକି ନିମନ୍ତେ ଖେଳସୂଚୀ ଘୋଷିତ ହୋଇଥିଲା। ଏହି ବୈଠକରେ ଏଫଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ମହାସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.