ଚଳିତ ବର୍ଷ ୨ଲକ୍ଷ ୮୪ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ

ଓଡିଶା ଉଠା ଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ

  • ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ
  • ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ପାଣି ପଞ୍ଚାୟତର ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର

ଭୁବନେଶ୍ୱର: ଓଡିଶା ଉଠାଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ ଓ.ଏଲ୍.ଆଇ.ସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନିଗମର ପ୍ରତିଷ୍ଠା ଦିବସରେ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ କରାଯାଇଛି ଏବଂ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ପାଣି ପଂଚାୟତ ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ଓଏଲ୍ଆଇସି ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହୋଇଛି।
କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଓଏଲ୍ଆଇସି ଚାଷୀମାନଙ୍କର ଏକ ପରିଚିତ ନାମ। କୃଷକମାନଙ୍କ ପାଇଁ ଏହି ଅନୁଷ୍ଠାନ ଜଳସେଚନ ସୁବିଧା ଯୋଗାଇ ଦେଉଛି। ସେଥିପାଇଁ ଏହା କୃଷକମାନଙ୍କର ପ୍ରକୃତ ବନ୍ଧୁ। ୨୦୨୧-୨୨ ଆର୍ଥିକ ବର୍ଷରେ ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧ଲକ୍ଷ ୪୦ ହଜାର ହେକ୍ଟର ଜମିକୁୁ ଜଳସେଚନ ସୁବିଧା କରିବା ସହ ଆଗାମୀ ଦିନରେ କୃଷକମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଅନୁଷ୍ଠାନ ପ୍ରୟାସ ଜାରି ରଖିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷକମାନଙ୍କ କଲ୍ୟାଣ ପାଇଁ ଉଠା ଜଳସେଚନ ନିଗମଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବାରେ ନିଗମର ଉଦ୍ୟମ ଅବ୍ୟାହତ ରଖିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଲେ ଯେ, ଜଳସମ୍ପଦ ବିଭାଗ ତରଫରୁ ଚଳିତ ବର୍ଷ ୨ଲକ୍ଷ ୮୪ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିରୁ ୧.୪ଲକ୍ଷ ହେକ୍ଟର ସୁବିଧା କେବଳ ଉଠାଜଳ ସେଚନ ନିଗମ ଜରିଆରେ ହେବା ଲକ୍ଷ୍ୟ ରହିଛି। ବୃହତ. ମଧ୍ୟମ, କ୍ଷୁଦ୍ର ଏବଂ ମେଗା ଲିଫ୍ଟ୍ ଜଳସେଚନ ବ୍ୟବସ୍ଥାରେ ବ୍ୟତିରେକ ଉଠାଜଳସେଚନ ବ୍ୟବସ୍ଥାରେ ୫୦ ଭାଗରୁ ଊଦ୍ଧ୍ୱର୍ ସେଚ ସାମର୍ଥ ସୃଷ୍ଟି କରାଯାଇଛି। ପୋଷଣୀୟ ଜଳସେଚନ, ଗଭୀର ସେଚକୂପ ଖନନ ଉପରେ ସେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ୍ ସଂଯୋଗ ଯାଇପାରୁନଥିବା ଅଂଚଳ ପାଇଁ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପ କୃଷକମାନଙ୍କ ପାଇଁ ସୁବିଧା ଜନକ ହୋଇପାରିବ ବୋଲି ଶ୍ରୀମତୀ ଗର୍ଗ ମତବ୍ୟକ୍ତ କରିଥିଲେ। ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଯୋଗଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଚାଷୀମାନଙ୍କୁ ଅନ୍ନଦାତା ଭାବେ କହିଆସିଛନ୍ତି। ଚାଷୀକୁଳ କିପରି ଭଲରେ ରହିବେ, ଖୁସିରେ ରହିବେ, ସେମାନଙ୍କର ସୁବିଧା ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି। ଏଣୁ ଓ.ଏଲ୍.ଆଇ.ସିକୁ ଚାଷୀମାନଙ୍କ ଉନ୍ନତି ପାଇଁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସମସ୍ତଙ୍କର ସହଯୋଗରେ କରାଯିବ ବୋଲି ସେ କହିଥିଲେ। ୨ ବର୍ଷ ତଳେ ୪୭ ତମ ପ୍ରତିଷ୍ଠା ଦିବସ ବେଳେ ଉଠା ଜଳସେଚନ ନିଗମ ଜରିଆରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଥିବା ବେଳେ ୨ ବର୍ଷ ପରେ ଏହା ୧୨ଲକ୍ଷ ୫୦ ହଜାର ହେକ୍ଟରରେ ପହଁଚିଛି। କୋଭିଡ୍ , ସମ୍ଭାବ୍ୟ ମରୁଡି, ବନ୍ୟା ଭଳି ପ୍ରତିକୂଳ ସ୍ଥିତିରେ ମଧ୍ୟ ସମସ୍ତେ କାମ କରିଛନ୍ତି। ୮ମ ଶେଣୀ ପାଶ୍ କରିଥିବା ପାଣି ପଂଚାୟତର ସଦସ୍ୟ ସଦସ୍ୟାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ପାଣି ପଂଚାୟତର ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହୁଛି, ଉଠା ଜଳ ସେଚନ ପ୍ରକଳ୍ପର ରକ୍ଷଣା ବେକ୍ଷଣରେ ଅସୁବିଧା ଉପୁଜୁଛି, ସେସବୁ ଦୂର କରାଯିବା ସହିତ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଥିଲେ। ଏହି ପ୍ରଶିକ୍ଷଣ ସଂପର୍କିତ ରାଜିନାମା ଓ.ଏଲ୍.ଆଇ.ସି ଓ ବୈଷୟିକ ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହୋଇଥିଲା।

ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜୀ ଉପସ୍ଥିତ ଥିବା ବେଳେ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ, ରାଜ୍ୟରେ ଜଳସଂପଦ ବିଭାଗ ତରଫରୁ ବିଭିନ୍ନ ବ୍ୟବସ୍ଥାରେ ଅଦ୍ୟାବଧି ୪୪.୬୧ ଲକ୍ଷ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ କେବଳ ଓ.ଏଲ୍ ଆଇ.ସି ଜରିଆରେ ୧.୨୫ ଲକ୍ଷ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୧୨.୫୦ ଲକ୍ଷ ହେକ୍ଟର ସେଚ ସାମର୍ଥ ସୃଷ୍ଟି କରାଯାଇ ୨୮ ପ୍ରତିଶତ ସଫଳତା ହାସଲ କରାଯାଇଛି। ସରକାରଙ୍କ ତରଫରୁ ପ୍ରତିବର୍ଷ ୧୦୦୦ ଟି ପ୍ରକଳ୍ପ ଛୋଟ ଛୋଟ ମରାମତି ପାଇଁ ବ୍ୟବସ୍ଥା ରହିଥିବା ସେ କହିବା ସହିତ ଓ.ଏଲ୍. ଆଇ.ସି ତରଫରୁ ନୂତନ ପ୍ରକଳ୍ପ ନିର୍ମାଣ, ସବୁ ପ୍ରକଳ୍ପଗୁଡିକର ରକ୍ଷଣା ବେକ୍ଷଣ ଓ ସଚଳ ରଖାଯିବା ପାଇଁ ପ୍ରୟାସ ଜାରି ରହିଥିବା କହିଥିଲେ। ଏହି ଅବସରରେ ଉଠା ଜଳସେଚନ ନିଗମ ଦ୍ୱାରା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟଗୁଡିକ ସମ୍ବନ୍ଧରେ ଏକ କ୍ଷୁଦ୍ର ପ୍ରାମାଣିକ ତଥ୍ୟ ଭିତିକ ସଫଳତାର କାହାଣୀ ସଂପର୍କିତ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥାରେ ଚାଷୀମାନେ ନିଗମ ଜରିଆରେ ଉଠାଜଳସେଚନ ବ୍ୟବସ୍ଥାରେ ଚାଷ କରି କିପରି ଲାଭବାନ ହୋଇଛନ୍ତି, ସେ ସଂପର୍କରେ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଓ.ଏଲ୍.ଆଇ.ସି କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଯନ୍ତ୍ରୀ, ଅଧିକାରୀ ଉପସ୍ଥିତ ଥିବା ବେଳେ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ନିଗମର ୭ଟି ସର୍କଲ ଓ ୨୮ଟି ଡିଭିଜନ କାର୍ଯ୍ୟାଳୟରୁ ଯନ୍ତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାଲେଶ୍ୱରନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.