ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ

ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ

କାଠମାଣ୍ଡୁ: ନେପାଳ ସଂସଦରେ ଆସ୍ଥାଭୋଟରେ ପରାଜିତ ହୋଇଥିଲେ ମଧ୍ୟ କେ ପି ଶର୍ମା ଓଲିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରାଯାଇଛି। ସିପିଏନ-ୟୁଏମଏଲ ଅଧ୍ୟକ୍ଷ ୬୯ ବର୍ଷ ବୟସ୍କ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ। ପୂର୍ବରୁ ସୋମବାର ଦିନ ଓଲି ଆସ୍ଥା ଭୋଟରେ ହାରିଯାଇଥିଲେ। କିନ୍ତୁ ଦେଶର ବିରୋଧୀ ଦଳଗୁଡିକ ମଧ୍ୟରେ ଗୋଷ୍ଠୀ ବିବାଦ କାରଣରୁ ସେମାନେ ନୂଆ ସରକାର ଗଠନ କରିବାକୁ ଆବଶ୍ୟକ ସମର୍ଥନ ଜୁଟାଇ ପାରିନଥିଲେ।
ଗୁରୁବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓଲିଙ୍କୁ ପୁନଃ ନିଯୁକ୍ତି ଦେବାପରେ ଆଜି ଶୁକ୍ରବାର ଦିନ ଓଲି ଶୀତଳ ନିବାସଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଜାରି ଏକ ବିବୃତିରେ କୁହାଯାଇଥିଲା ଯେ, ନେପାଳ ସମ୍ବିଧାନର ଧାରା ୭୮(୩) ଅନୁଯାୟୀ ରାଷ୍ଟ୍ରପତି ନେପାଳ ପ୍ରତିନିଧି ସଭାରେ ସର୍ବବୃହତ ରାଜନୈତିକ ଦଳ ଥିବା ସିପିଏନ-ୟୁଏମଏଲ ନେତା ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରିଛନ୍ତି। ଆଜି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ, ଓଲିଙ୍କୁ ଶପଥ ପାଠ କରାଇବେ ବୋଲି ଏଥିରେ କୁହାଯାଇଛି।

Comments are closed.