କଲିକତା କହି ବୁଲି ଯାଇଥିଲେ ଥାଇଲାଣ୍ଡ : କରୋନା ଖୋଲିଲା ଗୋପନ ସଉକ

ନୋଟିସ ଲଗାଇଲା ସ୍ବାସ୍ଥ୍ୟ ବିଭାଗ, ବାହାରେ ପୁଲିସ ଡ଼ର, ଘରେ ଘରଣୀ

ଅମ୍ବାଲା: ବ୍ୟବସାୟିକ କାର୍ଯ୍ୟରେ କଲକତା, ବାଙ୍ଗାଲୋର ଯାଉଛନ୍ତି ବୋଲି କହି ଯାଇଥିଲେ । ମାତ୍ର କରୋନା ଖୋଲିଦେଲା ଯାତ୍ରା ରହସ୍ୟ । କଲକତା ଯିବାକୁ କହି ଜଣେ ଯାତ୍ରୀ ଥାଇଲାଣ୍ଡର ବ୍ୟାଙ୍କକ୍ ଓ ବାଙ୍ଗାଲୋର ଯିବାକୁ କହି ଜଣେ ଯାତ୍ରୀ ପଟାୟା ବୁଲି ଯାଇଥିବା ହରିଆଣାର ଅମ୍ବାଲାର ଦୁଇ ବୟସ୍କ ବ୍ୟକ୍ତିଙ୍କୁ ଠାବ କରିଛି ରାଜ୍ୟ ସ୍ବାସ୍ଥ୍ୟ ପ୍ରଶାସନ । ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କୁ ଏକାନ୍ତବାସରେ ଯିବା ପାଇଁ ସ୍ବାସ୍ଥ୍ୟ ପ୍ରଶାସନ ନିର୍ଦେଶ ଦେବା ଏବଂ ସେମାନଙ୍କ ଘର ସମ୍ମୁଖରେ ବିଦେଶ ଯାତ୍ରାର ଇତିହାସ (ଟ୍ରାଭେଲ ହିଷ୍ଟ୍ରୀ) ନୋଟିସ ଲଗାଇବା ପରେ ପରିବାରରେ ଆରମ୍ଭ ହୋଇଛି କଳହ । ଘଟଣାଟି କେବଳ ଏତିକିରେ ସୀମିତ ନାହିଁ, ବିଦେଶ ଯାତ୍ରା ସମ୍ପର୍କରେ ଗୋପନ ରଖିଥିବା ଯୋଗୁଁ ପରିଜନ ଓ ସମ୍ପର୍କୀୟ ବି ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ପ୍ରଶାସନ ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ଯିବା ପାଇଁ ଲଗାଇଥିବା ନୋଟିସକୁ ସମ୍ପୃକ୍ତ ବ୍ୟକ୍ତିମାନେ ଚିରି ଦେଇଥିବା ଯୋଗୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ସୁପାରିସ କରିଛି ସ୍ବାସ୍ଥ୍ୟ ବିଭାଗ।

ଅମ୍ବାଲା ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜିଲାକୁ ବିଦେଶରୁ ୧୨୦୦ ଲୋକ ଆସିଛନ୍ତି । ସେମାନଙ୍କ ବିଦେଶ ଯାତ୍ରାର ଇତିହାସ (ଟ୍ରାଭେଲ ହିଷ୍ଟ୍ରୀ) ଖୋଳତାଡ଼ କରିବା ସମୟରେ ଅନେକ ରୋଚକ ତଥ୍ୟ ଆଲୋକକୁ ଆସିଛି । ଏପରିକି କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବିଦେଶ ଯାତ୍ରା କରିଛନ୍ତି ବୋଲି ସେମାନଙ୍କ କାର୍ଯ୍ୟାଳୟର ସହକର୍ମୀ, ପରିବାର ଲୋକ, ଏପରିକି ପତ୍ନୀ କି ସନ୍ତାନ ସନ୍ତତି ମଧ୍ୟ ଜାଣି ନାହାନ୍ତି । ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟକ୍ତି ତ ସମସ୍ତ ସୀମା ପାର କରି ସାରିଛନ୍ତି । ଏହି ବୃଦ୍ଧଙ୍କ ଯାତ୍ରା ଇତିହାସ ସହ ଥାଇଲାଣ୍ଡର ପଟାୟା ଯୋଡ଼ି ହୋଇ ଯାଇଛି । ପଟାୟାକୁ ନେଇ ଭାରତୀୟମାନଙ୍କ ମନରେ ଅନେକ କୌତୂହଳ ରହିଛି ଏବଂ ଦେହ ବ୍ୟବସାୟ ନିମନ୍ତେ ଏହି ଅଞ୍ଚଳ କୁଖ୍ୟାତି ଅର୍ଜନ କରିଛି । ଏପରି କ୍ଷେତ୍ରରେ ସମ୍ପୃକ୍ତ ବୃଦ୍ଧ ନିଜ ପରିବାରର ଲୋକମାନଙ୍କୁ ସମ୍ମୁଖୀନ ହେବା ବି କଷ୍ଟକର ହୋଇ ପଡ଼ିଛି । ତାଙ୍କ ଘର ସମ୍ମୁଖରେ ସ୍ବାସ୍ଥ୍ୟ ପ୍ରଶାସନ ଲଗାଇଥିବା ‘ହୋମ କ୍ବାରେଣ୍ଟାଇନ୍’ ପୋଷ୍ଟରକୁ ସେ ଚିରିଦେବା ଅଭିଯୋଗ ହେବା ପରେ ପୁନର୍ବାର ପୋଷ୍ଟର ଲଗାଯାଇଛି ଏବଂ ପୁଲିସକୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଭାଗ ସୁପାରିସ କରିଛି ।

Comments are closed.