ବୃଦ୍ଧ ଶୁକ୍ରୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରେଙ୍ଗାଲିକ୍ୟାମ୍ପ : ଆଜି ସରକାରୀ ଯୋଜନା ସବୁ ତେଲିଆ ମୁଣ୍ଡକୁ ତେଲ ଦେଲାପରି କେବଳ ଧନୀମାନଙ୍କ ପାଇଁ ତିଆରି ହେଉଥିବା ପ୍ରତିତ ହେଉଛି। ଗରିବ ଆଜି ବି ଗରିବ ହୋଇ ରହିଛି, ଖଟିଖିଆ ଆଜି ବି ଖଟି ଖାଉଛି, ଘରହୀନ ଆଜି ବି ବାସହରା ହେଇ ବୁଲୁଛି। ନେତା ମନ୍ତ୍ରୀମାନଙ୍କ ପାଇଁ ବଡ ବଡ଼ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଥିବା ବେଳେ ଗରିବ ଲୋକ ଆଜି ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ରୋଗରେ ସଢ଼ୁଛନ୍ତି। ସବୁ କିଛି ଯୋଜନା ଯେମିତି ପ୍ରହସନ ପରି ମନେହୁଏ ବୃଦ୍ଧ ଶୁକ୍ରୁଙ୍କୁ ଦେଖିଲେ।

ଅତାବିରା ନିର୍ବାଚନ ମଣ୍ଡଳୀ ଉଦେପୂର ଗ୍ରାମର ଜଣେ ବୃଦ୍ଧ ଶୁକ୍ରୁ ସାହୁ , ବୟସ ୮୦ ବର୍ଷ। ଦୁଇ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି ପକ୍ଷାଘାତ ରୋଗରେ। ପୁଅ ଲକ୍ଷ୍ମୀ ଜଣେ ଶ୍ରମିକ। ବିଭିନ୍ନ ମଜୁରୀ କାମ କରି ଯେତିକି ରୋଜଗାର କରନ୍ତି, ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ପିଲାଙ୍କ ପାଠପଢା, ପୋଷାକ ପତ୍ର ସହ ସାଧାରଣ ଖାଇବା ବି ଯୋଗାଡ଼ କରିବା ବଡ ମୁସ୍କିଲ ହୋଇପଡେ ବେଳେ ବେଳେ। ବୃଦ୍ଧ ପିତାଙ୍କର କିଛି କିଛି ଚିକିତ୍ସା ମଧ୍ୟ ଏବେ କରିବାକୁ ପଡ଼ୁଛି। ହେଲେ ଉତ୍ତମ ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁନି। ଯାହା ଫଳରେ ରୋଗର ଉପଶମ ହୋଇପାରୁନାହିଁ। ଛଅ ପ୍ରାଣୀ କୁଟୁମ୍ବର ଭରଣ ପୋଷଣ କରୁ କରୁ ଘର ପ୍ରତି ଦୃଷ୍ଟି ଦେବାକୁ ବି ସମୟ ନ ଥାଏ। ମାଟି କୁଡିଆ ଘର। ବର୍ଷାଦିନେ କୋଉଠି ପାଣି ଗଲିଲା ତ ଆଉ କୋଉଠି ମାତି ଅତଡା ଖସିଲା । ଘରକୁ ଛାତ କରିବା ଇଚ୍ଛା ଥିଲେ ବି ଅର୍ଥର ଅଭାବ ସେଇ ଇଚ୍ଛାକୁ ମାରିଦିଏ। ଆଜି ଗରିବ ଲୋକଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ହେଲେ ଲକ୍ଷ୍ମୀ ଓ ତାଙ୍କ ବୃଦ୍ଧ ପିତାଙ୍କର ଏଇ ଶୋଚନୀୟ ଅବସ୍ଥା ଦେଖି ମନରେ ପ୍ରଶ୍ନ ଉଠୁଛି ଯେ ଏହି ସବୁ ଯୋଜନା କାହାପାଇଁ। ଯେଉଁମାନେ ଏହି ଯୋଜନାର ପ୍ରକୃତ ହକଦାର ସେମାନଙ୍କ ପାଖରେ ପହଞ୍ଚି ପାରୁନି କିଛି ସରକାରୀ ସହାୟତା। ମାସକୁ୩୦ କେଜି ଏକ ଟଙ୍କିଆ ଚାଉଳ ଓ ୫୦୦ ତାଙ୍କ ଭତ୍ତା ବ୍ୟତୀତ ଆଉ କିଛି ବି ମିଳୁନି। ମୋ କୁଡିଆ ଯୋଜନାରେ ଘର ଖଣ୍ଡିଏ ବି ମିଳି ନାହିଁ ଆଜି ଯାଏଁ। ପୁଅ ବୋହୂ ନିଜର ସାମର୍ଥ୍ୟ ଅନୁସାରେ କର୍ତ୍ତବ୍ୟ ଓ ସେବା କରି ଚାଲିଛନ୍ତି । କିନ୍ତୁ ବାପାଙ୍କର ଉତ୍ତମ ଚିକିତ୍ସା କରାଇବାରେ ଅର୍ଥ ବାଧକ ସାଜିଛି। ତେଣୁ କୌଣସି ସହୃଦୟ ବ୍ୟକ୍ତି ଯଦି ସହାୟତାର ହାତ ବଢାନ୍ତି ବା କିଛି ସରକାରୀ ସହାୟତା ମିଳନ୍ତା ତେବେ ବୃଦ୍ଧ ପିତାଙ୍କୁ ଭଲ ଭାବରେ ଚିକିତ୍ସା କରାଇପାରନ୍ତେ ବୋଲି ପୁଅ ଲକ୍ଷ୍ମୀ ପ୍ରକାଶ କରିଛନ୍ତି। ତେବେ ପ୍ରଶାସନର ଦୃଷ୍ଟି ଏହି ବୃଦ୍ଧଙ୍କ ଉପରେ କେବେ ପଡ଼ିବ ଅନେଇ ରହିଛନ୍ତି ପରିବାର।

Comments are closed.