ଅସହାୟ ବୃଦ୍ଧଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ବଲାଙ୍ଗିର ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ବିଡିଓ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ଜଲିଆବାହାଲ ଗ୍ରାମର କୃଷ୍ଣ ଦାସ ପରିବାର ଅସହାୟ ଅବସ୍ଥାରେ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବେ ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ, ବୃଦ୍ଧ କୃଷ୍ଣ ଦାସ ପରିବାର ସରକାରୀ ଯୋଜନାରୁ ବଂଚିତ ହେବା ନେଇ ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଏନେଇ ବଲାଙ୍ଗିର ଜିଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ବଲାଙ୍ଗିର ଜିଲାପାଳଙ୍କଠାରୁ ପତ୍ର ପାଇବାପରେ ଖପ୍ରାଖୋଲ ବିଡିଓ ତରଣୀ ସୁନା ଜଲିଆବାହାଲ ଗ୍ରାମକୁ ଯାଇ ଏହି ପରିବାରକୁ ଭେଟିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ପରିବାରକୁ ଏବେ ବିଭିନ୍ନ ଯୋଜନାରେ ସାମିଲ କରାଯାଇଥିବା ଜାଣିବାକୁ ମିଳିଛି।

ବୃଦ୍ଧ କୃଷ୍ଣ ଦାସଙ୍କର ବାର୍ଦ୍ଧକ୍ୟ ଭତା ଟ.୫୦୦/- ମାସକୁ ମଞ୍ଜୁର କରାଯାଇଛି। ତାଙ୍କର ଶାରୀରିକ ବିକଳାଙ୍ଗ ପୁତ୍ର ରଘୁନାଥ ଦାସଙ୍କର ମାସିକ ୫୦୦ ଟଙ୍କା ବିକଳାଙ୍ଗ ଭତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପରିବାରର ଇଟାରେ ତିଆରି ଦୁଇ ବଖରା ଆଜବେଷ୍ଟସ ଛାଉଣି ଘର ରହିଛି। କୃଷ୍ଣ ଦାସଙ୍କ ପତ୍ନୀ ଲକ୍ଷ୍ମୀ ଦାସଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଏ ନେଇ ତାଙ୍କ ନାମ ତାଲିକାଭୁକ୍ତ କରାଯାଇଛି। ପତ୍ନୀ ଲକ୍ଷ୍ମୀ ଦାସଙ୍କର ବୟସ ୬୦ ବର୍ଷରୁ କମ୍‍ ହୋଇଥିବାରୁ ସେ ବାର୍ଦ୍ଧକ୍ୟ ଭତା ପାଇବାକୁ ଯୋଗ୍ୟ ହୋଇ ପାରିନାହାନ୍ତି। ଏହି ପରିବାରର ଲକ୍ଷ୍ମୀ ଦାସଙ୍କ ବ୍ୟତିତ ତାଙ୍କ ସ୍ୱାମୀ ଏବଂ ପୁଅର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ନଥିବା ତଦନ୍ତ ବେଳେ ଜାଣିବାକୁ ମିଳିଛି। ସ୍ଥାନୀୟ ସରପଂଚ ଏବଂ ଅଙ୍ଗନୱାଡି କର୍ମୀଙ୍କ ତଥ୍ୟ ଆଧାରରେ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଇଥିବା ନେଇ ବିଡିଓ ତରଣୀ ସୁନା ବଲାଙ୍ଗିର ଜିଲାପାଳଙ୍କୁ ଦେଇଥିବା ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ଖପ୍ରାଖୋଲ ମେଡିକାଲ ପକ୍ଷରୁ ଶାରୀରିକ ଅକର୍ମଣ୍ୟ ପ୍ରମାଣପତ୍ର ତାଙ୍କ ବିକଳାଙ୍ଗ ପୁତ୍ର ରଘୁନାଥ ଦାସଙ୍କୁ ଦିଆଯାଇଥିବା ନେଇ ବିଡିଓ ଗତ. ତା.୨୧.୦୭ ରେ ବଲାଙ୍ଗିର ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

Comments are closed.