ପଞ୍ଜୀକରଣ ଅବଧି ୨୬କୁ ବୃଦ୍ଧି

ଖୁବ୍ ଶୀଘ୍ର ବି.ଟେକ୍ ପଞ୍ଜୀକରଣ ତାରିଖ ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ୱାରା ପରିଚାଳିତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ବି.ଟେକକୁ ଛାଡି ଦେଲେ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରବେଶିକା ପାଇଁ ପଞ୍ଜୀକରଣ ଚାଲିଛି। ତେବେ କରୋନା ମହାମାରୀ ନିୟନ୍ତ୍ରଣ ନିମନ୍ତେ ଚାଲିଥିବା ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ଯୋଗୁଁ ଅନେକ ଆଗ୍ରହୀ ବିଦ୍ୟାର୍ଥୀ ପଞ୍ଜୀକରଣ କରିପାରି ନାହାନ୍ତି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଓଜେଇ ପକ୍ଷରୁ ପଞ୍ଜୀକରଣ ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଏପ୍ରିଲ ୧୪ରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଶେଷ ତାରିଖ ମେ ୧୫ ଥିଲା। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜୁଲାଇ ୧୨ ଯାଏଁ ପଞ୍ଜୀକରଣ ଅବଧିକୁ ବଢ଼ାଇ ଦିଆଯାଇଥିଲା। ବି.ଟେକ୍ ପାଇଁ ଓଜେଇ ପକ୍ଷରୁ ପଞ୍ଜୀକରଣ ଆରମ୍ଭ ହୋଇନାହିଁ। ଏନେଇ ଓଜେଇଇ ଅଧ୍ୟକ୍ଷ ଏସ.କେ ଚାନ୍ଦ କହିଛନ୍ତି, ଜେଇଇ ମୁଖ୍ୟ ପଞ୍ଜୀକରଣ ସରିବା ପରେ ଓଜେଇଇ ପକ୍ଷରୁ ବି.ଟେକ୍ ପାଇଁ ପଞ୍ଜୀକରଣ ଆରମ୍ଭ କରାଯିବ। ଯେଉଁ ଛାତ୍ରଛାତ୍ରୀ ଜେଇଇ ମୁଖ୍ୟରେ ପଞ୍ଜୀକରଣ କରି ନ ଥିବେ ସେମାନେ ଚାହିଁଲେ ବି.ଟେକ୍ ପାଇଁ ଓଜେଇଇ ପଞ୍ଜୀକରଣ କରିପାରିବେ। ଜେଇଇ ମୁଖ୍ୟ ପଞ୍ଜୀକରଣ ଶେଷ ତାରିଖ ଜୁଲାଇ ୧୩ ରହିଛି। ଖୁବଶୀଘ୍ର ବି.ଟେକ୍ ପାଇଁ ପଞ୍ଜୀକରଣ ଆରମ୍ଭ ହେବ।

Comments are closed.