ଇରାନକୁ ଅଟକା ନ ଗଲେ ତୈଳଦର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବ: ସାଉଦି ଯୁବରାଜ

ଦୁବାଇ: ଇରାନ ଏବଂ ସାଉଦି ଆରବ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ଏହାକୁ ରୋକା ନ ଗଲେ ବଜାର ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ସାଉଦି ଯୁବରାଜ ପ୍ରନ୍ସ ମହମ୍ମଦ ବିନ୍‌ ସଲମାନ। ସେ କହିଛନ୍ତି, ଯଦି ଇରାନକୁ ରୋକିବା ଲାଗି ବିଶ୍ଵ ସମୁଦାୟ ଏକାଠି ନ ହେବେ, ତା’ହେଲେ ତୈଳଦର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବ। ଚଳିତମାସ ପ୍ରାରମ୍ଭରେ ସାଉଦିର ତୈଳ କମ୍ପାନୀ ଆରାମକୋର ଦୁଇଟି ରିଫାଇନାରି ଉପରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଲମାନ ପ୍ରଥମ ଥର ଲାଗି ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି।

ଯୁବରାଜ ସଲମାନ ଆହୁରି କହିଛନ୍ତି, ସାରା ବିଶ୍ଵର ଦେଶଗୁଡ଼ିକୁ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସାମିଲ ହେବାକୁ ପଡ଼ିବ। ନଚେତ୍‌ ଏଥିରୁ ସମସ୍ତଙ୍କର କ୍ଷତି ହୋଇପାରେ। ସୂଚନାଯୋଗ୍ୟ, ତୈଳ ରିଫାଇନାରି ଉପରେ ହୋଇଥିବା ଆକ୍ରମଣ ପାଇଁ ୟେମେନର ହୁତୀ ବିଦ୍ରୋହୀମାନେ ନିଜକୁ ଦାୟୀ କରିଥିଲେ। କିନ୍ତୁ ସାଉଦି ଆରବ ଏଥିପାଇଁ ଇରାନକୁ ଦାୟୀ କରୁଛି। ଆମେରିକା ବି ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଥିଲା।

Comments are closed.