ତୈଳଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ୩ ଟଙ୍କାର ଭାଟ୍ ଛାଡ, ମଧ୍ୟରାତ୍ରରୁ ଲାଗୁ

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ରୁ ୧୦ ଟଙ୍କା ହ୍ରାସ କରି ସମସ୍ତ ରାଜ୍ୟ ନିଜ ନିଜ ସ୍ତରରେ ଇନ୍ଧନ ଉପରେ ନେଉଥିବା ମୂଲ୍ୟଯୁକ୍ତ କର(ଭାଟ୍‌) ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ଏହାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟ୍‌ କମାଇବା ନେଇ ଘୋଷଣା କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କାର ଭାଟ୍ ଛାଡ କରାଯାଇଛି। ଏହା ୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହୋଇଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବର୍ଦ୍ଧିତ ଇନ୍ଧନ ମୂଲ୍ୟରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁଁ ରାଜ୍ୟ ରାଜକୋଷକୁ ୧୪ ଶହ କୋଟିର କ୍ଷତି ବର୍ଷକୁ ସହିବାକୁ ପଡ଼ିବ।

ଏହାସହିତ ଭାରତ ସରକାରଙ୍କ ଦ୍ବାରା ଉତ୍ପାଦ ଶୁଳ୍କ ହ୍ରାସକୁ ଦୃ‌ଷ୍ଟିରେ ରଖି ରାଜ୍ୟରେ ଭାଟ୍ ସଂଗ୍ରହରେ ପେଟ୍ରୋଲ ଉପରେ ଲିଟର ପିଛା ଅତିରିକ୍ତ ୧ ଟଙ୍କା ୬୦ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ଅତିରିକ୍ତ ୨ ଟଙ୍କା ୮୦ ପଇସା କ୍ଷତି ସହିବାକୁ ପଡ଼ିବ। ଏହି ଉଭୟ କ୍ଷତିକୁ ମିଶାଇ ରାଜ୍ୟ ରାଜକୋଷକୁ ପ୍ରାୟ ୭୦୦ କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। ଭାରତ ସରକାରଙ୍କ ଉତ୍ପାଦ ଶୁଳ୍କ ଛାଡ୍ ଏବଂ ରାଜ୍ୟ ସରକାରଙ୍କ ଭାଟ୍ ହ୍ରାସ ହେତୁ ରାଜ୍ୟ ରାଜକୋଷକୁ ପ୍ରାୟ ୨୦୦୦ କୋଟିର କ୍ଷତି ସହିବାକୁ ପଡିବ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମି ସାରାଦେଶରେ ସର୍ବନିମ୍ନ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସଂଶୋଧିତ ବିଜ୍ଞପ୍ତିରେ ଉପସଚିବ ସୌମ୍ୟଜିତ ରାଉତ, କ୍ରମିକ ନମ୍ବର ୩-କ’ ପେଟ୍ରୋଲରେ ୨୮ ପ୍ରତିଶତ ଏବଂ ୩-ଖ’ ଡିଜେଲରେ ୨୪ ପ୍ରତିଶତ ଲାଗୁ କରାଯିବ ବୋଲି ଦର୍ଶାଇଛନ୍ତି। ସରକାରଙ୍କ ଏହି ସଂଶୋଧିତ ନିଷ୍ପତ୍ତି ୬ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ରାଉତ ସରକାରଙ୍କ ପକ୍ଷରୁ ଦର୍ଶାଇଛନ୍ତି।

Comments are closed.