୨୦ରୁ ଖୋଲିବ ସରକାରୀ ଦପ୍ତର

ଭୁବନେଶ୍ବର (ବ୍ୟୁରୋ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଖୋଲିବ । ସବୁଜ ଜୋନରେ ଥିବା ସବୁ ଜିଲାର ସରକାରୀ କାର୍ଯ୍ୟାଳୟ ଯଥାରୀତି କାର୍ଯ୍ୟ କରିବ।  ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ତେବେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବେ। ସେହିପରି   ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ ରେଜିଷ୍ଟର ଅଫିସ୍ ରୁ କାମ କରିବେ ।

ତେବେ ରେଡ଼ ଓ ଅରେଞ୍ଜ ଜୋନରେ ଥିବା ଜିଲା ଖୋର୍ଧା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଆଦି ଜିଲାଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଖୋଲାଯିବା ଓ କାର୍ଯ୍ୟକୁ ନେଇ କିଛିଟା କଟକଣା ଜାରି କରାଯାଇଛି । ଏହି ଜିଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରଥମ ଶ୍ରେଣୀ (ଗ୍ରେଡ଼୍-ଏ) କର୍ମଚାରୀ ଅଫିସ ଆସିବେ । ଅନୁରୂପ ଭାବରେ ଅତି ଜରୁରୀ ଓ ଆଂଶିକ ଜରୁରୀ ଘୋଷିତ ବିଭାଗଗୁଡ଼ିକର କର୍ମଚାରୀମାନେ ପାଳିକରି ଅଫିସ ଆସିବାକୁ ନିର୍ଦେଶ ଦିଆଯାଇଛି । ତେବେ କୌଣସି ଦିନ ଦ୍ବିତୀୟ, ତୃତୀୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ ।  ଲକ୍ ଡ଼ାଉନ ଅବଧିଶେଷ ଅର୍ଥାତ୍ ମେ ୩ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ ।

 ରାଜ୍ୟ ସରକାର ପୂର୍ବରୁ ୧୧ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ। ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି।
 କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସ୍ ଆଇ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ୍ -ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର୍  ଆଧାରରେ ୫୦% କର୍ମଚାରୀ ଅଫିସ୍  ଆସିବେ। ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହିସବୁ ବର୍ଗର ଅଧିକାରୀମାନେ ରୋଷ୍ଟର୍  ଆଧାରରେ ୩୩% କର୍ମଚାରୀ ଅଫିସ ଆସିବେ ।

Comments are closed.