ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମିନତି ମିଶ୍ରଙ୍କ ସ୍ୱିଜରଲ୍ୟାଣ୍ଡର ଜୁରିଚ୍‍ ରେ ସୋମବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟମୁଖୀ, ଅରୁନ୍ଧତୀ ଆଦି ଚଳଚ୍ଚିତ୍ରରେ ସେ ନାୟିକା ଭାବେ ଅଭିନୟ କରିଥିଲେ। ସେ ଏକାଧାରରେ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ଥିଲେ। ତାଙ୍କ ମୃତ୍ୟୁରେ କଳାକାର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଯୋଗ୍ୟ, ନୃତ୍ୟାଙ୍ଗନା ମିନତି ମିଶ୍ର ପ୍ରଥମେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ। ସ୍ନାତକୋତ୍ତର ଡ଼ିଗ୍ରୀ ପରେ ସରକାରଙ୍କ ବୃତ୍ତି ପାଇ ୧୯୫୪ରେ ତତ୍କାଳୀନ ମାଡ଼୍ରାସସ୍ଥିତ ରୁକ୍ମିଣୀ ଦେବୀଙ୍କ କଳାକ୍ଷେତ୍ରରେ ଏକ ବର୍ଷ ପାଇଁ ‘ଭରତନାଟ୍ୟମ’ ନୃତ୍ୟଶିକ୍ଷା କରିଥିଲେ। ୧୯୬୪ରୁ ୧୯୮୯ ପର୍ଯ୍ୟନ୍ତ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଥିଲେ।

ସୂର୍ଯ୍ୟମୁଖୀ (୧୯୬୩), ଜୀବନସାଥୀ (୧୯୬୩), ସାଧନା (୧୯୬୪) ଓ ଭାଇ ଭାଉଜ (୧୯୬୭) ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।୧୯୬୭ରେ ତାଙ୍କ ଅଭିନୀତ ଅରୁନ୍ଧତୀ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ଏହାସହ ଭାଇଭାଉଜ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ଏହାସହ ଗୁରୁଦେବପ୍ରସାଦ ସମ୍ମାନ, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୬), କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୬) ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ। ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରରୁ ସେ ନିଜର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ଓ ୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଆକାଶବାଣୀର ଏ ଗ୍ରେଡ଼ କଣ୍ଠଶିଳ୍ପୀ ମାନ୍ୟତା ଲାଭ କରିଥିଲେ। ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅପୂରଣୀୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ହିନ୍ଦୁସ୍ତାନୀ ଗାୟିକା ଭାବେ ସଙ୍ଗୀତ ପ୍ରଭାକର ଉପାଧୀ ପାଇଥିଲେ। ଜର୍ମାନୀର ମାରବର୍ଗସ୍ଥିତ ଫିଲିପ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା।

Comments are closed.