ହୀରାକୁଦ ଜଳଭଣ୍ଡାରରେ ଓଡ଼ିଶାର ପ୍ରଥମ ଭାସମାନ ସୌରଯନ୍ତ୍ର

ବରଗଡ଼(ସୁରେନ୍ଦ୍ର ହୋତା): ହୀରାକୁଦ ଜଳଭଣ୍ଡାରରେ ରାଜ୍ୟର ପ୍ରଥମ ଭାସମାନ ସୌରଶକ୍ତି ଯନ୍ତ୍ର ସ୍ଥାପନ ହେବ। ଏହି ପ୍ରକଳ୍ପଦ୍ବାରା ହୀରାକୁଦ ପାଣିରୁ ଅତି କମରେ ୫୦୦ ରୁ ୭୦୦ ମେଗାୱାଟ ସୌରବିଦ୍ୟୁତ ଉତ୍ପାଦନ ହେବ। ପ୍ରାରମ୍ଭିକ ଅବସ୍ଥାରେ ରାଜ୍ୟ ସରକାର ୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଭାରତ ସରକାରଙ୍କ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟଦ୍ୱାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ଓଡ଼ିଶା ଦାୟିତ୍ୱରେ ଥିବା ଅଧିକାରୀ ଏମ.ମିଶ୍ରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରମୁଖ ଉପଦେଷ୍ଟା ଡକ୍ଟର ପ୍ରମୋଦ ମିଶ୍ର ଓଡ଼ିଶାରେ ସୌରଶକ୍ତିର ବିକାଶ ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରସ୍ତାବିତ ଯୋଜନା ମୁତାବକ ବରଗଡ଼ କେନାଲର ଉତ୍ପତ୍ତିସ୍ଥଳ (ଜିରୋ ପଏଣ୍ଟ)ରେ ୪୦ ମେଗାୱାଟ ସୌରବିଦ୍ୟୁତ ଉତ୍ପାଦନ ହେବ। ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ସହାୟତାରେ ଭାସମାନ ସୌରପ୍ୟାନେଲ ସ୍ଥାପନ କରାଯିବ ଓ ଏହାକୁ ବୁର୍ଲା କଟାପାଲି ବିଦ୍ୟୁତ ଗ୍ରୀଡ଼ ସହ ସଂଯୋଗ କରି ସେଠାରୁ ବିଦ୍ୟୁତ ଯୋଗାଣ କରାଯିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଆସନ୍ତ ମାସରୁ କାମ ଆରମ୍ଭ ହେବ। ପୂର୍ବରୁ ବରଗଡ଼ ଜିଲା ପଦ୍ମପୁରରେ ୨୦୧୮ ଡିସେମ୍ବରରେ ୪୦ ମେଗାୱାଟ କ୍ଷମତା ବିଶିଷ୍ଟ ଅନ୍ୟ ଏକ ସୋଲାର ପ୍ଳାଣ୍ଟ ସ୍ଥାପନ କରାଯାଇଛି। ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଜୁନାନୀରେ ମଧ୍ୟ ୪୦ ମେଗାୱାଟ କ୍ଷମତାସମ୍ପନ୍ନ ବିଦ୍ୟୁତପ୍ଳାଣ୍ଟ ସ୍ଥାପନ ପାଇଁ ଜମି ଅଧିଗ୍ରହଣ ଚାଲିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଆଦିବାସୀ ଅଧ୍ୟୁଷିତ ବୌଦ୍ଧ ଅଞ୍ଚଳର ବିଦ୍ୟୁତ ଚାହିଦା ପୂରଣ କରାଯାଇପାରିବ ବୋଲି ଆଶା କରାଯାଉଛି।

ବିଦ୍ୟୁତ ଗ୍ରୀଡ଼ ସଂଲଗ୍ନ ଚାଷଜମିଗୁଡ଼ିକ ପାଇଁ ଅନ୍ୟ ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ଆପାତତଃ ଆସନ୍ତାକାଲି ଓଡ଼ିଶା ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି। ଏହି ଯୋଜନାରେ ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ କୃଷି ଉପଯୋଗୀ ଜମିଉପରେ ଭର୍ଟିକାଲ ସୋଲାର ପ୍ଳାଣ୍ଟ ବସାଇବ। ଏହାଦ୍ବାରା ଚାଷ ପ୍ରଭାବିତ ହେବ ନାହିଁ। ପ୍ୟାନେଲ ସ୍ଥାପନ ବାବଦକୁ ଚାଷୀଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଏକର ପିଛା ବାର୍ଷିକ ୨୦ ହଜାର ଟଙ୍କା ଲେଖାଏଁ ଭଡ଼ା ଦିଆଯିବ। ଗ୍ରୀଡ଼ ସଂଲଗ୍ନ ୧୦ ଏକରରୁ ଅଧିକ ପରିମିତ ଚାଷଜମିରେ ଚାଷୀଙ୍କୁ ୨୫ ବର୍ଷ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡ଼ିବ। ଗ୍ରୀଡ଼ ପାଖାପାଖି ଅଞ୍ଚଳର ଜଣେ କିମ୍ବା ଏକାଧିକ ଚାଷୀ ମିଶି ଚୁକ୍ତି କରିପାରିବେ। ଯୋଜନା କାର୍ଯ୍ୟକାରୀ ହେଲେ ବରଗଡ଼ ଜିଲାର ପଦ୍ମପୁର, ଗାଇସିଲେଟ, ବିଜେପୁର, ଭଟଲି, ଅମ୍ବାଭୋନା, ଝାରବନ୍ଧ ଓ ପାଇକମାଲ ଅଞ୍ଚଳର ଚାଷୀଙ୍କ ପାଇଁ ଏହା ବରଦାନ ସଦୃଶ ହେବ। ଜଣେ ଚାଷୀ ନିଜର ୧୦ ଏକର ପରିମିତ ଜମିରେ ଆଗାମୀ ୨୫ ବର୍ଷ ପାଇଁ ସୌର ପ୍ୟାନେଲ ସ୍ଥାପନ ପାଇଁ ରାଜି ହେଲେ ବାର୍ଷିକ ୨ ଲକ୍ଷ ଟଙ୍କା ହାରରେ ୫୦ ଲକ୍ଷ ଟଙ୍କା ପାଇବେ ଓ ପ୍ୟାନେଲ ତଳେ ଛତୁ ଓ ଅନ୍ୟ ପରିବା ଚାଷ କରି ଲାଭାନ୍ବିତ ହୋଇପାରିବେ। ଏହି ସୌରପ୍ୟାନେଲ ଜମିଠାରୁ ୮ ଫୁଟ ଉଚ୍ଚରେ ଉପରମୁହାଁ ହୋଇ ବସୁଥିବାରୁ ଚାଷ ବାଧାପ୍ରାପ୍ତ ହେବ ନାହିଁ। ଓଡ଼ିଶାରେ ଏହା ଏ ଧରଣର ପ୍ରଥମ ଯୋଜନା ବୋଲି କୁହାଯାଉଛି। ଏହା କାର୍ଯ୍ୟକାରୀ ହେଲେ ପଶ୍ଚିମ ଓଡ଼ିଶାର ଅଣସେଚିତ ଅଞ୍ଚଳର ଚାଷୀ ଏହାଦ୍ବାରା ବିଶେଷ ଉପକୃତ ହେବା ଆଶା କରାଯାଉଛି।

Comments are closed.