ପୁଣି ୨ ଲଘୁଚାପ, ୨୦ ଯାଏ ବର୍ଷା

ଭୁବନେଶ୍ୱର: ଚଳିତ ମାସର ପ୍ରଥମ ଲଘୁଚାପ ଏବେ ଅବପାତର ରୂପ ନେଇ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିବା ସତ୍ତ୍ବେ ରାଜ୍ୟ ସାରା ତୁହାକୁ ତୁହା ବର୍ଷା ଅବ୍ୟାହତ ରହିଛି। ଏବେ ପୁଣି ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଫଳରେ ଆସନ୍ତା ୨୦ ତାରିଖ ଯାଏଁ ବର୍ଷାରୁ ନିସ୍ତାର ମିଳିବନି। ସପ୍ତାହକରେ ସମ୍ଭାବ୍ୟ ଆଉ ଦୁଇଟି ଲଘୁଚାପ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଣିବା ଆଶଙ୍କା ବଢିଛି। ଗୋଟିଏ ଆସନ୍ତା ୧୩ ଓ ଅନ୍ୟଟି ୧୭ରେ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ଦ୍ବାରା ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ୧୪ ଓ ୧୭ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ।

ଚଳିତ ମାସର ପ୍ରଥମ ଲଘୁଚାପରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଯୋଗୁଁ ବର୍ଷା ବିତ୍ପାତ ପରିସ୍ଥିତି ଉପୁଜିଥିଲା। ଜଳମଗ୍ନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି କି ନାହିଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଉ ଦୁଇ ସମ୍ଭାବ୍ୟ ଲଘୁଚାପ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଭୁବନେଶ୍ବର ଓ କଟକ ସହର ସମେତ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବର୍ଷା ପରିମାଣ ବୃଦ୍ଧି ପାଇବ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୭ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ଛତିଶଗଡ ଦେଇ ଗୁଜରାଟ ଓ ରାଜସ୍ଥାନ ମୁହଁାଇବ। ଉଭୟ ଲଘୁଚାପ ଦ୍ବାରା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ।
ମୌସୁମୀ ନିମ୍ନଚାପ ରେଖା ଆଜି ସୌରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଆରବସାଗର ଉପରେ ଲଘୁଚାପ କ୍ଷେତ୍ରରୁ ବାହାରି ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, ଖୋର୍ଦ୍ଧା ଏବଂ କଟକ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ଯାଜପୁରରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୩ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗୁରୁବାର ହୀରାକୁଦରେ ୪୬.୪ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଯାଜପୁର, ବରଗଡ, ଦେବଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ବାରିପଦା, ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ତୁହାକୁ ମଧ୍ୟମରୁ ଝିପିଝିପି ବର୍ଷା ଲାଗି ରହିଥିଲା।

ପାଣିପାଗ କେନ୍ଦ୍ରର ବୁଲେଟିନ୍‌ ଅନୁଯାୟୀ, ୧୩ ବେଳକୁ ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ପଶ୍ଚି-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବ ୧୩ ଏବଂ ୧୪ ତାରିଖରେ ସର୍ବାଧିକ ପ୍ରଭାବ ରହିବ। କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବ ସହ ସହରାଞ୍ଚଳରେ ଜଳମଗ୍ନ ଓ ଟ୍ରାଫିକ ଭିଡ ପରିସ୍ଥିତି ଉପୁଜିପାରେ। ୧୩ରୁ ୧୫ ଅଗଷ୍ଟ ଯାଏଁ ଝଡବର୍ଷା ସହ ଓଡିଶା ଉପକୂଳ ସମୁଦ୍ରରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫କିମି ବହିବ। ସ୍ଥଳ ବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୫ କିମି ରହିପାରେ। ସମୁଦ୍ର ଅଶାନ୍ତ ରହିବା ହେତୁ ୧୩ରୁ ୧୫ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରିଛି ପାଣିପାଗ ବିଭାଗ।

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ୍ଧ ଏବଂ କନ୍ଧମାଳରେ ୨୬୦ ମିମିରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୬୫ ମିମିରୁ ଅଧିକ ବର୍ଷା ହୋଇପାରେ। ମୟୂରଭଞ୍ଜ, ସୁନ୍ଦରଗଡ ଝାରସୁଗୁଡା ଜିଲାରେ ୧୦୦ ମିମିରୁ ଅଧିକ ବର୍ଷା ରହିବ। ଉପକୂଳରେ ୧୨ରୁ ୧୪ ଓ ୧୭ରୁ ୧୯ ତାରିଖ ଯାଏଁ ବର୍ଷା ହେବ। ୧୪ ଓ ୧୭ରେ ଆଭ୍ୟନ୍ତରୀଣ, ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ଅଞ୍ଚଳ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ରୁ ୧୫ ଓ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ। ମହାନଦୀ ସହ ଏହାର ସମସ୍ତ ଉପନଦୀ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢିବାର ସମ୍ଭାବନା ରହିଛି।

Comments are closed.