ବଢୁଛି ତାତି, ଭୁବନେଶ୍ବର ଓ ବାରିପଦାରେ ପାରଦ ୪୦ ଡିଗ୍ରୀ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବ ସତ୍ତ୍ବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବର, ବାରିପଦା, କଟକ, ନୟାଗଡ, ବୌଦ୍ଧ, ଅନୁଗୋଳ ଏବଂ ମାଲକାନଗିରିରେ ଦିନ ତାପାମତ୍ରା ବୃଦ୍ଧି ପାଇଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଭୁବନେଶ୍ବର ଏବଂ ବାରିପଦାରେ ୪୦ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଉଭୟ ସହର ରାଜ୍ୟର ଉତ୍ତପ୍ତ ପାଲଟିଛି। ୩୯ ଡିଗ୍ରୀ ଉପରେ ୫ ସହର ତାପମାତ୍ରା ଛୁଇଁଥିବା ବେଳେ ୩୮ ଡିଗ୍ରୀରେ ପହଞ୍ଚିଛି ୪ ସହରର ଦିନ ତାପମାତ୍ରା। ଗତକାଲି ଅପେକ୍ଷା ରବିବାର ପ୍ରାୟ ଅଞ୍ଚଳରେ ତାତି ବଢ଼ିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିବ। ଅର୍ଥାତ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ିବ। ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ୩ଦିନ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବ।

ଆଜି କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ମୟୂରଭଞ୍ଜ। ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ ଏବଂ ବୌଦ୍ଧ ଜିଲାର କିଛି ସ୍ଥାନରେ ବଜ୍ରପାତ,ବର୍ଷା ହୋଇପାରେ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ନିର୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ବଢିପାରେ; ଭୁବନେଶ୍ବରରେ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ମଧ୍ୟରେ ରହିବ। କାଳବୈଶାଖୀ ପ୍ରଭାବରେ ପ୍ରାୟ ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ନାହିଁ। ପୂର୍ବାନୁମାନ କରାଯାଇଥିବା ଜିଲା ମଧ୍ୟରୁ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇପାରେ।

Comments are closed.