୪୦.୪ ଡିଗ୍ରୀ ଛୁଇଁଲା ରାଜଧାନୀ, ପୁଣି ଦେଶର ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଗତକିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଦେଶର ଉତ୍ତପ୍ତ ହୋଇପଡିଛି। ଶନିବାର ସହରର ଦିନ ତାପମାତ୍ରା ୪୦.୪ ଡିଗ୍ରୀ ଛୁଇଁଛି। ଆଗକୁ ଆହୁରି ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଗତକାଲି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇ ଥିଲା; କିନ୍ତୁ ୧.୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଦେଶ ତଥା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ୟ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ସମୟରେ ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୪ଡିଗ୍ରୀ ଅଧିକ ରହିବ।

ଭୁବନେଶ୍ବର, ତାଳଚେର ଏବଂ ମାଲକାନଗିରିକୁ ଛାଡିଦେଲେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଅନୁଗୋଳ ୩୯.୧ ଡିଗ୍ରୀ ତାପମାତ୍ରା ଥାଇ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିଲା; କିନ୍ତୁ ଶନିବାର ୩୭.୭ ଡିଗ୍ରୀକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର ବିଶ୍ବାସ ଆକଳନ କରିଛନ୍ତି ଯେ ଆଗକୁ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ଭିତରେ ରହିବ। ଅନ୍ୟାନ୍ୟ ସ୍ଥାନ ଗୁଡିକରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୬ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୩.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୪ରୁ ୨୬ ଡିଗ୍ରୀ ମଧ୍ୟରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.