ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା

- ୧୪ ଓ ୨୧ରେ ଆଉ ଦୁଇଟି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଲଘୁଚାପ ପ୍ରଥମେ ଅବପାତ ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବ। ତୀବ୍ର ଅବପାତ ରୂପରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଗତି କରି ଆସନ୍ତା ୧୨ତାରିଖ ପୂର୍ବାହ୍ନ କିମ୍ବା ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗିରହିବ।

ଏହା ବ୍ୟତୀତ ଆସନ୍ତା ୧୪ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି। ପଛକୁ ପଛ ଆସନ୍ତା ୨୧ରେ ପୁନର୍ବାର ଏକ ଲଘୁଚାପର ସମ୍ଭାବନା ଥିବା ବିଭିନ୍ନ ମଡ଼େଲ ଆଧାରରେ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଏବେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଆଦି ୭ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆସନ୍ତା ୧୨ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟ ଆଦି ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ରିପୋର୍ଟରୁ ସୂଚନା ମିଳିଛି।

ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ୧୧ ଓ ୧୨ରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସ୍ଥଳବିଶେଷରେ ପବନର ଘଣ୍ଟା ପ୍ରତି ବେଗ ୬୫କିମିକୁ ବୃଦ୍ଧି ପାଇପାରେ। ଏଥିଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ଆସନ୍ତା ୧୧ରୁ ୧୩ ପର୍ୟ୍ୟନ୍ତ ଗଭୀର ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ କିଛି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନକୁ ସଜାଗ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ମଡ଼େଲ ଆଧାରରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ବଙ୍ଗୋପସାଗରରେ ଆସନ୍ତା ୧୩ ଓ ୨୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ପରି ପ୍ରାୟ ସେହି ମିଆଁମାର ଉପକୂଳ ଉତ୍ତର ଆଣ୍ଡାମାନ ସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହୋଇ ଆନ୍ଧ୍ର-ଓଡ଼ିଶା ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ତାରିଖ ପର୍ୟ୍ୟନ୍ତ ଊଣାଅଧିକେ ବର୍ଷା ଲାଗିରହିବ। ଦକ୍ଷିଣ ଓ ଉପକୂଳ ଜିଲାଗୁଡ଼ିକରେ ଅଧିକ ବର୍ଷା ହେବ।

ଆସନ୍ତା ୧୩ ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ସହିତ ୨୧ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବି ଅଧିକ ବର୍ଷା ହୋଇପାରେ। ସେ ଆହୁରି ଆକଳନ କରିଛନ୍ତି ଯେ ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆସନ୍ତା ୧୨ରେ ଅବପାତ ରୂପରେ ବିଶାଖାପାଟଣା ନିକଟବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବ। ଏହା ୧୪ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଅନ୍ୟପକ୍ଷରେ ଆସନ୍ତା ୧୨ରେ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ, ୧୫ରେ ଅବପାତ, ୧୬ରେ ଗଭୀର ଅବପାତ ଓ ୧୮ରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ। ସେହିପରି ୨୧ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୨୩ରୁ ରାଜ୍ୟରେ ବର୍ଷା ହେବ। ମୋଟାମୋଟି ଭାବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୨ରୁ ୧୪, ୧୭ରୁ ୧୯ ଓ ୨୩ରୁ ୨୫ ପର୍ୟ୍ୟନ୍ତ ଉପକୂଳରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି।

Comments are closed.