୧୮ରୁ ୨୦ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି, ଏହି ଘୂର୍ଣ୍ଣିବଳୟ ଆସନ୍ତା ୧୮ ତାରିଖ ବେଳକୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ଏହାର ପ୍ରଭାବରେ ୧୮, ୧୯ ଏବଂ ୨୦ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ରାଜ୍ୟରେ ମୌସୁମି ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ୧୮ରେ ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ (ଚେତାବନୀ) ଜାରି କରାଯାଇଛି।

ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲାରେ ସର୍ବାଧିକ ୫୫.୧ମିମି, ବାଲେଶ୍ବରରେ ୩୫.୯ମିମି, ଢେଙ୍କାନାଳରେ ୩୪ ମିମି ଏବଂ ମୟୂରଭଞ୍ଜରେ ୨୭.୨ମିମି ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝର ଜିଲାର ଘସିପୁରା ବ୍ଲକରେ ସବୁଠୁ ଅଧିକ ବର୍ଷା ୧୯୦.୬ ମିମି ଏବଂ ଆନନ୍ଦପୁରରେ ୧୨୬ ମିମି ବର୍ଷା ହୋଇଛି। ୫୦ ମିମିରୁ ୧୦୦ ମିମି ମଧ୍ୟରେ ୧୩ ବ୍ଲକ ଏବଂ ୨୫ମିମିରୁ ୫୦ମିମି ମଧ୍ୟରେ ୩୨ ବ୍ଲକରେ ବର୍ଷା ହୋଇଛି। ମୌସୁମି ଜନିତ ବର୍ଷା ଜୁନ ପହିଲାରୁ ସେପ୍ଟେମ୍ବର ୧୬ ସୁଦ୍ଧା ୭ ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଥିବା ବେଳେ ୨୩ ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ରହିଛି। ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ଆଗୁଆ ସଚେତନ କରିବା ଏବଂ ପରିସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

Comments are closed.