ପଶ୍ଚିମ ଓଡ଼ିଶାର ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗକୁ ବ୍ୟାପିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଶୁକ୍ରବାର ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ବଲାଙ୍ଗିର ଏବଂ ନୂଆପଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି।

Comments are closed.