ଆଜିଠୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାରଠାରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏଥିଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏହାକୁ ଦେଖି ସ୍ୱତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।

ଭୂସ୍ଖଳନ ଆଶଙ୍କା ଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସଆରସି ନିର୍ଦେଶ ଦେଇଛନ୍ତି। ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ରହିଛି। ତେଣୁ ବିପଜ୍ଜନକ ନଦୀବନ୍ଧ ପ୍ରତି ନଜର ରଖବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସଆରସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି। ସହରାଂଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି। ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କରିବେ।

ଏହି ସମୟ ଭିତରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଆଗକୁ ରଜ ଉତ୍ସବ ଥିବାରୁ ବର୍ଷା ଓ କୋଭିଡ କଟକଣା ଯୋଗୁଁ ଏହା ଏଥର ମଧ୍ୟ ଫିକା ପଡ଼ିବ। ଲଘୁଚାପ ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବ। ଏହି ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାଛଡ଼ା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୋନପୁର ଓ ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ଜନିତ ପ୍ରଥମ ମୌସୁମି ବର୍ଷା ସରିବା ପରେ ଜୁନ ୧୮ରୁ ଦ୍ୱିତୀୟ ପର୍ଯ୍ୟାୟ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି। ପ୍ରଥମ ପର୍ଯ୍ୟାୟ ମୌସୁମି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା କରାଇବ। ଉତର ଉପକୂଳର କେନ୍ଦ୍ରାପଡ଼ା ଓ ଭଦ୍ରକର ସବୁଠାରୁ ଅଧିକ ବର୍ଷା ବେଳେ ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତବର୍ତୀ ଜିଲାରେ ସବୁଠାରୁ ଅଧିକ ବର୍ଷା ହେବ। ତେବେ ଜୁନ ୧୮ରୁ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ସାରା ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

Comments are closed.