କୋଭିଡ ଟିକାକରଣ ଅଭିଯାନ, ନଜରରେ ଯୁବବର୍ଗ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏବେ ନୂତନ ମୋଡ ନେଇଛି। ଟିକାର ଅଭାବକୁ ନେଇ ସରକାର ଏବେ ବିଭିନ୍ନ ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରୁଥିବା ବେଳେ ବିଶ୍ୱବଜାରରୁ ଟିକା କିଣିବା ପାଇଁ ଇ-ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟରେ ଦ୍ୱିତୀୟ ପାନ ଅପେକ୍ଷାରେ ଥିବା ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ବେଳେ ଏହାପରେ ୫ ମହାନଗର ନିଗମର ୧୫ ଲକ୍ଷ ଯୁବପିଢ଼ିଙ୍କୁ କିଭଳି ଟିକାକରଣ କରାଯିବ ସେନେଇ ସରକାର ଚିନ୍ତାରେ ପଡି ଯାଇଛନ୍ତି।

ସୂଚନା ଅନୁଯାୟୀ ୧୮ରୁ ୪୪ବର୍ଷ ବୟସ୍କ ମଧ୍ୟରେ କଟକରେ ୩ ଲକ୍ଷ ୧୦ ହଜାର ୨୩୨ ଜଣ ଯୁବବର୍ଗଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଛି। ତେବେ ଟିକାର ଅଭାବ ପାଇଁ ଏବେ ଜିଲାକୁ ମାତ୍ର ୩୨ ହଜାର ୮୦୦ ଟିକା ଅର୍ଥାତ୍‍ ୧୦.୬ ପ୍ରତିଶତ ଟିକା ଯାଇଛି। ସେହିପରି ବ୍ରହ୍ମପୁରରେ ୧ ଲକ୍ଷ ୭୧ ହଜାର ୪୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଥିବା ବେଳେ ୧୯ ହଜାର ଟିକା ପଠାଯାଇଛି। ରାଉରକେଲାରେ ୨ ଲକ୍ଷ ୫୮ ହଜାର ୨୯ ଜଣଙ୍କ ପାଇଁ ୨୭ ହଜାର ୩୦୦ ପାନ, ସମ୍ବଲପୁରରୁ ୧ ଲକ୍ଷ ୯୭ ହଜାର ୭୫୯ ଜଣଙ୍କ ପାଇଁ ୨୦ ହଜାର ୯୦୦ ପାନ ଦିଆଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ସର୍ବାଧିକ ୫ ଲକ୍ଷ ୧୭ ହଜାର ଯୁବପିଢ଼ିଙ୍କ ପାଇଁ ଦେଢ଼ ଲକ୍ଷ ଟିକା ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ଟିକାକରଣ ୬୩ ଲକ୍ଷ ୪୪ ହଜାର ୫୩୨କୁ ଛୁଇଁଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୪୩ ଲକ୍ଷ ୮୩ ହଜାର ୯୭ ଜଣ ହିତାଧିକାରୀ ପ୍ରଥମପାନ ଏବଂ ୮ ଲକ୍ଷ ୬୦ ହଜାର ୫୮୬ ଦ୍ୱିତୀୟ ପାନ ଦିଆଯାଇଥିବା ବେଳେ ୧୮ରୁ ୪୪ବର୍ଷ ବୟସ୍କ ମଧ୍ୟରେ ରାଜଧାନୀରେ ୫୦ ହଜାର ୪୮୬ ଜଣଙ୍କୁ ଟିକାକରଣ ହେଲାଣି। ଆଜି ୩୭୯ଟି ଟିକାକରଣ କେନ୍ଦ୍ରରେ ୧ଲକ୍ଷ ୩୨ହଜାର ୪୨୯ଜଣଙ୍କୁ ଟିକାକରଣ କରାଯାଇଛି। ସେଥିରେ ସର୍ବାଧିକ ୪୫ବର୍ଷରୁ ଊର୍ଦ୍ଧ୍ବ ଅପେକ୍ଷାରତ ୧ଲକ୍ଷ ୧୫ହଜାର ୨୬୪ଜଣ ଦ୍ୱିତୀୟ ପାନ ନେଇଛନ୍ତି। ଏହାବାଦ୍‍ ଅନ୍ୟାନ୍ୟ ବର୍ଗଙ୍କୁ ଟିକାକରଣ କରାଯାଇଛି।

Comments are closed.