କରୋନା ମାଡ଼: ସଙ୍କଟରେ ପର୍ଯ୍ୟଟନ

ଭୁବନେଶ୍ବର : କରୋନା ପର୍ଯ୍ୟଟନ କ୍ଷେତ୍ରକୁ ସବୁଠୁ ଅଧିକ ଉଜାଡ଼ିଛି। ଗତ ତିନି ମାସ କାଳ ପର୍ଯ୍ୟଟନ କ୍ଷେତ୍ର ଲକଡାଉନ ଭିତରେ ପ୍ରାୟ ରୁନ୍ଧି ହୋଇପଡ଼ିଛି। ରାଜ୍ୟର ହୋଟେଲ, ଆତିଥେୟତା କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଟୁର ଆଣ୍ଡ ଟ୍ରାଭେଲ୍ସ ଉପରେ ନିର୍ଭରଶୀଳ ଲୋକେ ହାତ ବାନ୍ଧି ବସିଛନ୍ତି। ଜୀବିକା ଉପରେ ପ୍ରଚଣ୍ଡ ପ୍ରଭାବ ପଡ଼ିଛି। ପାନ୍ଥନିବାସ ଓ ପାନ୍ଥିକାର ଆୟ ତୁଳନାରେ ବ୍ୟୟ ବଢ଼ିଚାଲିଛି। ଟୁର ଅପରେଟର, ଗାଇଡ଼୍ସ, ଫଟୋଗ୍ରାଫର, କ୍ୟାବ ଡ଼୍ରାଇଭର ଏବେ ଦୁର୍ଦିନରେ କାଳ କାଟୁଛନ୍ତି।

ଗତ ଦୁଇ ମାସ ଭିତରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରୁ ଆୟ ଶୂନ୍ୟରେ ପହଞ୍ଚିଛି। ପର୍ଯ୍ୟଟନ ନିଗମ ଅଧୀନରେ ଥିବା ପାନ୍ଥନିବାସଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ନାହିଁ। କୋଭିଡ଼ ୧୯ ପ୍ରଭାବରେ କେତେ କ୍ଷୟକ୍ଷତି ଘଟିଛି ଏବଂ ଏହାର କିପରି ପୁନରୁଦ୍ଧାର କରାଯିବ ସେଥିନେଇ ବିଭିନ୍ନ ହିତାଧିକାରୀଙ୍କ ସହିତ ରାଜ୍ୟ ପର୍ଯ୍ୟଟନ ବିଭାଗ ଆଲୋଚନା ଚଳାଇଛି।

ହିତାଧିକାରୀଙ୍କଠାରୁ ବକେୟା ସଂଗ୍ରହ ଅବଧି କୋହଳ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ବିଭିନ୍ନ କ୍ଷେତ୍ରକୁ କିପରି ଅଧିକ ପୁଞ୍ଜି ଦିଆଯାଇପାରିବ ସେ ସଂକ୍ରାନ୍ତରେ ଆର୍ଥିକ ସଂସ୍ଥାଗୁଡ଼ିକର ସହଯୋଗ ଲୋଡ଼ାଯାଇଛି। କିନ୍ତୁ ଏମଏସଏମଇ ପରିସରଭୁକ୍ତ ସଂସ୍ଥାଗୁଡ଼ିକୁ ଜାତୀୟକରଣ ବ୍ୟାଙ୍କ ସୁବିଧାସୁଯୋଗ ଯୋଗାଇବା ଆରମ୍ଭ କରିଥିବାବେଳେ ଘରୋଇ ବ୍ୟାଙ୍କଗୁଡ଼ିକ ଏ ଦିଗରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ମୋଟ ଉପରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରୁଥିବା ୫ରୁ ୭ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏଥିସହିତ ଯୋଡ଼ି ହୋଇ ରହିଥିବା ଆନୁଷଙ୍ଗିକ କ୍ଷେତ୍ର ବିଚାରକୁ ନେଲେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ହୋଟେଲ, ଟୁର ଆଣ୍ଡ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କଟକଣା କୋହଳ ଭିତରେ ପ୍ରାୟ ୩୦ ପ୍ରତିଶତ ହୋଟେଲ ଚଳାଇବା ପାଇଁ ସରକାର ଅନୁମତି ଦେଇଥିଲେ ହେଁ ବ୍ୟବସାୟ କା ଭାଁ ଚାଲିଛି।

ରାଜ୍ୟରେ ପ୍ରାୟ ଛୋଟ ବଡ଼ ମିଶି ୫୦୦୦ ​ହୋ​‌ଟେଲ ଥିବାବେଳେ ଭୁବନେଶ୍ବରରେ ୧୦୦୦ ଓ ପୁରୀରେ ପ୍ରାୟ ୭୦୦ରୁ ଅଧିକ ହୋ​‌ଟେଲ ରହିଛି। ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ସଭ୍ୟ ଦେବୁ ପଟ୍ଟନାୟକ କହିଛନ୍ତି ଯେ ଖରା ଛୁଟି ଓ ରଥଯାତ୍ରା ପାଇଁ ପୁରୀରେ ପ୍ରବଳ ଭିଡ଼ ହୋଇଥାଏ। ହୋଟେଲ, ରେଷ୍ଟୁରାଣ୍ଟ, ଟୁର ଆଣ୍ଡ ଟ୍ରାଭେଲ୍ସ ସମେତ ଆନୁଷଙ୍ଗିକ କ୍ଷେତ୍ରରୁ ଯେଉଁ ରୋଜଗାର ହୋଇଥାଏ ତାହା ଗତବର୍ଷ ଫଣି ମାଡ଼ରେ ପ୍ରଭାବିତ ହୋଇଥିବାବେଳେ ଚଳିତ ବର୍ଷ କୋଭିଡ଼ ପାଇଁ ବନ୍ଦ ହୋଇଯାଇଛି। ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ପୁନରୁଦ୍ଧାର ପାଇଁ କୌଣସି ପ୍ୟାକେଜ ଘୋଷଣା ହୋଇନାହିଁ। ଗତ ୩ମାସରେ ହୋଟେଲ ଶିଳ୍ପରେ ୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି।

ପୁରୀ ରଥଯାତ୍ରା ସମୟରେ ଟୁର ଓ ଟ୍ରାଭେଲ୍ସ ସଂସ୍ଥା ଭଲ ବ୍ୟବସାୟ କରିଥାନ୍ତି। କିନ୍ତୁ ଏ ବର୍ଷ ସବୁ କିଛି ହାତଛଡ଼ା ହୋଇଯାଇଛି। ପ୍ରାୟ ୫୦୦ରୁ ଅଧିକ ଏଜେଣ୍ଟ ଏଥିରେ କାମ କରୁଥିବାବେଳେ ବେସରକାରୀ ଭାବେ ୧୦ ହଜାରରୁ ଅଧିକ ଗାଡ଼ି ଚଳାଚଳ ପ୍ରାୟ ବନ୍ଦ ରହିଛି। ଏସବୁ ସଂସ୍ଥା ଉପରେ ନିର୍ଭରଶୀଳ ପରିବାରର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡ଼ିଛି। ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ସମ୍ପାଦକ ଆଲୋକ ମହାରଣା କହିଛନ୍ତି ଯେ ଟୁର ଓ ଟ୍ରାଭେଲ ବ୍ୟବସାୟ ତିନି ମାସ ଭିତରେ ପ୍ରାୟ ୯୮ପ୍ରତିଶତ ପ୍ରଭାବିତ ହୋଇଛି। ଏ କ୍ଷେତ୍ର ଉପରେ ନିର୍ଭର କରୁଥିବା ଲୋକେ ଉପାର୍ଜନ ହରାଇଥିବାରୁ ସେମାନଙ୍କ ପାଇଁ ଗୁଜୁରାଣ ମେଣ୍ଟାଇବା ଏବେ କଷ୍ଟକର। ରାଜ୍ୟ ସରକାରଙ୍କ ପକ୍ଷରୁ ପରିସ୍ଥିତି ସୁଧାରିବା ପାଇଁ ବି​‌ଶେଷ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପରିବହନ କ୍ଷେତ୍ରରେ ଟିକସ ଛାଡ଼ ପାଇଁ ଆମର ଦାବି ଉପରେ ସରକାର କିଛି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି।

ଟୁର ଅପରେଟର ଯୁଗବ୍ରତ କର କହିଛନ୍ତି ଯେ କୋଭିଡ଼ ପାଇଁ ଲକଡାଉନ ଓ ସଟଡାଉନ ଭିତରେ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ‌ଭିତରେ ଯେଉଁ ମାନସିକ ଭୟ ସୃଷ୍ଟି ହୋଇଛି ତାହା ଦୂର ହେବାକୁ ସମୟ ଲାଗିବ। ବିଶେଷ କରି ପୁରୀରେ ୩ହଜାରରୁ ଅଧିକ ଟ୍ୟାକ୍ସି ଅପରେଟର, ୫ହଜାର ଅଟୋରିକ୍ସା, ୪୦ରୁ ଊର୍ଦ୍ଧ୍ବ ଟୁରିଷ୍ଟ ଅପରେଟର, ୨୦୦୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ଦୁର୍ଦଶା ଭିତରେ କାଳ କାଟୁଛନ୍ତି। ରଥଯାତ୍ରା ସମୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭର କରୁଥିବା ଲୋକେ ଭଲ ବ୍ୟବସାୟ କରୁଥିବାବେଳେ ସେମାନେ ଏବେ ନିରାଶ ହୋଇଛନ୍ତି।

ତେବେ ଏ ସଂକ୍ରାନ୍ତରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ କହିଛନ୍ତି ଯେ ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବା ପାଇଁ ଯୋଜନା କରାଯାଉଛି। ଏଥିପାଇଁ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସୁଥିବା ଅନ୍ୟ ରାଜ୍ୟ ଓ ମହାନଗରଗୁଡ଼ିକରେ ରୋଡ଼ ଶୋ’ ଏବଂ ଖାଦ୍ୟ ମେଳା(ଫୁଡ଼ ଫେଷ୍ଟିଭାଲ) ଆୟୋଜନ କରାଯିବ।

ବି​‌ଶେଷ କରି ବିଶାଖାପାଟଣା, ରାୟପୁର, ବିଳାସପୁର, ଦୁର୍ଗ-ଭିଲାଇ, କଲକାତା, ଖଡ଼ଗପୁର, ରାଞ୍ଚି, ବୋକାରୋ ଏବଂ ଜାମସେଦପୁର ଆଦି ଓଡ଼ିଶା ପାର୍ଶ୍ବବତ୍ତୀ ଅଞ୍ଚଳର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ହେଉଛି। ଚଳିତ ବର୍ଷ ଭିତରେ କୋଣାର୍କର ଚନ୍ଦ୍ରଭାଗା, ପଶ୍ଚିମ ଓଡ଼ିଶାର ଦେବ୍ରିଗଡ଼, ଦାରିଙ୍ଗବାଡ଼ି ଏବଂ ସାତକୋଶିଆ ଆଦି ୪ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସମୁଦ୍ର କୂଳରେ ଯେଭଳି ଇକୋ ରିଟ୍ରିଟ ହୋଇଥିଲା ଅନୁରୂପ ଇକୋ ରିଟ୍ରିଟ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ସହିତ ଆଲୋଚନା ପରେ ଏ ସଂକ୍ରାନ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି। ଖୁବ୍ ଶୀଘ୍ର ଏ ଦିଗ​‌େ​‌ର ପଦ​‌େ​‌କ୍ଷପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.