ଜିଏସଟି ଆଦାୟରେ ଓଡ଼ିଶା ଆଗରେ ; ୭ମାସରେ ୮୬୮୩କୋଟି

କଟକ  : ଓଡ଼ିଶା ରାଜ୍ୟ ଦ୍ରବ୍ୟ ଓ ସେବାକର(ଜିଏସଟି) ଏବଂ କେନ୍ଦ୍ରୀୟ ଜିଏସଟି ଆଦାୟ କରିବାରେ ଅନ୍ୟ ରାଜ୍ୟମାନଙ୍କଠାରୁ ଓଡ଼ିଶା ଆଗରେ ରହିଛି। ୨୦୧୯ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ୭ମାସରେ ୮୬୮୩.୮୩କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ଜଣାପଡିଛି। ଜିଏସଟି ସହିତ ଓଡ଼ିଶାର ଅଭିବୃଦ୍ଧି ହାର ମଧ୍ୟ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଯଥେଷ୍ଟ ଆଗରେ ରହିଛି। ଓଡ଼ିଶାର ଅଭିବୃଦ୍ଧି ୩୦.୦୮ପ୍ରତିଶତ ରହିଥିବାେବେଳ ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡିକର ଅଭିବୃଦ୍ଧି ୧୧.୫୩ପ୍ରତିଶତ ରହିଛି। ନଭେମ୍ବରରେ ମଧ୍ୟ ରାଜ୍ୟ ଜିଏସଟି ଅନ୍ତର୍ଗତ ରାଜସ୍ୱ ପୂର୍ବବର୍ଷ ତୁଳନାରେ ୩୮ପ୍ରତିଶତ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦୧୮ ଅକ୍ଟୋବର ସୁଦ୍ଧା ୬୫.୩୧ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଥିବାବେଳେ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୮୩.୫୦ ଟିକସ ଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି। ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଚଳିତବର୍ଷ ନଭେମ୍ବରରେ ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୧୦ହଜାରରୁ ଅଧିକ ନୋଟିସ ଜାରି କରାଯାଇଛି। ୨୦୨୦ ମାର୍ଚ୍ଚ ୩୧ସୁଦ୍ଧା ସୁମସ୍ତ ନୂତନ ମାମଲାରେ ଶତ ପ୍ରତିଶତ ପଞ୍ଜୀକରଣ ପରବର୍ତ୍ତୀ ଅନୁସନ୍ଧାନ ପ୍ରକ୍ରିୟା ଏବଂ ଟିକସଦାତାଙ୍କ କ୍ଷେତ୍ରରେ ସର୍ବନିମ୍ନ ୫୦ପ୍ରତିଶତ ଅନୁସନ୍ଧାନ ପ୍ରକ୍ରିୟା ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ସୁଶୀଲକୁମାର ଲୋହାନୀ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ନିର୍ଦେଶ ଦେଇଛନ୍ତି।

Comments are closed.