ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପାଇଁ ପ୍ରତିଷ୍ଠା ହେଵ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ୱର: ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହି ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଶୁଣାଣି କରାଯିବ। ଅନ୍ୟ ୨୪ଟି କୋର୍ଟରେ ପୋକସୋ ମାମଲାର ଶୁଣାଣି ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ଓ ନାବାଳିକାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ନିର୍ଯ୍ୟାତନା ଜନିତ ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସେ ଏହି ଘୋଷଣା କରିଛନ୍ତି।

୨୪ଟି ପୋକସୋ କୋର୍ଟର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ବେଳେ ସେଗୁଡିକ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ୨୧ଟି ସ୍ୱତନ୍ତ୍ର ମହିଳା କୋର୍ଟର ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଉଛି ଏବଂ କିଛି ଦିନ ମଧ୍ୟରେ ତାହା କ୍ରିୟାଶୀଳ ହେଵ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସୂଚନା ଯୋଗ୍ୟ, ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅତ୍ୟାଚାରର ତ୍ୱରିତ ବିଚାର ପାଇଁ ଉତ୍ତରପ୍ରଦେଶ ସରକାର ୨୧୮ଟି ନୂଆ ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା ବିଷୟ ଘୋଷଣା କରିବା ପରେ ଆଜି ଓଡିଶା ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Comments
Loading...