ରାଜ୍ୟର ସବୁ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପାଇଁ ଚେଷ୍ଟା କରୁଛନ୍ତି ସରକାର – ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଓଡ଼ିଶା ସ୍ୱଳ୍ପ ସଂଚୟ ନିର୍ଦେଶାଳୟ ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌ ସିରିଜ୍‌’ ଉଠାଣ ଜୟଦେବ ଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଂଚୟର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯେପରି ବ୍ୟାଙ୍କିଂ ସେବା ପହଞ୍ଚିପାରିବ ସେଥିପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଏବଂ ସ୍ୱଳ୍ପ ସଂଚୟ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଂଚୟର ବାର୍ତ୍ତା ଯେଭଳି ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶେଷ ଭାବେ ଲାଭବାନ ହୋଇପାରିବେ ସେଥିପାଇଁ ଗୁରୁତ୍ୱ ଆରୋପ କରିଥିଲେ। ବିଚାରପତି ପ୍ରତାପ କୁମାର ପାତ୍ର, ପ୍ରଫେସର ଡ. ହୃଷିକେଶ ମହାନ୍ତି ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥସେବା ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ କାନୁନଗୋକୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉଠାଣରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମ ପରିଶେଷରେ ଅର୍ଥ ବିଭାଗର ଉପଶାସନ ସଚିବ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.