ବିହନ ବିକ୍ରିରେ ଓଟିପି କଣ୍ଟା; ୪୦ ହଜାର କ୍ବିଣ୍ଟାଲ କମ୍‌ ବିକ୍ରି

ଗତ ଥର ନିଗମର କ୍ଷତି ୭ କୋଟି, ଏ ବର୍ଷ ବିକ୍ରୟ ଲକ୍ଷ୍ୟ ୧ ଲକ୍ଷ କ୍ବିଣ୍ଟାଲ କମ୍‌ ,ଡିବିଟିରେ ସ୍ବଚ୍ଛତା ଆସୁଛି: କୃଷି ବିଭାଗ

ଭୁବନେଶ୍ୱର : ପ୍ରାକୃତିକ ବିତ୍ପାତ ସହୁଛି ଚାଷୀ, ଏଣେ ସରକାରଙ୍କ ନୂଆ ନୂଆ ପ୍ରୟୋଗ ଚାଷୀଙ୍କ ଦୁର୍ଦ୍ଦଶା ପାଲଟିଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଏଥର ସଅଳ ଓଡ଼ିଶାରେ ପ୍ରବେଶ କରିବ। ଏହା ପ୍ରଭାବରେ ଜୁନ ଦ୍ୱିତୀୟ ସପ୍ତାହ ଶେଷକୁ ମୌସୁମି ଜନିତ ବର୍ଷା ହୋଇପାରେ। ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଜୋରସୋରରେ ଚାଲିବ। ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ଉନ୍ନତ ବିହନ ଯୋଗାଣ ପାଇଁ ରାଜ୍ୟ ବିହନ ନିଗମ ଅକ୍ଷୟ ତୃତୀୟାରୁ ପଞ୍ଜିକୃତ ଚାଷୀଙ୍କୁ ପ୍ରାମାଣିକ ବିହନ ବିକ୍ରି କରିଥାଏ; କିନ୍ତୁ ଦେଖିବାକୁ ମିଳିଛି, ଗତବର୍ଷ ତୁଳନାରେ ଏ ବର୍ଷ ମେ ୨୪ ସୁଦ୍ଧା ନିଗମ ଯେତିକି ପରିମାଣର ପ୍ରାମାଣିକ ବିହନ ବିକ୍ରି କରିବା କଥା ତାହା ହୋଇପାରିନାହିଁ। ତେବେ ବିହନ ବିକ୍ରି ନହେବାର ପ୍ରମୁଖ କାରଣ ହେଉଛି ରାଜ୍ୟ ସରକାର ଲାଗୁ କରିଥିବା ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ବ୍ୟବସ୍ଥା। ଏହି ବ୍ୟବସ୍ଥା ଯୋଗୁଁ ବିହନ ବିକ୍ରିରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ପଞ୍ଜିକୃତ ଚାଷୀ ବିହନ କିଣିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲାସ୍ତରରେ ଲକ୍ଷ୍ୟଧାର୍ଯ୍ୟ ବିହନ ବିକ୍ରି ହୋଇପାରୁ ନାହିଁ। ଓଟିପି ବ୍ୟବସ୍ଥାକୁ ନେଇ କୃଷି ବିଭାଗ ଓ ବିହନ ନିଗମ ଉପରେ ଅସନ୍ତୋଷବ୍ୟକ୍ତ କରିଛନ୍ତି ସମସ୍ତ ଜିଲା କୃଷି ଅଧିକାରୀ। ସରକାର ଲାଗୁ କରିଥିବା ଓଟିପି ବ୍ୟବସ୍ଥା ନ ହଟାଇଲେ ନିଗମ ଲକ୍ଷ୍ୟଧାର୍ଯ୍ୟ ବିହନ ବିକ୍ରି କରିପାରିବନାହିଁ। ଫଳରେ ନିଗମକୁ କ୍ଷତି ସହିବାକୁ ପଡିବ ବୋଲି କୁହାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ୪ ଲକ୍ଷ କ୍ବିଣ୍ଟାଲ ପ୍ରାମାଣିକ ବିହନ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି; କିନ୍ତୁ ମେ ୨ରୁ ୨୪ ତାରିଖ ସୁଦ୍ଧା ମାତ୍ର ୫୪ ହଜାର କ୍ବିଣ୍ଟାଲ ବିହନ ବିକ୍ରି କରିଛି। ଗତବର୍ଷ କରୋନା କଟକଣା ସତ୍ତ୍ବେ ନିଗମ ମେ ୨ରୁ ୨୪ ତାରିଖ ସୁଦ୍ଧା ୯୪ ହଜାର କ୍ବିଣ୍ଟାଲ ବିହନ ବିକ୍ରି କରିଥିଲା। ଏବର୍ଷ କରୋନା କଟକଣା ନଥାଇ ଗତବର୍ଷ ଅପେକ୍ଷା ୪୦ ହଜାର କ୍ବିଣ୍ଟାଲ କମ୍‌ ବିହନ ବିକ୍ରି କରିବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ୨୦୨୧-୨୨ରେ ନିଗମ ମୋଟ ୫ ଲକ୍ଷ କ୍ବିଣ୍ଟାଲ ବିହନ ବିକ୍ରି ଲକ୍ଷ୍ୟଧାର୍ଯ୍ୟ ରଖିଥିଲା। ଅବଧି ଶେଷ ସୁଦ୍ଧା ୪.୩୦ ଲକ୍ଷ କୁଇଣ୍ଟାଲ ବିହନ ବିକିଥିଲା। ୭୦ ହଜାର କୁଇଣ୍ଟାଲ ବିହନ ବିକ୍ରି ହୋଇପାରିଲା ନାହିଁ। କାରଣ କରୋନା କଟକଣା, ଅନେକ ଦୋକାନ ନ ଖୋଲିବା ଏବଂ ପାଗରେ ପରିବର୍ତ୍ତନକୁ ଦାୟୀ କରିଛି ନିଗମ। ଏଥିପାଇଁ ନିଗମ ପ୍ରାୟ ୭ କୋଟି ଟଙ୍କା କ୍ଷତି ସହିଛି। ଗତବର୍ଷର କ୍ଷତିକୁ ଦେଖି ଚଳିତ ବର୍ଷ ବିହନ ନିଗମ ୫ ଲକ୍ଷ କ୍ବିଣ୍ଟାଲ ପରିବର୍ତ୍ତେ ୪ ଲକ୍ଷ କ୍ବିଣ୍ଟାଲ ବିହନ ବିକ୍ରି ଲାଗି ଲକ୍ଷ୍ୟ ରଖିଛି। ସରକାର ଚଳିତ ବର୍ଷ ଓଟିପି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାରୁ ବିହନ ବିକ୍ରି ଆଶାନୁରୂପକ ହୋଇପାରୁନାହିଁ। ଯଦି ବିହନ ବଳିପଡ଼ିଲା ତେବେ ନିଗମ ଗତବର୍ଷ ପରି ଏବର୍ଷ ବି କୋଟି କୋଟି ଟଙ୍କା କ୍ଷତି ସହିବା ଆଶଙ୍କା ବଢିଛି। ଏବର୍ଷ ବିହନ ବିକ୍ରିରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଓଟିପି ବ୍ୟବସ୍ଥା ଲାଗୁ କରିଥିବା କହୁଥିଲେ ମଧ୍ୟ ଏହା ଜଟିଳ ପ୍ରକ୍ରିୟା ବୋଲି ଚାଷୀ ମହଲରୁ ଅଭିଯୋଗ ହୋଇଛି। ବ୍ୟବସ୍ଥା ଅନୁଯାୟୀ, ପ୍ରଥମେ ଚାଷୀ ସ୍ମାର୍ଟ ମୋବାଇଲ, ଆଧାର କାର୍ଡ ଏବଂ ଚାଷୀ ପ୍ରମାଣପତ୍ର କାର୍ଡ ନେଇ ଡିଲର, ପାକ୍ସ, ଲାମ୍ପ୍ସ ଏବଂ ଏସଏଚଜିଙ୍କ ପାଖକୁ ଯିବ। କେତେ ବିହନ କିଣିବ ସେ ସଂକ୍ରାନ୍ତରେ ଡିଲରଙ୍କୁ କହିବା ପରେ ଡିଲର ଚାଷୀର ମୋବାଇଲ ନମ୍ବର ଏବଂ ପ୍ରମାଣପତ୍ର ନମ୍ବର ଦେଇ ୱେବ୍‌ସାଇଟରେ ପଞ୍ଜୀକରଣ କରିବ। ପରବର୍ତ୍ତୀ ସମୟରେ ଚାଷୀ ବିହନ ମୂଲ୍ୟ ୩,୫୦୭ ଟଙ୍କା ଦେଇ କିଣିବ। କିଣିବାର ୪ ଦିନ ପରେ ଚାଷୀ ମୋବାଇଲକୁ ମେସେଜରେ ଓଟିପି ସଂଖ୍ୟା ଆସିବ। ପୁଣି ଚାଷୀ ସେହି ମୋବାଇଲ ନେଇ ଡିଲରକୁ ଓଟିପି ଦେବ। ଡିଲର ଓଟିପିକୁ ପୁଣି ୱେବସାଇଟରେ ଅପଡେଟ କରି କୃଷି ବିଭାଗକୁ ପଠାଇବ। ବିଭାଗ ଡିଲର ପାଖରୁ ଓଟିପି ପାଇବା ପରେ ନିଗମକୁ ମେସେଜ ପଠାଇ ଯାଞ୍ଚ କରିବାକୁ କହିବ। ନିଗମ କର୍ମଚାରୀ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବା ପରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ରିଆତି ଟଙ୍କା ଆସିବ। ସମସ୍ୟା ହେଉଛି ସମସ୍ତ ଚାଷୀଙ୍କ ପାଖରେ ସ୍ମାର୍ଟ ମୋବାଇଲ ଫୋନ ଏବଂ ଗ୍ରାମାଞ୍ଚଳର ସମସ୍ତ ସ୍ଥାନରେ ଇଣ୍ଟରନେଟ ସେବା ନାହିଁ। ଚାଷୀଙ୍କୁ ବାରମ୍ବାର ଡିଲର ପାଖକୁ ଦୌଡିବାକୁ ପଡୁଛି। ୧୦ ବର୍ଷରୁ କମ୍‌ ସମୟ ବିହନରେ କେନ୍ଦ୍ର ସରକାର ଚାଷୀଙ୍କୁ ୧୪୫୭ ଟଙ୍କା ରିଆତି ଦେଉଥିବା ବେଳେ ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ବିହନରେ ରାଜ୍ୟ ସରକାର ଚାଷୀଙ୍କୁ ୧୧୨୭ ଟଙ୍କା ରିଆତି ଦେଉଛନ୍ତି। ଏହି ଜଟିଳ ପ୍ରକ୍ରିୟା ହେତୁ ବିହନ କମ ବିକ୍ରି ହେଉଥିବା ଅଭିଯୋଗ ହେବାରୁ ଓଟିପି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ନିଗମର ପରିଷଦ ବୈଠକରେ ଦାବି ହୋଇଛି। ରାଜ୍ୟ ସରକାର ଓଟିପି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବେ କି କାର୍ଯ୍ୟକାରୀ କରିବେ ସେ ସମ୍ବନ୍ଧରେ ପ୍ରଶାସନିକସ୍ତରରେ ବିଚାରବିମର୍ଶ ଚାଲିଥିବା କୁହାଯାଉଛି। ୨୦୧୬ ପୂର୍ବରୁ ଚାଷୀ ସିଧାସଳଖ ରିଆତି ପାଇ ବିହନ କିଣୁଥିଲେ। ବିହନ ମୂଲ୍ୟ ୩୫୦୭ ଥିବାବେଳେ ୧୪୫୭ କିମ୍ବା ୧୧୨୭ ଟଙ୍କା ରିଆତି ବାବଦ ଟଙ୍କା କାଟି ଅବଶିଷ୍ଟ ଟଙ୍କା ଦେଇ ଚାଷୀ ବିହନ କିଣୁଥିଲେ। କିନ୍ତୁ ୨୦୧୬-୧୭ରେ ସରକାର ଏହି ବ୍ୟବସ୍ଥା ପ୍ରତ୍ୟାହାର କରି ଶତପ୍ରତିଶତ ଡିବିଟି ଲାଗୁ କରିଥିଲେ। ଅର୍ଥାତ ଚାଷୀ ପଞ୍ଜୀକରଣ କରି ବିହନର ମୂଲ୍ୟ ୩,୫୦୭ ଟଙ୍କା ଦେଇ ବିହନ କିଣିବ। ପରବର୍ତ୍ତୀ ସମୟରେ ଚାଷୀ ପାଖକୁ ଇ-ମନି ଟୋକନ ପ୍ରେରିତ ହେବ। ଏହି ଇ-ମନି ପାଇବା ପରେ ଚାଷୀ ଡିଲର ପାଖକୁ ଯିବ। ଡିଲର ଏସବିଆଇ ୱେବସାଇଟରେ ଇ-ମନିକୁ ଲେଖି ପ୍ରେରଣ କରିବା ପରେ ଚାଷୀ ପାଖକୁ ରିଆତି ଟଙ୍କା ଆସୁଥିଲା। ଏହି ବ୍ୟବସ୍ଥା ଯୋଗୁଁ ନିଗମର ବିହନ ବିକ୍ରି ହୋଇପାରିଲା ନାହିଁ। ଫଳରେ ସେହିବର୍ଷ ୨.୩୦ ଲକ୍ଷ କୁଇଣ୍ଟାଲ ବିହନ ବିକ୍ରି ନହେବାରୁ ନିଗମ ୨୬ କୋଟି ଟଙ୍କା କ୍ଷତି ସହିଛି। ୨୦୧୮ରେ ସରକାର ଶତପ୍ରତିଶତ ଡିବିଟି ବ୍ୟବସ୍ଥା ପ୍ରତ୍ୟାହାର କରି ପୁଣି ପୂର୍ବଭଳି ଚାଷୀଙ୍କୁ ରିଆତି ଦେଇ ବିହନ ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ କଲେ। ଏହି ବ୍ୟବସ୍ଥା ଦ୍ବାରା ବିହନ ବିକ୍ରି ସ୍ବାଭାବିକ ଆଡକୁ ଗତି କରୁଥିବା ବେଳେ ହଠାତ ୨୦୨୨ରେ ପୁଣି ଶତପ୍ରତିଶତ ଡିବିଟି ବ୍ୟବସ୍ଥା ସହ ଓଟିପି ବ୍ୟବସ୍ଥା ଲାଗୁ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଡିବିଟି ଜରିଆରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ରିଆତି ଟଙ୍କା ଯିବ। ଏହାଦ୍ବାରା ଚାଷୀ ଉପକୃତ ହୋଇପାରିବେ। ବିହନ ବିକ୍ରିରେ ସ୍ବଚ୍ଛତା ଆସିବ।

Comments are closed.