ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ପୂରଣ ହେବ -ସଂଜିତା, ୟୁପିଏସସି ପରୀକ୍ଷାରେ ରାଉରକେଲାର ଝିଅ ଦେଶର ଦଶମ

ରାଉରକେଲା: ସମାଜ ମୋତେ ବହୁକ କିଛି ଦେଇଛି। ସମସ୍ତଙ୍କ ଭଲପାଇବା ଓ ସଦ୍ଦିଚ୍ଛା ପାଇଁ ଆଜି ଦେଶର ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇବାର ସୁଯୋଗ ମିଳିଛି। ତେଣୁ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବେ ସମାଜ ପ୍ରତି ସଫଳ ଦାୟିତ୍ୱ ନିର୍ବାହ କରିବି ବୋଲି ଆଜି ପ୍ରକାଶ ପାଇଥିବା ୟୁପିଏସି ପରୀକ୍ଷା ଫଳ ରେ ଦଶମ ସ୍ଥାନ ହାସଲ କରି ରାଉରକେଲା ତଥା ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ ଆଣିଥିବା ରାଉରକେଲାର ଝିଅ ସଂଜିତା ମହାପାତ୍ର କହିଛନ୍ତି। ଓଏଏସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ସଂଜିତାଙ୍କ ଏହି ସଫଳତା ଆଜି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ରାଉରକେଲାର ଛେଣ୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟରେ ସ୍କୁଲ ପାଠ୍ୟକ୍ରମ ସାରିଥିଲେ ସଂଜିତା। ୨୦୦୬ରେ ଏହି ବିଦ୍ୟାଳୟରୁ ଆଇସିଏସଇ ଦଶମ ପରୀକ୍ଷାରେ ୯୬.୩ପ୍ରତିଶତ ନମ୍ବର ରଖି ସେ ଚିନ୍ମୟ ବିଦ୍ୟାଳୟର ଟପ୍ପର ହୋଇଥିଲେ। ଏହା ପରେ ଭୁବନେଶ୍ୱରସ୍ଥିତ ବିଜେବି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ସିଇଟିରୁ ମେକାନିକାଲ ଇଂଜିନିୟରିଂ କରିଥିଲେ। ପ୍ରଥମେ ମାରୁତି କମ୍ପାନୀରେ ଯୋଗଦେଇଥିଲେ। ପରେ ୨୦୧୩ରେ ସେ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିଲେ। ୨୦୧୮ରେ ଇସ୍ପାତ କାରଖାନାର ଚାକିରି ଛାଡ଼ି ନିଜ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଥିଲେ। ଗତବର୍ଷ ଓଡିଶା ପ୍ରଶାସନିକ ସେବାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।
ନିଜ ସଫଳତାକୁ ନେଇ ସେ କହିଛନ୍ତିଯେ ସଫଳ ହେବେ ବାଲି ଆଶା କରିଥିଲେ। କିନ୍ତୁ ୧୦ମ ର‍୍ୟାଙ୍କ ଭଳି ତାଙ୍କୁ ବହୁ ଆନନ୍ଦ ଆଣି ଦେଇଛି। ସଫଳତା ପାଇଁ ଅଧିକ ସମୟ ପଢିବା ଯେତେ ବଡ଼ କଥା ନୁହେଁ, ତାହା ଠାରୁ ଅଧିକ ହେଉଛି ପ୍ରସ୍ତୁତି ପାଇଁ ଉପଯୁକ୍ତ ପ୍ଲାନ କରିବା। ସେ ସପ୍ତାହ ଓ ମାସକ ପାଇଁ ପ୍ଲାନ କରୁଥିଲେ। ଶୋଇବା ପୂର୍ବରୁ ସେ ନିଜ ପାଠପଢାର ପ୍ୟାଜେକ ଶେଷ କରୁଥିଲେ। କାହାକୁ ଅନୁକରଣ ନକରି ନିଜକୁ ନିଜେ ଅନୁକରଣ କରିବା ଉଚିତ। ସମାଜ ପାଇଁ କିଛି କରିବା ପାଇଁ ଏହାକୁ କ୍ୟାରିୟର କରିବା ପାଇଁ ଲକ୍ଷ୍ୟ ରଖିଥିଲି। ଆଜି ତାହା ସଫଳ ହୋଇଛି। ବାପ ମାଆ, ଶାଶୁ ଶ୍ୱଶୁର, ସ୍ୱାମୀ ଓ ସାଙ୍ଗ ସାଥୀଙ୍କ ସହଯୋଗ ମୋତେ ଏହି ସଫଳତା ଦେଇଛି। ଯେଉଁମାନେ ପ୍ରଶାସନିକ ସେବାକୁ ଏକ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଧୈର୍ଯ୍ୟ ଓ ନିଷ୍ଠାକୁ ଆପଣେଇବାକୁ ପଡ଼ିବ। ୟୁପିଏସିର ସାକ୍ଷାତକାର ସମ୍ପର୍କରେ ସେ କହିଛନ୍ତିଯେ ଏହା ଅଧାଘଂଟା ଥିଲା। ବିଶେଷକରି ଓଡ଼ିଶା ସମ୍ପର୍କରେ ପ୍ରଶ୍ନ ତାଙ୍କ ପାଇଁ ରୋଚକ ୍‍ଥିଲା। ଓଡ଼ିଶାର ମହିଳା ସଶକ୍ତିକରଣ ସମ୍ପର୍କରେ ସେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଓ ମିଶନଶକ୍ତି ସମ୍ପର୍କରେ କହିଥିଲେ। ପୁରୀକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଆଦି ସମ୍ପର୍କରେ ବିଭିନ୍ନ ପ୍ରଶ୍ନର ଉତର ସେ ରଖିଥିଲେ।
ସଂଜିତା ପାଠପଢା ବେଳୁ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଥିଲେ ବୋଲି ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ କହିଛନ୍ତି। ଲକ୍ଷ୍ୟ ନିର୍ଦ୍ଧାରଣରେ ତାଙ୍କର ନିଷ୍ଠା ସମସ୍ତଙ୍କ ଠାରୁ ଆଗରେ ଥିଲା। କେବଳ ପାଠପଢା ନୁହେଁ, ତର୍କ ପ୍ରତିଯୋଗିତା, ନାଚ, ଗୀତ ସବୁଥିରେ ସେ ଆଗରେ ରହି ବିଦ୍ୟାଳୟ ପାଇଁ ସ୍ୱନାମ ଆଣିଥିଲେ। ଏହି ସଫଳତା ଭିତରେ ସଂଜିତା ନିଜ ବିଦ୍ୟାଳୟକୁ ଭୂଲି ନାହାଁନ୍ତି। ଆଜି ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହିତ କଥା ହୋଇ ନିଜ ସଫଳତାକୁ ବାଂଟିଥିବା ଅଧ୍ୟକ୍ଷା କହିଥିଲେ।

Comments are closed.