ନିତି ଆୟୋଗଙ୍କ ନିକଟରେ ଓଡ଼ିଶା ସରକାରଙ୍କ ତଥ୍ୟ : ଗରିବ ଦୂରୀକରଣରେ ଏକ ନମ୍ବର

ସ୍ବଚ୍ଛଳ ହୋଇଛନ୍ତି ୮୦ ଲକ୍ଷ ଓଡ଼ିଆ, ଦୁର୍ଗମ ଅଞ୍ଚଳ ଅପେକ୍ଷା ଉପକୂଳରେ କମୁଛି ଦାରିଦ୍ର୍ୟ

୧୦ ଗରିବ ରାଜ୍ୟରୁ ୯ମ ସ୍ଥାନରେ ଓଡ଼ିଶା, ଗରିବୀ ହାର: ଓଡ଼ିଶା ୨୯.୩୫%; ବିହାରରେ ୫୨%

ଭୁବନେଶ୍ବର : ରାଜ୍ୟରୁ ଗରିବ ଦୂରୀକରଣ କରିବାରେ ଓଡ଼ିଶା ଦେଶରେ ଏକନମ୍ବର ସ୍ଥାନରେ ରହିଛି। ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ୨୬ ପ୍ରତିଶତ ଗରିବ ସ୍ବଚ୍ଛଳ ବର୍ଗରେ ସାମିଲ ହୋଇଛନ୍ତି। ୨୦୦୪-୦୫ ଏବଂ ୨୦୧୧-୧୨ ତୁଳନାରେ ରାଜ୍ୟରେ ୮ନିୟୁତ୍ ଅର୍ଥାତ୍ ୮୦ଲକ୍ଷ ଓଡ଼ିଆ ଗରିବ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବୋଲି ବୁଧବାର ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନାରୁ ଜଣାଯାଇଛି।
ନିତି ଆୟୋଗଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ଥାପନ କରାଯାଇଥିବା ତଥ୍ୟ ଅନୁଯାୟୀ ଗରିବ ହ୍ରାସ କରିବାରେ ଓଡ଼ିଶା ଦେଶର ଏକ ନମୁନା ରାଜ୍ୟ ପାଲଟିଛି। ଯାହାକୁ ନେଇ ନିତି ଆୟୋଗଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ଆୟୋଗ ନିକଟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣ ବିବରଣୀରୁ ଆଧାର କରି ଭାରତ ବର୍ଷରେ ରାଜ୍ୟ ଓ ଜିଲାୱାରୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯେଉଁ ସଂଖ୍ୟା ହିସାବ କରିଛନ୍ତି ସେଥିରେ ଦେଶର ୧୦ଟି ଗରିବ ରାଜ୍ୟ ମଧ୍ୟରେ ଓଡ଼ିଶାର ନବମ ସ୍ଥାନରେ ରହିଛି। ଓଡ଼ିଶାରେ ଶତକଡ଼ା ୨୯.୩୫ ଭାଗ ଲୋକ ଏବେବି ଦାରିଦ୍ର୍ୟ ସୀମରେଖା ତଳେ ଅଛନ୍ତି। ଗରିବ ତାଲିକାରେ ବିହାର ଦେଶର ସବୁଠାରୁ ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଯେଉଁଠାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୫୧.୯୧ ପ୍ରତିଶତ। ଅନ୍ୟପକ୍ଷରେ କେରଳରେ ଗରିବ ହାର ମାତ୍ର ୦.୭୧ ପ୍ରତିଶତ ରହିଛି।
ଓଡ଼ିଶାର ଜିଲାୱାରୀ ତଥ୍ୟ ଅନୁଯାୟୀ, ପୁରୀ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ଦାରିଦ୍ର୍ୟ ହାର ଯଥାକ୍ରମେ ଶତକଡ଼ା ୧୧.୬୪, ୧୧.୮୩, ୧୪.୯୬ ଓ ୧୫.୪୯ରେ ରହିଛି, ଅର୍ଥାତ୍ ଏହି ଜିଲା ଗୁଡ଼ିକ ରାଜ୍ୟରେ ସମୃଦ୍ଧ ଓ ସେହି ଜିଲାଗୁଡ଼ିକରେ ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି। କିନ୍ତୁ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର, ଗଜପତି ପ୍ରଭୃତି ଜିଲାରେ ଗରିବ ହାର ଅଧିକ ରହିଛି। ବାସ୍ତବରେ ଓଡ଼ିଶାର ଯେଉଁ ଅଞ୍ଚଳ ଗୁଡ଼ିକରେ ଖଣିଜ ସମ୍ପଦ ରହିଛି ସେଠାରେ ଲୋକଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି। ଖଣିଜ ସମ୍ପଦ ଉପରେ ସେମାନଙ୍କ ହକ୍ ଥିଲେ ହେଁ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଛନ୍ତି। ମାତ୍ର ଉପକୂଳ ଜିଲା ଗୁଡିକରେ ଗରିବ ହାର ଅପେକ୍ଷାକୃତ ଭାବେ ହ୍ରାସ ପାଉଥିବାବେଳେ ଦୁର୍ଗମ ଅଞ୍ଚଳ ଗୁଡିକରେ ଏହି ସଂଖ୍ୟା ସେହି ତୁଳନାରେ କମୁନାହିଁ। ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଲେ ଆଗାମୀ ଦିନରେ ଓଡ଼ିଶାର ସ୍ଥିତି ନିତି ଆୟୋଗର ସୂଚକାଙ୍କରେ ଉପରକୁ ଉଠିପାରନ୍ତା ବୋଲି ଜଣେ ବରି‌ଷ୍ଠ ପ୍ରଶାସକ କହିଛନ୍ତି।
ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗ୍ରାମ୍ୟ ରାସ୍ତା ଭିତ୍ତିଭୂମି ସୁଦୃଢ଼ୀକରଣ, ମହିଳା ସଶକ୍ତୀକରଣ ଓ ଦକ୍ଷତା ବିକାଶରେ ଓଡ଼ିଶା ଆଗରେ ରହିଛି। ‘ଆସୋଚାମ’ର ୨୦୧୭ ବିବରଣୀ ଅନୁଯାୟୀ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ। ସେହିପରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ରହିଥିବାବେଳେ ଦେଶର ଇସ୍ପାତ ଉତ୍ପାଦନରେ ସିଂହଭାଗ ଅବଦାନ ରହିଛି। ଜାତୀୟସ୍ତରରେ ଯେତିକି ପରିମାଣର ଇସ୍ପାତ ଉତ୍ପାଦନ ହେଉଛି ତା’ର ୨୦ପ୍ରତିଶତ କେବଳ ଓଡ଼ିଶା ହିଁ ଯୋଗାଉଥିବା ଜଣାଯାଇଛି।

Comments are closed.