ଓଡ଼ିଶା ପ୍ରସ୍ତୁତ – ଖୋଲିଲା କୋଭିଡ୍‍ ମାନବ ସମ୍ବଳ ପୋର୍ଟାଲ୍‍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ, ବୈଷୟିକ ସହାୟକ ଓ ଚିକିତ୍ସା ସହାୟକମାନଙ୍କୁ ତାଲିମ ଦିଆଯାଇଛି। ଏମାନେ ସମସ୍ତେ ବର୍ତ୍ତମାନ ପୂର୍ଣ୍ଣ ଦକ୍ଷତା ସହ ଯେକୌଣସି ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଦକ୍ଷତା ରଖିଛନ୍ତି। ଓଡ଼ିଶା କୋଭିଡ୍‌ ମାନବ ସମ୍ବଳ ପୋର୍ଟାଲ୍‌ ଆରମ୍ଭ କରାଯାଇଛି। ଏବେ କୋଭିଡ୍‍-୧୯ ବିରୋଧରେ ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି କୁହାଯାଇଛି।

ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ କୋଭିଡ୍‍ ଦକ୍ଷତା ବିକାଶ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଉପସ୍ଥିତ ଥିଲେ। କୋଭିଡ୍‍-୧୯ ମୁକାବିଲା ନିମନ୍ତେ ରାଜ୍ୟର ମାନବ ସମ୍ବଳ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ତାଲିମ ଓ ଦକ୍ଷତା ବିକାଶ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଏବଂ ତାଙ୍କର ଟିମ୍‍ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ତାଲିମପ୍ରାପ୍ତ ମାନବ ସମ୍ବଳଙ୍କୁ ଲଗାତାର ଭାବେ କୋଭିଡ୍‍ ବିଷୟରେ ମିଳୁଥିବା ନୂତନ ଜ୍ଞାନ ଓ କୌଶଳ ବିଷୟରେ ଅନୁପ୍ରେରିତ କରିବା ପାଇଁ ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀ ନିର୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚବ ନିକୁଞ୍ଜ ବିହାରୀ ଧଳ କହିଥିଲେ ଯେ ୭ମ, ୮ମ ଏବଂ ୯ମ ସେମିଷ୍ଟାର ସ୍ତରରେ ଥିବା ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ୍‍ ଲଢ଼େଇରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ତଦନୁସାରେ ବର୍ତ୍ତମାନ ସୁଦ୍ଧା ଏମ୍‍ବିବିଏସ୍‍, ଆୟୁଷ ଏବଂ ନର୍ସିଂ ବିଭାଗରୁ ୮,୩୨୫ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କୋଭିଡ୍‍ ଚିକିତ୍ସା ତାଲିମ ଦିଆଯାଇଛି। ଏହାଛଡ଼ା ଇଏସ୍‍ଆଇ ହସ୍‍ପିଟାଲ୍‍ ଏବଂ ଘରୋଇ ହସ୍‍ପିଟାଲ୍‍ର ୧୦୮ ଡାକ୍ତର, ୬୪ ଷ୍ଟାଫ୍‍ ନର୍ସ, ୬୧ ଫାର୍ମାସିଷ୍ଟଙ୍କୁ ମଧ୍ୟ ତାଲିମ ଦିଆଯାଇଛି।

ପଞ୍ଚାୟତ ସ୍ତରରେ ପ୍ରତିଷ୍ଠା କରାଯାଇଥିବା ଅସ୍ଥାୟୀ ମେଡ଼ିକାଲ୍‍ ଶିବିର ପାଇଁ ୩୩,୯୦୦ କର୍ମଚାରୀଙ୍କୁ ଶିବିର ପରିଚାଳନା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଆଦି ବିଷୟରେ ତାଲିମ ଦିଆଯାଉଛି। କରେନା ଆକ୍ରାନ୍ତ ବ୍ୟକ୍ତି ଓ ପରିବାରଙ୍କୁ ମାନସିକ ଓ ସାମାଜିକ ପରାମର୍ଶ ନିମନ୍ତେ ୭୫୩ କାଉନ୍‍ସେଲରଙ୍କୁ ତାଲିମ ଦିଆଯାଇଛି। ୟୁନିସେଫ୍‍ ଓ ୟୁଏନ୍‍ଏଫ୍‍ପିଏଙ୍କ ସହ ଯୋଗରେ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ୨୪୭୧ ସ୍ୱେଚ୍ଛାସେବୀଙ୍କୁ କୋଭିଡ୍‍ ପରିଚାଳନାରେ ସହାୟତା ନିମନ୍ତେ ତାଲିମ ଦିଆଯାଇଛି।

ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ମାନବ ସମବଳଙ୍କୁ କୋଭିଡ୍‍-୧୯ ମୌଳିକ ତତ୍ତ୍ୱ, କ୍ଷେତ୍ର ନିରୀକ୍ଷଣ, ସଂକ୍ରମଣ, ଗୁରୁତ୍ୱପୂର୍ଣ୍ଣ ଆକାନ୍ତଙ୍କ ଚିକିତ୍ସା, ଆଇସିୟୁ ଚିକିତ୍ସା, ପ୍ରତିରୋଧ ଓ ପ୍ରତିଷେଧ ଆଦି ବିଷୟରେ ତାଲିମ ଦିଆଯାଇଛି। ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣ ମନ୍ତ୍ରାଳୟ ଏବଂ ସର୍ବଭାରତୀୟ ଭେଷଜ ବିଜ୍ଞାନ ଅନୁଷ୍ଠାନଙ୍କ ଗବେଷଣା ଲବ୍ଧ ଜ୍ଞାନ ଓ ପରାମର୍ଶ ଅନୁସାରେ ତାଲିମ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ସାମାଜିକ ଦୂରତ୍ୱ ନିୟମ ଦୃଷ୍ଟିରୁ ତାଲିମ କାର୍ୟ୍ୟକ୍ରମ ‘ଅନ୍‍ଲାଇନ୍‍ ଭର୍ଚୁଆଲ୍‍ ଟ୍ରେନିଂ ପ୍ଲାଟଫର୍ମ’ ମାଧ୍ୟମରେ କରାଯାଇଛି। ତାଲିମରେ ବ୍ୟବହୃତ ପାଠ୍ୟପୁସ୍ତକ, ଲେଖା ଭିଡ଼ିଓ ଆଦିକୁ ଅନ୍‍ଲାଇନ୍‍ ପୋର୍ଟାଲରେ ମଧ୍ୟ ସନ୍ନିବଶିତ କରାଯାଇଛି। ଯେପରିକି ଯେକୌଣସି ସମୟରେ ଚିକିତ୍ସକ ବା ଚିକିତ୍ସା ସହାୟକ ତାହା ଦେଖିପାରିବେ।

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‍ କଲେଜର ତାଲିମ ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା କହିଥିଲେ ଯେ ଏହି ତାଲିମ ଡାକ୍ତର, ନର୍ସ, ପାରା ମେଡ଼ିକାଲ୍‍ ଏବଂ ସହାୟକ ଷ୍ଟାଫ୍‍ମାନଙ୍କ ମଧ୍ୟରେ ଦକ୍ଷତା ସହ ଦୃଢ଼ ଆତ୍ମବିଶ୍ୱାସ ସୃଷ୍ଟିକରିଛି। ସେମାନେ ବର୍ତ୍ତମାନ କଠିନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ। ଭବିଷ୍ୟତ ପାଇଁ ତାଲିମ ଆବଶ୍ୟକତାର ଅନୁଶୀଳନ କରି ବର୍ତ୍ତମାନର ଅଭିଜ୍ଞତା ଭିତ୍ତିରେ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଥିଲେ।

Comments are closed.