ଓଡ଼ିଶାର ରଣଜୀ ଅଭିଯାନ ଆଜିଠାରୁ: ଛତିଶଗଡ଼ ସହ ମୁକାବିଲା

କଟକ : ଓଡ଼ିଶାର ସିନିୟର କ୍ରିକେଟ ଦଳ ସୋମବାରଠାରୁ ଦେଶର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ରାୟପୁରରେ ଘରୋଇ ଛତିଶଗଡ଼ ବିପକ୍ଷରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍ ‘ସି’ରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ଏହା ଚଳିତ ସିଜିନ୍‌ରେ ଓଡ଼ିଶା କ୍ରିକେଟ ଦଳର ୩ୟ ଘରୋଇ ଟୁର୍ଣ୍ଣାମେଣ୍ଟ। ପୂର୍ବରୁ ଓଡ଼ିଶା ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଓ ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଖେଳିସାରିଛି। ଉଭୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ମିଶ୍ରିତ ଫଳାଫଳ ମିଳିଛି। ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ୩ଟି ମ୍ୟାଚ୍ ଜିତିଥିବା ବେଳେ ୪ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଓଡ଼ିଶା ୭ଟି ମ୍ୟାଚ୍ ଖେଳି ୩ଟି ଲେଖାଏଁ ମ୍ୟାଚ୍‌ରେ ବିଜୟୀ ଓ ପରାସ୍ତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା।
ଉପରୋକ୍ତ ୨ଟି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି ଯେ ବ୍ୟାଟିଂରେ ୨/୩ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ଛାଡ଼ି ଅନ୍ୟମାନେ ଭଲ ସ୍କୋର୍ କରି ପାରିନାହାନ୍ତି। ଗତବର୍ଷ ଓଡ଼ିଶା ଏଲିଟ୍‌ ଗ୍ରୁପ୍ ‘ସି’ରେ ଖେଳିଥିଲା। ଓଡ଼ିଶା ୯ଟି ମ୍ୟାଚ୍‌ରୁ ୪ଟି ଜିତିଥିବା ବେଳେ ୩ଟିରେ ପରାସ୍ତ ହୋଇଥିଲା ଏବଂ ବାକି ୨ଟି ମ୍ୟାଚ୍ ଡ୍ର ରହିଥିଲା। ଫଳରେ ୨୬ ପଏଣ୍ଟ ସହ ଓଡ଼ିଶା ଗ୍ରୁପ୍‌ର ୪ର୍ଥ ସ୍ଥାନରେ ରହିଥିଲା। ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଝାଡ଼ଖଣ୍ଡଠାରୁ ଓଡ଼ିଶା ପରାସ୍ତ ହୋଇଥିଲା। ତ୍ରିପୁରା, ଜାମ୍ମୁ-କାଶ୍ମୀର, ଆସାମ ଓ ଗୋଆ ବିପକ୍ଷରେ ଓଡ଼ିଶା ବିଜୟୀ ହୋଇଥିଲା। ଗତବର୍ଷ ରଣଜୀ ଟ୍ରଫିରେ ଓଡ଼ିଶାର ବ୍ୟାଟିଂ ତାରକା ଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି। କେନ୍ଦୁଝରର ଏହି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ୯ଟି ମ୍ୟାଚ୍‌ର ୧୭ଟି ଇନିଂସରୁ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ସର୍ବାଧିକ ୬୧୭ ରନ୍ କରିଥିଲେ। ବାମହାତି ଅନୁରାଗ ଷଡ଼ଙ୍ଗୀ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୪୯୦ ରନ୍ କରିଥିଲେ। ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ଶାନ୍ତନୁ ମିଶ୍ର ଓ ବିପ୍ଳବ ସାମନ୍ତରାୟ ୩ ଶହରୁ ଅଧିକ ରନ୍ କରିଥିଲେ। ତେବେ ପୂର୍ବତନ ଅଧିନାୟକ ​‌େ​‌ଗାବିନ୍ଦ ପୋଦ୍ଦାର ଦଳକୁ ନିରାଶକରି ମାତ୍ର ୧୭୭ ରନ୍ କରି ପାରିଥିଲେ। ଅଲ୍‌ରାଉଣ୍ଡର ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଅର୍ଦ୍ଧଶତକ ସହ ୨ ଶହରୁ ଅଧିକ ରନ୍ କରିଥିଲେ। ବୋଲିଂରେ ଓଡ଼ିଶାର ଦୁଇ ହିରୋ ଥିଲେ ପେସ୍ ବୋଲର ବସନ୍ତ ମହାନ୍ତି (୪୪) ଓ ରାଜେଶ ମହାନ୍ତି (୪୦)। ବାମହାତି ସ୍ପିନର ଧୀରଜ ସିଂହ ୨୫ଟି ୱିକେଟ ପାଇଥିଲେ।
ଏଥର ଓଡ଼ିଶାର ରଣଜୀ ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ତେବେ ବୋଲିଂ ବିଭାଗରେ ମାତ୍ର ଜଣେ ସ୍ପିନର ପପ୍ପୁ ରାୟ ରହିଛନ୍ତି। ଗତବର୍ଷ ପପ୍ପୁ ୨ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ୱିକେଟ ପାଇଥିଲେ। ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ମଧ୍ୟ ସ୍ପିନ୍ ବୋଲିଂରେ ସହାୟତା କରିବେ। ଓଡ଼ିଶାର ମୁଖ୍ୟ ଶକ୍ତି ହେଉଛି ଏହାର ୩ ପେସ୍ ବୋଲର ବସନ୍ତ, ରାଜେଶ ଓ ସୂର୍ଯ୍ୟକାନ୍ତ। ତେବେ ରାୟପୁରର ପିଚ୍ ଯଦି ସ୍ପିନ୍ ସହାୟକ ହୁଏ; ତେବେ ଓଡ଼ିଶା ପାଇଁ ତା’ର ଦଳ ଗଠନ ମହଙ୍ଗା ପଡ଼ିପାରେ। ଗତବର୍ଷ ଏଲିଟ୍‌ ଗ୍ରୁପ୍ ‘ଏ’ରେ ଖେଳିଥିବା ଛତିଶଗଡ଼ ଦଳ ୮ଟିରୁ ୪ଟି ଲେଖାଏଁ ପରାଜୟ ଓ ଡ୍ର ସହ ୬ ପଏଣ୍ଟ ପାଇ ଅନ୍ତିମ ସ୍ଥାନରେ ରହିଥିଲା। ଛତିଶଗଡ଼ର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ହେଲେ ହରପ୍ରୀତ ସିଂହ। ଗତବର୍ଷ ହରପ୍ରୀତ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୬୨୭ ରନ୍ କରିଥିଲେ। ଭାରତୀୟ ଜୁନିୟର ଦଳ ପାଇଁ ଖେଳିଥିବା ଅମନଦୀପ ଖରେ ମଧ୍ୟ ଭଲ ବ୍ୟାଟ୍‌ସମ୍ୟାନ୍। ବୋଲିଂ ଗତବର୍ଷ ଛତିଶଗଡ଼କୁ ଅସୁବିଧାରେ ପକାଇଥିଲା। ପେସ୍ ବୋଲର ପଙ୍କଜ ରାଓ ୨୯ଟି ୱିକେଟ ନେଇଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ। ତେଣୁ ମୋଟଉପରେ ଛତିଶଗଡ଼ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍‌ରେ ଫେଭରିଟ୍‌ ରହିଛି। ତେବେ ଚଳିତବର୍ଷ ଛତିଶଗଡ଼ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପଞ୍ଜାବ ପାଇଁ ଖେଳିଥିବା ବ୍ୟାଟ୍‌ସମ୍ୟାନ୍ ଜୀବନଜ୍ୟୋତ ସିଂହ ଏବଂ ବଙ୍ଗଳା ପାଇଁ ଖେଳିଥିବା ପେସ୍ ବୋଲର ବୀର ପ୍ରତାପ ସିଂହ ଏଥର ଛତିଶଗଡ଼ ପାଇଁ ଖେଳିବେ। ଚଳିତବର୍ଷ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଛତିଶଗଡ଼ ଭଲ ପ୍ରଦର୍ଶନ କରି ରଣଜୀ ସିଜିନ୍ ଲାଗି ପୂରା ପ୍ରସ୍ତୁତ ରହିଛି। ଉଭୟ ଟୁର୍ଣ୍ଣାମେଣ୍ଟରେ ଭଲ ଦଳଙ୍କୁ ଛତିଶଗଡ଼ ପରାସ୍ତ କରିଛି। ଉଭୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତୁଳନାରେ ଛତିଶଗଡ଼ର ପ୍ରଦର୍ଶନ ଭଲ। ତେବେ ରଣଜୀ ଟ୍ରଫି ମୁକାବିଲା ଭିନ୍ନ। ଅଭିଜ୍ଞତା ଦୃଷ୍ଟିରୁ ଓଡ଼ିଶା ଆଗରେ ରହିଛି। ତେବେ ଘରୋଇ ପଡ଼ିଆରେ ଖେଳିବାର ଲାଭ ଛତିଶଗଡ଼କୁ ମିଳିବ। ରାଜେଶ ଧୁପରଙ୍କ ସହ ସନ୍ଦୀପ ପଟ୍ଟନାୟକ ଇନିଂସ ଓପନ୍ କରିବେ। ଅଧିନାୟକ ଶୁଭ୍ରାଂଶୁଙ୍କ ସହ ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ମଧ୍ୟକ୍ରମ ସମ୍ଭାଳିବେ। ଉଭୟ ଦଳ ଭଲ ପ୍ରଦର୍ଶନ କରି ସିଜିନ୍ ଆରମ୍ଭ କରିବାକୁ ଚାହିଁବେ।

Comments are closed.