ସେସୁ ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ୍‌ ଆବଣ୍ଟନ କମ୍ପାନୀ ସେସୁର ଘରୋଇକରଣକୁ ତୀବ୍ର ବିରୋଧ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ। ସେସୁର ହଜାର ହଜାର କର୍ମଚାରୀ ସୋମବାର ବିରାଟ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) କାର୍ଯ୍ୟାଳୟ ସାମ୍‌ନାରେ ବି​‌କ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟୁତ୍‌ ଶ୍ରମିକ ଓ ଇଞ୍ଜିନିୟରର୍ସମାନଙ୍କର ୮ଟି ସଂଘର ସଦସ୍ୟମାନେ ଶକ୍ତି ପ୍ରଦର୍ଶନ କରିବା ସହ ଦର୍ଶାଇଥିଲେ ଯେ ୧୯୯୯ରେ ପ୍ରଥମ ରାଜ୍ୟ ଭାବେ ସରକାର ବିଦ୍ୟୁତ୍‌ କ୍ଷେତ୍ରକୁ ଘରୋଇକରଣ କରିଥିଲେ। ୨୦୦୧ରେ ହଠାତ୍‌ କମ୍ପାନୀ ଉଭାନ ହୋଇଯାଇଥିଲା। କର୍ମଚାରୀମାନେ ଅନେକ ଭୋଗିଥିଲେ। ଦରମା ମିଳି ନ ଥିଲା। ତେବେ ଏଭଳି ଅବସ୍ଥାରେ ଓଇଆର୍‌ସି ସେସୁର ପରିଚାଳନା ଲାଗି ଜଣେ ସିଇଓଙ୍କୁ ନିଯୁକ୍ତି ଦେଇ ଏହାକୁ ଚଳାଇ ଆସୁଥିଲା। ସେହିପରି ରାଜ୍ୟର ଅନ୍ୟ ୩ ଆବଣ୍ଟନ କମ୍ପାନୀ ୱେସ୍କୋ, ନେସ୍କୋ ଓ ସାଉଥ୍‌କୋକୁ ରିଲାଏନ୍ସ ହାତରେ ଟେକି ଦେଇଥିଲେ। ପରେ ରିଲାଏନ୍ସର ଲାଇସେନ୍ସକୁ ମଧ୍ୟ ଓଇଆର୍‌ସି ବାତିଲ୍‌ କରିଦେଇଥିଲେ। ରିଲାଏନ୍ସ ଏନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ଉଭୟ ଏଇଏସ୍‌ ଓ ରିଲାଏନ୍ସ ଲାଇସେନ୍ସ ପାଇବା ସମୟରେ ପୁଞ୍ଜି ଖଟାଇବା, ବୈଷୟିକ ଓ ସରବରାହ କ୍ଷତି କମାଇବା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଲାଗି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେସବୁକୁ ଫାଙ୍କି ଦେଇଥିଲେ। ତେଣୁ ଦ୍ବିତୀୟବାର ଘରୋଇକରଣକୁ ସେସୁର ଶ୍ରମିକ ଓ କର୍ମଚାରୀମାନେ ତୀବ୍ର ବିରୋଧ କରିଛନ୍ତି। ସମସ୍ତ ଦାବି ପ୍ରତି ବିଚାର କରାଯିବା ପରେ ଘରୋଇକରଣ କରାଯିବାକୁ ସଂଘଗୁଡ଼ିକ ପକ୍ଷରୁ ସର୍ତ୍ତ ରଖାଯାଇଛି।

୨୦୧୦ରେ ସେସୁ ଲାଭକାରୀ କମ୍ପାନୀରେ ପରିଣତ ହୋଇଥିଲା। କେନ୍ଦ୍ର ସରକାର ବିଦ୍ୟୁତ୍‌ କ୍ଷେତ୍ରରେ ସୁଧାର ଆଣିବା ଲାଗି ବିଦ୍ୟୁତ୍‌ ଆଇନ୍‌ରେ ପରିବର୍ତ୍ତନ ଆଣିବାକୁ ଗଭୀର ଚିନ୍ତନ କରୁଥିବା ବେଳେ ରାଜ୍ୟ ସରକାର ସେସୁର ଘରୋଇକରଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଇଞ୍ଜିନିୟର୍ସ ସଂଘର ସାଧାରଣ ସମ୍ପାଦକ ବ୍ରହ୍ମପ୍ରକାଶ ପାଇଟାଲ୍‌। ସେହିପରି ଘରୋଇକରଣ ସମୟରେ କର୍ମଚାରୀଙ୍କ ୫୪୦ କୋଟି ଟଙ୍କାର ଭବିଷ୍ୟନିଧି ପାଣ୍ଠି ଓ ୧୮୭୫ କୋଟି ଟଙ୍କାର ପେନ୍‌ସନ୍ ପାଣ୍ଠିରେ ଅନେକ ନିଅଣ୍ଟିଆ ଦେଖାଯାଇଛି। କର୍ମଚାରୀଙ୍କ ଅଂଶଧନ ସମ୍ପର୍କରେ ମଧ୍ୟ ଘରୋଇକରଣ ପ୍ରକ୍ରିୟାରେ କିଛି ସ୍ଥିର କରାଯାଇ ନାହିଁ। କର୍ମଚାରୀଙ୍କ ସୁରକ୍ଷା ନେଇ କମିସନ ସ୍ପଷ୍ଟ କରିବା ପରେ ଘରୋଇକରଣ ହେଉ। ଆସନ୍ତା ଜାନୁଆରୀ ୮ରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ ବୋଲି ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ବିଦ୍ୟୁତ୍‌ କ୍ଷେତ୍ରରେ ସୁଧାର ଆଣିବା ଲାଗି ରହିଥିବା ଭିତ୍ତିଭୂମି ବିଦ୍ୟୁତ୍‌ ଲାଇନ୍‌, ସବ୍‌ଷ୍ଟେସନଗୁଡିକର ମରାମତି ଜରୁରୀ ହୋଇପଡିଥିଲା। ୨୦୧୦ରେ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାପେକ୍ସ ଯୋଜନାରେ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ। ଘରୋଇ କମ୍ପାନୀଙ୍କ ଅସହଯୋଗ ଯୋଗୁଁ ଏଥିରୁ ମାତ୍ର ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଲା।

ସେସୁ କର୍ମଚାରୀ ଓ ଇଞ୍ଜିନିୟର୍ସ ସଂଘର କର୍ମକର୍ତ୍ତା ଯତୀନ୍ଦ୍ର କୁମାର ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ବି ପି ବସୁମଲିକ, ଅକ୍ଷୟ କୁମାର ପାଢ଼ୀ, କେ ଏନ୍ ଷଡଙ୍ଗୀ, ପ୍ରଭାତ କୁମାର ମଲ୍ଲ ଓ ଧୋବେଇ ସାହୁ ଏବଂ ବିଭିନ୍ନ ଟ୍ରେଡ୍‌ ୟୁନିଅନ୍‌ର ଶ୍ରମିକ ନେତାଙ୍କ ମଧ୍ୟରେ ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ମହେନ୍ଦ୍ର ପରିଡ଼ା ଓ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.