ଓଡ଼ିଶା ପୁଲିସରେ ମାତ୍ର ୧୦% ମହିଳା

ନୂଆଦିଲ୍ଲୀ(ଶକ୍ତି ପ୍ରସାଦ ନାୟକ): ରାଜ୍ୟ ପୁଲିସ ବିଭାଗରେ ୩୩ ପ୍ରତିଶତ ମହିଳାଙ୍କ ନିଯୁକ୍ତି ପାଇଁ ବ୍ୟବସ୍ଥା ରହିଥିବା ବେଳେ ସିଭିଲ ପୁଲିସ, ଜିଲା ସଶସ୍ତ୍ର ପୁଲିସ, ରାଜ୍ୟ ସଶସ୍ତ୍ର ପୁଲିସ ଓ ଆଇଆରବି ଆଦି ସମସ୍ତ ପୁଲିସ ସଂଗଠନରେ ମାତ୍ର ୧୦.୦୧ ପ୍ରତିଶତ ମହିଳା ପୁଲିସ କର୍ମଚାରୀ କାର୍ଯ୍ୟରତ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ୟୁରୋ ଅଫ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି।
୧ ଜାନୁଆରୀ ୨୦୨୦ ସୁଦ୍ଧା ଓଡ଼ିଶା ପୁଲିସରେ ସମୁଦାୟ ମହିଳା ପୁଲିସ କର୍ମଚାରୀଙ୍କ ସଂଖ୍ୟା ୫୮୫୪ ଜଣ ରହିଥିଲା। ଓଡ଼ିଶାର ମହିଳା ଜନସଂଖ୍ୟା ଏବଂ ମହିଳା ପୁଲିସ କର୍ମଚାରୀଙ୍କ ହାରାହାରି ସଂଖ୍ୟାକୁ ହିସାବକୁ ନେଲେ ପ୍ରତି ୩୮୩୨.୫୯ ଜଣ ମହିଳାଙ୍କ ପାଇଁ ଜଣେ ଲେଖାଏଁ ମହିଳା ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ରିପୋର୍ଟ ତଥ୍ୟ ଅନୁଯାୟୀ ଓଡ଼ିଶା ପୁଲିସ କମାଣ୍ଡୋ ବଟାଲିଅନର କୌଣସି ପଦରେ କେହି ମହିଳା କାର୍ଯ୍ୟରତ ନାହାନ୍ତି।
ଏପରିକି ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସ୍ୱତନ୍ତ୍ର ମହିଳା ବଟାଲିଅନ ମଧ୍ୟ ନାହିଁ। ରାଜ୍ୟ ଟ୍ରାଫିକ ପୁଲିସ ବିଭାଗରେ ବିଭିନ୍ନ ପଦରେ କାର୍ଯ୍ୟରତ ସମୁଦାୟ ୨୮୦ ମହିଳାଙ୍କ ମଧ୍ୟରୁ ୨୫୬ କନେଷ୍ଟବଳ ଭଳି କନିଷ୍ଠ ପଦରେ କାର୍ଯ୍ୟରତ ଅଛନ୍ତି। ଡିଜି, ଆଇଜି, ଡିଆଇଜି, ଏସପି ଓ ଡିଏସପି ଭଳି ବରିଷ୍ଠ ପଦ ନୁହେଁ, ସବ୍‍ଇନ୍ସପେକ୍ଟର ଓ
ଆସିଷ୍ଟାଣ୍ଟ ସବ୍‍ଇନ୍ସପେକ୍ଟର ଭଳି କନିଷ୍ଠ ଟ୍ରାଫିକ ଅଧିକାରୀ ପଦରେ ମଧ୍ୟ କେହି ମହିଳା ଅଧିକାରୀ ଦାୟିତ୍ୱରେ ନାହାନ୍ତି ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି।
ଭାରତୀୟ ପୁଲିସର ମାନବ ସମ୍ବଳ ସମ୍ପର୍କୀତ ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୨୯.୩୧ ଜଣ ପୁଲିସ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ପ୍ରତି ଏକ ଲକ୍ଷ ଜନସଂଖ୍ୟା ଲାଗି ରାଜ୍ୟରେ ୧୪୬.୩୬ଟି ମଞ୍ଜୁରପ୍ରାପ୍ତ ପୁଲିସ ପଦ ରହିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ଲାଗି ୨୨୦.୫୩ ଜଣ ଓ ଝାଡ଼ଖଣ୍ଡରେ ୧୭୨.୧୮ ଜଣ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟର ପ୍ରତି ଏକ ଶହ ବର୍ଗକିଲୋମିଟର ପରିଧି ଅଞ୍ଚଳ ପାଇଁ ୪୨.୪୯ ଜଣ ପୁଲିସଙ୍କ ବଦଳରେ ମାତ୍ର ୩୭.୫୪ ଜଣ ନିୟୋଜିତ ଅଛନ୍ତି। ପଡ଼ୋଶୀ ପଶ୍ଚିମବଙ୍ଗରେ ପ୍ରତି ଏକ ଶହ ବର୍ଗକିଲୋମିଟର ପରିଧି ଅଞ୍ଚଳ ଲାଗି ୧୧୦.୧୭ ଜଣ, ଝାଡ଼ଖଣ୍ଡରେ ୮୧.୩୪ ଜଣ ଓ ଛତିଶଗଡ଼ରେ ୪୭.୨୨ ଜଣ ପୁଲିସ ଜନତାଙ୍କ ସେବାରେ କାମ କରୁଛନ୍ତି। ଜାନୁଆରୀ ୨୦୨୦ ସୁଦ୍ଧା ଓଡ଼ିଶାରେ ସିଭିଲ ପୁଲିସ, ଜିଲା ସଶସ୍ତ୍ର ପୁଲିସ, ରାଜ୍ୟ ସଶସ୍ତ୍ର ପୁଲିସ ଓ ଆଇଆରବି ଆଦିର ସମୁଦାୟ ୬୬୧୬୧ଟି ମଞ୍ଜୁର ପଦ ମଧ୍ୟରୁ ୭୭୦୬ଟି ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ ସିଭିଲ ପୁଲିସର ୩୦୪୧୩ଟି ମଞ୍ଜୁର ପଦରୁ ୨୬୨୧୭ଟି, ଜିଲା ସଶସ୍ତ୍ର ରିଜର୍ଭ ପୁଲିସର ୧୦୪୬୬ଟି ମଞ୍ଜୁର ପଦରୁ ୯୮୮୫ଟି, ରାଜ୍ୟ ସଶସ୍ତ୍ର ପୁଲିସର ୧୭୭୪୫ଟି ମଞ୍ଜୁର ପଦରୁ ୧୫୪୧୪ଟି ଓ ରାଜ୍ୟ ଆଇଆରବିର ୭୫୩୭ଟି ମଞ୍ଜୁର ପଦରୁ ୬୯୩୯ଟି ପଦରେ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି।
ରାଜ୍ୟ ପୁଲିସ ବିଭାଗର ଗୋଟିଏ ପୁଲିସ ମହାନିର୍ଦେଶକ ପଦକୁ ମଞ୍ଜୁରୀ ମିଳିଥିବା ବେଳେ ସମାନ ପଦରେ ତିନି ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ୬ଟି ଆଇଜି ପଦ, ୧୦ଟି ଡିଆଇଜି ପଦ, ୧୪ଟି ଏଆଇଜି ଓ ଏସପି ପଦ, ୧୮ଟି ଅତିରିକ୍ତ ଏସପି ଓ ଡେପୁଟି କମାଣ୍ଡାଣ୍ଟ ପଦ, ୨୫୪ଟି ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ଏବଂ ୧ଶହଟି ଇନ୍ସପେକ୍ଟର ପଦ ରାଜ୍ୟ ପୁଲିସ ବିଭାଗରେ ଖାଲି ରହିଛି। ଏହା ବ୍ୟତୀତ ୧୦୮୦ଟି ସବ୍‍ଇନ୍ସପ୍ଟେର, ୧୪୮୮ଟି ଆସିଷ୍ଟାଣ୍ଟ ସବ୍‍ଇନ୍ସପ୍ଟେର, ୨୮୩ଟି ହେଡ କନେଷ୍ଟବଳ, ୯୪୫ଟି କନେଷ୍ଟବଳ ପଦ ଖାଲି ପଡ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜାନୁଆରୀ ୨୦୨୦ ସୁଦ୍ଧା ଅନୁସୂଚିତ ଜାତି ବର୍ଗର ୯୬୫୨ ଜଣ, ଅନସୂଚିତ ଜନଜାତି ବର୍ଗର ୧୬୨୫୮ ଜଣ ଓ ପଛୁଆ ବର୍ଗର ୧୪୩୨୩ ଜଣ ଓଡ଼ିଶା ପୁଲିସର ଅତିରିକ୍ତ ଏସପି ଅଥବା ଅନ୍ୟାନ୍ୟ ନିମ୍ନ ପୁଲିସ ପଦପଦବୀରେ କାର୍ଯ୍ୟରତ ଥିଲେ।

Comments are closed.