ଆଜି ଠାରୁ +୨ ନାମଲେଖା ପାଇଁ ଆବେଦନ

  ଯୁକ୍ତ ୨ରେ ଶତପ୍ରତିଶତ ପାଠପଢ଼ା ଓ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଯୁକ୍ତ ୨ରେ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ଚଳିତଥର ମାଟ୍ରିକ ପାସ୍ ହାର ବଢିଛି। ତେଣୁ ଭଲ ମହାବିଦ୍ୟାଳୟରେ ଆସନ ମିଳିବ ନା ନାହିଁ, ସେନେଇ ଛାତ୍ରଛାତ୍ରୀଙ୍କୁ ଆଶଙ୍କା ଘାରିଛି। କାରଣ କଟ୍ ଅଫ୍ ମାର୍କ ଏଥର ଅଧିକ ଯାଇପାରେ। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ। ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ। ଏହାବାଦ୍ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ନାମ ଲେଖାଇବେ।

ଅନ୍ୟପକ୍ଷରେ ଚଳିତବର୍ଷ ଠାରୁ ଶତ ପ୍ରତିଶତ ପାଠ୍ୟକ୍ରମ (ସିଲାବସ୍‌)ରେ ଯୁକ୍ତଦୁଇ ପାଠପଢ଼ା ହେବ। ସେହି ପାଠ୍ୟକ୍ରମ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଶତ ପ୍ରତିଶତ ପାଠ୍ୟକ୍ରମ ପୁନଃ ଆରମ୍ଭ କରାଯାଇଛି। ଏନେଇ ସିଏଚଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ବିଜ୍ଞପ୍ତି ଅନୁସାରେ, ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତ ପ୍ରତିଶତ ପାଠ୍ୟକ୍ରମ ପଢ଼ିବେ। ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ। ତେବେ ୨୦୨୨ରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ। ଏଥିସହ ୨୦୨୩ ମସିହା ମାଟ୍ରିକ୍ ପରୀକ୍ଷା ପରେ ଓ ଏହାର ଆଗକୁ ମଧ୍ୟ କୃତକାର୍ଯ୍ୟ ଛାତ୍ରଛାତ୍ରୀ ପୂରା ପାଠ୍ୟକ୍ରମ ଉପରେ ପାଠପଢ଼ି ପରୀକ୍ଷା ଦେବେ। ସୂଚନାଯୋଗ୍ୟ ଯେ, କରୋନା ମହାମାରୀ

ପାଇଁ ଯୁକ୍ତଦୁଇ ପାଠ୍ୟକ୍ରମକୁ ହ୍ରାସ କରାଯାଇଥିଲା। ୭୦ ପ୍ରତିଶତ ପାଠ୍ୟକ୍ରମରେ ପଢା ସହ ପରୀକ୍ଷା ବି ହୋଇଥିଲା। ବର୍ତ୍ତମାନ କରୋନାର କୋପ ହ୍ରାସ ପାଇଥିବାବେଳେ ପୂର୍ବପରି ପାଠପଢ଼ା ଆରମ୍ଭ ହୋଇଛି। ତେଣୁ କରୋନା ପୂର୍ବରୁ ୨୦୧୯-୨୦ରେ ଯେପରି ପିଲାମାନେ ଶତ ପ୍ରତିଶତ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେଇଥିଲେ, ତାହା ଚଳିତବର୍ଷ ଠାରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି।

 

Comments are closed.