ଜଳ ଯୋଗାଣ କର୍ମଚାରୀଙ୍କ ପ୍ରସ୍ତାବିତ ଆନ୍ଦୋଳନ ଆଲୋଚନା ପରେ ସ୍ଥଗିତ

ଭୁବନେଶ୍ୱର: ପ୍ରାଥମିକ ଏବଂ ସହରାଞ୍ଚଳରେ ପାନୀୟ ଜଳଯୋଗାଣକୁ ଘରୋଇ କରଣ କରି ୱାଟ୍‍କୋକୁ ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରିବା, ୨୦ବର୍ଷରୁ ଊର୍ଦ୍ଧ୍ବ କାଳ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ଚାକିରି ମାନ୍ୟତା ନ ଦେବା, କାର୍ଯ୍ୟରତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ନ ଦେବା, ଗ୍ରାମାଞ୍ଚଳର ଏସଇଏମ୍‍ ଓ ଠିକା କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ ନ କରିବା ସର୍ବୋପରି ଆଲୋଚନା ମାଧ୍ୟମରେ କାର୍ଯ୍ୟ ଓ କାର୍ଯ୍ୟସ୍ଥଳିରେ ଉପୁଜୁଥିବା ଅସମାନତାକୁ ଦୂରନ କରିବା ଆଦି ବିଭିନ୍ନ ଦାବିକୁ ନେଇ ରାଜ୍ୟର ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘ ପକ୍ଷରୁ ୧୨ ତାରିଖ ମଧ୍ୟ ରାତ୍ରରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା।

 

ସଂଗଠନର ଏହି ଆନ୍ଦୋଳନକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇ ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ, ପରିଚାଳନା ନିର୍ଦେଶକ ୱାଟକୋ, ଜନସ୍ୱାସ୍ଥ୍ୟ ବିଭାଗ ଉପଦେଷ୍ଟା, ଅନ୍ୟାନ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର କର୍ମକର୍ତ୍ତା ଏହି ସବୁ ଦାବି ଉପରେ ଗତ ୯ ତାରିଖରେ ଆଲୋଚନା କରି ଚଳିତ ବର୍ଷ ଡିସେମ୍ବର ଶେଷ ମଧ୍ୟରେ ସମସ୍ତ ଦାବିକୁ ସମାଧାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସଂଘର ଦାବିଗୁଡ଼ିକ ପ୍ରତି ସରକାର ସମ୍ବେଦନଶିଳ ସହ ବିଚାର କରିଥିବାରୁ ପ୍ରସ୍ତାବିତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏଚଏମଏସର ନେତା ବିଜୟ ଭୂଷଣ ପତିଙ୍କ ସମେତ ସଂଗଠନ ପକ୍ଷରୁ କ୍ଷୀରୋଦ ବେଉରା, ସନ୍ତୋଷ ରଥ, ଶ୍ରୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.