ସୀମା ଉତ୍ତେଜନା : ଏଲ୍‌ଏସିରେ ଭାରତର ଶକ୍ତି ବୃଦ୍ଧି

ଗଠନ ହେବ ୭ ନୂଆ ଆଇଟିବିପି ବାଟାଲିୟନ

ନୂଆଦିଲ୍ଲୀ : ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିଚାଲିଛି । ଏହି କ୍ରମରେ ଚୀନ ସଂଲଗ୍ନ ସୀମା ସୁରକ୍ଷାକୁ ସୁଦୃଢ କରିବା ଲାଗି ସରକାର ଆଉ ୭ଟି ନୂଆ ଆଇଟିବିପି ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବାଟାଲିୟନ ଗଠନ ଦ୍ବାରା ଆଇଟିବିପିରେ ଆଉ ୯୪୦୦ ଯବାନ ସାମିଲ ହେବେ। ଏହି ନୂଆ ଯବାନ ଏଲ୍‌ଏସିର ୪୭ଟି ନୂଆ ପୋଷ୍ଟ ଓ ୧୨ରୁ ଅଧିକ ଷ୍ଟେଜିଂ କ୍ୟାମ୍ପରେ ନିୟୋଜିତ ହେବେ। ୧୯୬୨ ଚୀନ ବିରୋଧୀ ଯୁଦ୍ଧ ପରେ ଏଲଏସିର ସୁରକ୍ଷା ନିମନ୍ତେ ସରକାର ଇଣ୍ଡୋ-ତିବ୍‌ବତ ବର୍ଡର ପୁଲିସ (ଆଇଟିବିପି) ନାମରେ ନୂଆ ସୁରକ୍ଷା ବାହିନୀ ସୃଷ୍ଟି କରିଥିଲେ। ଆଇଟିବିପିରେ ଏବେ ପ୍ରାୟ ୯୦ ହଜାର ସୈନିକ କାର୍ଯ୍ୟ କରୁଛନ୍ତି । ସେମାନେ ଚୀନ ସଂଲଗ୍ନ ୩୪୮୮ କିମି ସୀମାକୁ ସୁରକ୍ଷା ଦେଉଛନ୍ତି। ୨୦୨୦ ଜୁନ୍‌ ପରଠାରୁ ଭାରତ-ଚୀନ ସୀମାରେ ଉତ୍ତେଜନା ଲାଗି ରହିଛି । ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ସୀମାରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ ଗୁରୁତ୍ବ ଦେଇ ଆସୁଛନ୍ତି ।
ବୁଧବାର କ୍ୟାବିନେଟ ବୈଠକରେ ୪ କିମି ଲମ୍ବ ସିକୁନ ଲା ଟନେଲ ନିର୍ମାଣକୁ ଅନୁମତି ଦିଆଯାଇଛି । ଲଦାଖକୁ ଦେଶର ଅନ୍ୟ ଅଞ୍ଚଳ ସହିତ ସବୁଦିନିଆ ଯୋଗାଯୋଗ ନିମନ୍ତେ ଏହି ଟନେଲ (ସୁଡଙ୍ଗ) ନିର୍ମାଣ କରାଯିବ । ଏହି ସୁଡଙ୍ଗ ନିର୍ମାଣ ନିମନ୍ତେ ୧୬୮୧ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୫ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣକାମ ଶେଷ ହେବ। ଏହି ପ୍ରକଳ୍ପ ଭାରତର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ। ଆଜିର କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆଉ ୨ଲକ୍ଷ ପଞ୍ଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ଓ ଡାଏରୀ-ସତ୍ସ୍ୟ ସମବାୟ ଗଠନ କରାଯିବ। ଆଗାମୀ ୫ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିରେ ୨୫ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଡାଏରୀ ଓ ସତ୍ସ୍ୟ ଚାଷକୁ କୃଷି ସମବାୟ ସହିତ ଯୋଡାଯିବ।

Comments are closed.