MEllora 950×100

ଆଠଗଡ଼ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଧାନାଥ ଜୟନ୍ତୀ ପାଳିତ

ବିଶ୍ୱନାଥ ବିଦ୍ୟାପୀଠ

ଆଠଗଡ଼: ଆଠଗଡ଼ର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନସେବକ, ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କର ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ସରିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଯୋଗଦେଇ ଡଃ ରଥ ଆଠଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଏବଂ ତାଙ୍କର ଆଠଗଡ଼ ଅଞ୍ଚଳର ବିକାଶ କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ସମାଜ’କୁ ଏକ କ୍ଷୁଦ୍ରଚାରାରୁ ମହାଦ୍ରୁମରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡଃ ରଥ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ବ୍ରତଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। କାଉନସିଲର ମମତା ଦାସ, ସିପ୍ରା ଦାଶ, ପୂଣ୍ଣିମା ବେହେରା, ପ୍ରଶାନ୍ତ ବେହେରା, ରାକେଶ ଭକ୍ତା ସୁସାନ୍ତ ଜେନା, ଅଶୋକ ବାରିକ ଉମେଶ ସେଠୀ, ଯୁବ ସମାଜସେବୀ ପ୍ରକାଶ ରାଉତ ପ୍ରମୁଖ ଡଃ ରଥଙ୍କ ଜୀବନାଦର୍ଶର ସ୍ମୃତିଚାରଣ କରିବା ସହ ସ୍କୁଲ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ସମେତ ଉତ୍କଳମଣି, ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ କାଶିନାଥ ସାହୁ, ବିଜୟ କୁମାର ସାହୁ, ମାଧବ ଚନ୍ଦ୍ର ନାୟକ, ସୁକାନ୍ତ ମହାପାତ୍ର, ରମେଶ କୁମାର ସ୍ୱାଇଁ, ପ୍ରଣତି ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

ଗୋପବନ୍ଧୁ ବିଜ୍ଞାନ କଲେଜ
ଗୋପବନ୍ଧୁ ବିଜ୍ଞାନ କଲେଜରେ ଶତାୟୁ ସାଧକ, ମହାନ ଜନସେବକ ଏବଂ କଲେଜର ପ୍ରତିଷ୍ଠାତା ଡଃ ରାଧାନାଥ ରଥଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଡଃ ରଥଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପିକା ପ୍ରଭାତି ଦେବୀ, ଅଧ୍ୟାପିକା ଡଃ ସୁରେଖା ଦାସ, ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ, ଅଧ୍ୟାପକ ଦିଲ୍ଲୀପ ପଟ୍ଟନାୟକ, ଅଞ୍ଜନ କୁମାର ନନ୍ଦ, ଲଳିତେନ୍ଦୁ ପଟ୍ଟନାୟକ, ପୂର୍ବତନ ଗ୍ରନ୍ଥାଗାରିକ ସୁବାସ ରାଉତଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଡଃ ରଥଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଏବଂ ତାଙ୍କ ପ୍ରିୟଶିଷ୍ୟ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଓ ଅନ୍ୟମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟକିରାଣୀ ପ୍ରଦୀପ ସେଠୀ, ଗ୍ରନ୍ଥାଗାରିକ ଆଲୋକ ପଟ୍ଟନାୟକ, ବିଜ୍ଞାନଗାର ଡେମୋନଷ୍ଟ୍ରେଟର ସଚ୍ଚିଦାନନ୍ଦ ଜେନା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସାବିତ୍ରୀ ରଥ ବିଦ୍ୟାପୀଠ, ସମସରପୁର
ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ଆଠଗଡ଼ର ବରପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଶତାୟୁ ସାମ୍ବାଦିକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡଃ ରଥଙ୍କର ଘନିଷ୍ଠ ସହଯୋଗୀ ୯୮ବର୍ଷ ବୟସ୍କ ସମାଜସେବୀ କଣ୍ଡୁରୀ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ ଓ ଆତ୍ମାର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଅବତାରଣା କରିଥିଲେ। ଗୋପବନ୍ଧୁଙ୍କ ପ୍ରଦର୍ଶିତ ମାର୍ଗ ଓ ଆଦର୍ଶକୁ ପାଥେୟ କରି ଡଃ ରଥ ସେବାକୁ ବ୍ରତ ଭାବେ ଗ୍ରହଣ କରି ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପୀଡିତ, ଦୀନ, ଦୁଃଖୀରଙ୍କିଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ବ୍ରତଭାବେ ଗ୍ରହଣ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.