ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ଆଠଗଡ଼: ଆଠଗଡ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଗଲେ ଡକାୟତ ଦଳର ୩ ସଦସ୍ୟ। ଏହି ଦଳରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଦୁଇଜଣ ଗୋଟିଏ କାରରେ ଫେରାର ହୋଇ ଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଵୁଡାପଡା ଗ୍ରାମର ଜଗବନ୍ଧୁ ଭୋଇଙ୍କ ପୁଅ ଅନୀଲ କୁମାର ଭୋଇ(୪୫), ବିରିଡ଼ି ଥାନା କନ୍ତୁର ଗ୍ରାମର ଦାମୋଦର ପ୍ରଧାନଙ୍କ ପୁଅ ସ୍ଵାଧୀନ ପ୍ରଧାନ (୨୯) ଏବଂ କଟକ ଜିଲ୍ଲା କନ୍ଦରପୁର ଥାନା କନ୍ଦରପୁର ଗ୍ରାମର ଭରତ କୁମାର ଦାସ (୩୫) । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଗୋଟିଏ ଭୁଜାଲି ଏବଂ ଗୋଟିଏ ଛୁରୀ ଜବତ କରାଯାଇଛି। ଆଠଗଡ଼ ଥାନା କେସ ନଂ ୪୫/୨୩ ଧାରା ୩୯୯, ୪୦୨ ଏବଂ ୨୫ ଅସ୍ତ୍ରଶସ୍ତ୍ର ଆଇନରେ ମୋକଦ୍ଦମା ରୁଜ୍ଜୁ କରି ସେମାନଙ୍କୁ ଶୁକ୍ରବାର ଅଦାଲତ ଚାଲାଣ କରାଯାଇଛି। ଗୁରୁବାର ସନ୍ଧ୍ୟା ବେଳେ ଆଠଗଡ଼ ଥାନା ଅଧିନ ଧାଇପୁର ପଞ୍ଚାୟତର ଛତାବର ଜଙ୍ଗଲରେ ଧରାପଡିଥିବା ଅଭିଯୁକ୍ତ ତିନିଜଣଙ୍କ ସହିତ ତାଙ୍କର ଆଉ ଦୁଇଜଣ ସହଯୋଗୀ ଆଠଗଡ଼ରେ ଥିବା କୌଣସି ଗହଣା ଦୋକାନରୁ ଲୁଟ କରିବା ପାଇଁ ଯୋଜନା କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ପୋଲିସ ସନ୍ଧ୍ୟା ପେଟ୍ରୋଲିଂ କରୁଥିବା ବେଳେ ଥାନାର ଉପନିରୀକ୍ଷକ ବିଶ୍ଵଜିତ ଜେନା ସଦଳବଳେ ସେମାନଙ୍କୁ ମାଡ଼ି ବସିଥିଲେ। ତେବେ ଘଟଣାସ୍ଥଳରୁ ଦୁଇ ଜଣ ଏକ କାରରେ ସେଠାରୁ ଦୃତଗତିରେ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଅନ୍ୟ ଏକ ଆପାଚି ମୋଟର ସାଇକେଲକୁ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ ଭଳି ଏକାଧିକ ମାମଲା ଥିବା ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ଵାଇଁ ସୂଚନା ଦେଇଛନ୍ତି। ତଦନ୍ତକୁ ଆହୁରି ବ୍ୟାପକ କରାଯିବା ସହ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.