ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂଆ-ଓ ଓ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ରେଙ୍ଗାଲି: ରେଙ୍ଗାଲିରେ ଥିବା ଓଡ଼ଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରମଣୀ କାନ୍ତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିନୋଦ ବିହାରୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଝୁରିପଡ଼ା ନିକଟସ୍ଥ ହନୁମାନ ମନ୍ଦିର ରୁ ମଶାଲ ଆଣି କ୍ରୀଡ଼ା ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା। ଉଭୟ ବରିଷ୍ଠ ତଥା କନିଷ୍ଠ ବିଭାଗର ପିଲାମାନଙ୍କ ପାଇଁ ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା। ଏଥିରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ ଓ ସ୍ମିତା ପଧ।ନ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ସଦରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପନ ହୋଇଛି। ବିଦ୍ୟାଳୟର ଅଧକ୍ଷ ସଙ୍ଗୀତ ପାଲକା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତହସିଲଦାର ରଞ୍ଜନ କୁମାର ମାନସେଠ ଯୋଗଦେଇ କ୍ରୀଡ଼ା ଦ୍ୱାରା ଶାରୀରିକ, ମାନସିକ ବୃଦ୍ଧି ହେବା ସାଙ୍ଗକୁ ପାଠ ପଢାରେ ମନ ଲାଗିବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନୀୟ ଅତିଥି ବ୍ଲକ ଶିକ୍ଷାଧିକାରୀ ଆଲୋକ କୁମାର ପଦାନ ମଞ୍ଚାସିନ ଥିଲେ। ବିଦ୍ୟାଳୟର ୪୫୧ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଅଲମ୍ପିକ ଖେଳ ଦୌଡ଼, ଲମ୍ବାଡିଆଁ, ସର୍ଟଫୁଟ, ଡିସ୍କସ, କବାଡି ଭଳି ୧୮ଟି ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।

କଲମପୁର: କଲମପୁର ମିନଷ୍ଟାଡିୟମ ଠାରେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପସ୍ତିତିରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟିତ ହେଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାପରିଷଦ ଜୋନ ୧ର ସଭ୍ୟା ଦୁହିତା ମାଝୀ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପ୍ରଯୋଜିତ ଏହି ନୁଆଓ କ୍ରୀଡା ଉତ୍ସବ ଗ୍ରାମାଂଚଳରେ ଲୁକ୍କାୟିତ ଭାବେ ରହିଯାଇଥିବା ପ୍ରତିଭାଙ୍କ ଅନନ୍ୱେଷଣ ପାଇଁ ପଂଚାୟତସ୍ତରରୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭାଙ୍କ ବିକାଶ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ। ବିଶେଷ କରି ଖୋଖୋ, କବାଡି, ହକି, ଫୁଟବଲ୍‌‌, ଭଲିବଲ ଏବଂ କ୍ରିକଟେ ପ୍ରତି ଆଗ୍ରହ ରଖୁଥିବା ପ୍ରତିଭାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ସୁଯୋଗ ସୃଷ୍ଟି କରିଛି।

ସାକ୍ଷୀଗୋପାଳ: ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ ପରିସରରେ ସମ୍ମନ୍ଵିତ ଯୁବବିକାଶ କାର୍ୟ୍ୟକ୍ରମ ଆନୁକୂଲ୍ୟରେ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଫେସରମାନଙ୍କ ଦ୍ଵାରା ‘ନୂଆ ଓଡ଼ିଶା’ କାର୍ୟ୍ୟକ୍ରମ, ଚଳିତ ଡିସେମ୍ବର ମାସ ୭ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା, କବିତା ଆବୃତ୍ତି, ଓଡ଼ିଆ ତର୍କ, ସଙ୍ଗୀତ ଗାନ, ସାଧାରଣ ଜ୍ଞାନ ପରୀକ୍ଷା, ଏକକ ଅଭିନୟ, ଚିତ୍ରାଙ୍କନ, ନୃତ୍ୟ, ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା ସମୂହରେ ଯେଉଁ ପ୍ରତିଯୋଗିମାନେ ଯୋଗ୍ୟତା ଅର୍ଜନ କରିଛନ୍ତି ; ସେମାନଙ୍କୁ “ନୂଆ ଓଡ଼ିଶା ବିକାଶ” ଶୃଙ୍ଖଳାରେ ଆୟୋଜିତ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।

ରେଙ୍ଗାଲି: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଯୋଜନା ରେ କ୍ରୀଡ଼ା ବିଭାଗ ପକ୍ଷରୁ ଆନ୍ତଃ ଶ୍ରେଣୀୟ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶାନ୍ତ ମାହାଣାଙ୍କ ମାର୍ଗଦର୍ଶନ ତଥା କ୍ରୀଡା ବିଭାଗର ନୋଡାଲ ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଟୁର୍ଣାମେଣ୍ଟରେ ଫାଇନାଲ ମ୍ୟାଚ୍ +୨ ପ୍ରଥମ ବର୍ଷ କଳା ଓ +୨ ଦ୍ୱିତୀୟ ବର୍ଷ କଳା ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ +୨ ଦ୍ୱିତୀୟ ବର୍ଷ ବିଜୟୀ ହୋଇଥିଲା।

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ସୀମାନ୍ତରେ ଥିବା ଗୁଞ୍ଚାମାଲ ସ୍ଥିତ କିଲାସମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଦୁଇ ଦିବସୀୟ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ବାର୍ଷିକ କ୍ରୀଡାକୁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ସେଠ ଉଦ୍ଘାଟନ୍ କରିଥିଲେ। ପ୍ରଥମ ଦିବସ ଓ ଦ୍ଵିତୀୟ ଦିବସରେ ସର୍ବମୋଟ ଦଶଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଛାତ୍ରଛାତ୍ରୀ ମାନେ ବହୁ ଉତ୍ସାହର ସହିତ ଏଥିରେ ଅଂଶ ଗ୍ରହଣ କରିଥିଲେ। ଦଯାପନୀ ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ସହିତ ମେଡାଲ ପ୍ରଦାନ କରାଯାଇଥିଲା।

ଫୁଲବାଣୀ: ଫୁଲବାଣୀ ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) କାର୍ଯ୍ୟକ୍ରମ ଯୁବ ଓଡ଼ିଶା ମାଧ୍ୟମରେ କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌‌ଯାପନୀ ଉତ୍ସବ ଶେଷ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ବିହନ ଲିଗମ ଲିମିଟେଡ୍‌‌ର ଅଧ୍ୟକ୍ଷ ବିଜୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ, ସମ୍ମାନୀତ ଅତଥିଭାବେ ଜିଲ୍ଲା ଯୋଜନା ଆୟୋଗ ସଭ୍ୟ (ସହରାଞ୍ଝଳ) ରାଜେନ୍ଦ୍ର କୁମାର ପାଢ଼ୀ, କସମର ସଂପାଦକ ସଞ୍ଜିତ କୁମାର ପଟ୍ଟନାୟକ, ଦାରିଙ୍ଗବାଡ଼ି ଶିଳ୍ପ ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହିତ ଯୁବଶକ୍ତିର ସଶକ୍ତିକରଣ ତଥା ସେମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିବା ୪୦ଗୋଟି କାର୍ଯ୍ୟକ୍ରମର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।

ନବରଙ୍ଗପୁର: ନୂଆ ’ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାମାଜିକ କାର୍ୟ୍ୟକ୍ରମ ଉପଲକ୍ଷେ ନବରଙ୍ଗପୁର ମହାବିଦ୍ୟାଳୟର ବିନୋଦ ଝା ପ୍ରେକ୍ଷାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ରକ୍ତଦାନ ଶିବିରକୁ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଏହି ରକ୍ତଦାନ ଶିବିରରେ ସହାୟତା କରିଥିଲେ । ମହାବିଦ୍ୟାଳୟକୁ ୫୨ ବର୍ଷ ପୂର୍ତ୍ତି ଅବସରରେ ୫୨ ୟୁନିଟ ରକ୍ତ ସଂଗ୍ରହର ଲକ୍ଷ ରଖାଯାଇଥିବା ବେଳେ ସଫଳତାର ସହିତ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ବୌଦ୍ଧ: ବୌଦ୍ଧର ଅଗ୍ରଣୀ ଇଂରାଜୀ ମାଧ୍ୟମ ଗୌରୀଶଙ୍କର ପବ୍ଲିକ ସ୍କୁଲର ୨୪ ତମ ବାର୍ଷିକ କ୍ରିଡା ଉତ୍ସବ ଜିଲା ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କ୍ରିଡା ମଶାଲ ସ୍ଥାପନ କରିବା ସହିତ ଏହି କ୍ରିଡା ଉତ୍ସବକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସହିତ କ୍ରିଡାର ଆବଶ୍ୟକତା ଉପରେ ଅଧ୍ୟକ୍ଷ ଶ୍ରୀମିଶ୍ର ଆଲୋଚନା କରିବାସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା କ୍ରିଡା ସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତାରେଣି କୁମାର ମହାପାତ୍ର,ସଂପାଦକ ଧୂରୀଣ କୁମାର ଦେହୁରୀ,ବିଦ୍ୟାଳୟର ଅଧ୍ୟକ୍ଷ ରାଜୁ ରାଓ,ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ମହାରଣା ପ୍ରମୁଖ ଯୋଗଦେଇଥିଲେ। ବାର୍ଷିକ କ୍ରିଡାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ରୋଜାଲିନ ରାଜହଂସ, ଶ୍ରୀକାନ୍ତ ବହିଦାର, କୃଷ୍ଣଚନ୍ଦ୍ର ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ପାହାଡ଼ଶ୍ରୀଗିଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଡିସେମ୍ବର ୫ ତାରିଖରୁ ନୂଆଁ-ଓ ଯୋଜନାରେ ଅନୁଷ୍ଠିତ ହେଉଥିବା ନୂଆ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଅଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାହୁଙ୍କ ସଭାପତିତ୍ବରେ ପୁରସ୍କାର ବିତରଣି ସଭା ଅନୁଷ୍ଠିତ ହୋଇଥଲା। ଏହି ଉତ୍ସବରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନି ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦିଗ ଦର୍ଶନ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ରାମନାଗୁଡା ଷ୍ଟେଟ ବ୍ୟାଙ୍କ ଶାଖାପରିଚାଳକ ଅବିନାଶ ମହାପାତ୍ର ,ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ, ବିଦ୍ୟାଳୟ ଅଧ୍ୟକ୍ଷ ସୋଲଭେଷ୍ଟାର ସୋରେଙ୍ଗ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିବା ସହ ବିଦ୍ୟାଳୟ ଅଧ୍ୟକ୍ଷ ସୋଲଭେଷ୍ଟାର ସୋରେଙ୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ସମ୍ବିତ ପ୍ରାଣୀଗ୍ରାହୀ,ଶ୍ରେଷ୍ଠ ଦଳ ଭାବେ ବ୍ରାହ୍ମଣୀ ଦଳ ସହ କାର୍ୟ୍ୟକ୍ରମରେ ବିଭିନ୍ନ କାର୍ୟ୍ୟ ଉଲ୍ଲେଖନୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତେଜରାଜ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

Comments are closed.