ମହିଳା କନିଷ୍ଠ କଲେଜରେ ସଚେତନତା କାର୍ଯ୍ୟକ୍ରମ

ଆଠଗଡ଼: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାର ଅଂଶ ବିଶେଷ ଭାବେ ମଙ୍ଗଳବାର ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଓ ଯୌତୁକ ବିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୋଡାଲ ଅଧିକାରୀ ଅଧ୍ୟାପିକା ସ୍ମିତା ମହାପାତ୍ର ଓ ପ୍ରାଧ୍ୟାପିକା ପ୍ରମୋଦିନି ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜର ଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରି ଲକ୍ଷ୍ମୀବଜାରଠାରେ ପହଞ୍ଚି ଥିଲେ। ସେଠାରେ ଛାତ୍ରୀମାନେ ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଓ ଯୌତୁକ ବିରୋଧରେ ସଚେତନଧର୍ମୀ କ୍ଷୁଦ୍ର ନାଟକ ଓ ନୃତ୍ୟଗୀତ ପରିବେଷଣ କରିଥିଲେ।

ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ସମ୍ମାନିତ ଅତିଥି ଭାବେ ସମାଜସେବୀ ରଞ୍ଜିତା ଭକ୍ତା ଓ ବରିଷ୍ଠ ଅଙ୍ଗନବାଡି ସୁପର ଭାଇଜର ମଞ୍ଜୁବାଳା ମହାନ୍ତି ସଚେତନତା ଦ୍ୱାରା ଏହି ସବୁ କୁସଂସ୍କାର ଓ ପ୍ରଥା କମିପାରିବ ବୋଲି ମତପ୍ରକାଶ କରିଥିଲେ। ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିବାବେଳେ କର୍ମଚାରୀ ଜିତେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.