ଭୁତକୋଠି ପାଲଟିଛି ସରକାରୀ ଛାତ୍ରୀନିବାସ

ସନ୍ଧ୍ୟା ହେଲେ ଜମୁଛି ଜୁଆଡିଙ୍କ ଆଡ୍ଡା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଂଚାୟତ ତିଲିକପୁର ଠାରେ ଦୀର୍ଘ ୧୨ବର୍ଷ ତଳେ ନିର୍ମାଣ ସରିଥିବା ଛାତ୍ରୀ ନିବାସଟି କାର୍ଯ୍ୟକ୍ଷମ ହୋଇନପାରି ଭୁତକୋଠି ପାଲଟିଥିବା ଅଭିଯୋଗ ହୋଇଛି। ବାଣୀଭୁଷଣପୁର ପଂଚାୟତର ହରିଜନ ଓ ଆଦିବାସୀ ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ତିଲିକପୁର ଠାରେ ୨୦୦୮-୦୯ ଆର୍ଥିକ ବର୍ଷରେ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା । ୩୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ କୋଠାଘର ନିର୍ମାଣ କାର୍ଯ୍ୟ ସହିତ ୭ ଲକ୍ଷ ୪୪ହଜାର ଟଙ୍କା ଅନୁଦାନରେ ଏହାର ପାଚେରି କାମ ବ୍ଲକ ପକ୍ଷରୁ ନିର୍ମାଣ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ପୁର୍ବରୁ ନିର୍ମାଣ ସରିଥିବା ଏହି ଛାତ୍ରୀ ନିବାସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନପାରି ହଷ୍ଟେଲ ଗୃହଟି ଭୁତକୋଠିରେ ପରିଣତ ହେବାକୁ ବସିଛି ।ଅବଶ୍ୟକୀୟ ରକ୍ଷଣାବେକ୍ଷଣା ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଛାତ୍ରୀନିବାସଟି ସନ୍ଧ୍ୟାହେଲେ ଅସମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଫଳରେ ଅଂଚଳରେ ଗରିବ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାଙ୍କ ବିକାଶ ଲକ୍ଷ୍ୟରେ ତିଆରି ହୋଇଥିବା ଛାତ୍ରୀ ନିବାସଟି ମୁଲ୍ୟହୀନ ହୋଇପଡିଥିବା ସହିତ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପାଣିରେ ପଡିଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀ ନିବାସରେ ଅନୁସୂଚିତ ଜନଜାତି ଛାତ୍ରୀ ଶତକଡା ୯୦ ପ୍ରତିଶତ ରହିବା ନିୟମ ଥିବା ବେଳେ ଅନୁସୂଚିତ ଜାତି ଛାତ୍ରୀ ୧୦ ପ୍ରତିଶତ ରହିବା ନିୟମ ରହିଛି। କିନ୍ତୁ ବ୍ଲକରେ ଅନୁସୂଚିତ ଜାତି ଛାତ୍ରୀ ସଂଖ୍ୟା ଅଧିକ ରହିଛନ୍ତି ।ଏହି ଦୃଷ୍ଟିକୋଣରୁ ଅନେକ ଛାତ୍ରୀନିବାସ ଚାଲିପାରୁନାହିଁ । ସରକାରଙ୍କ ପକ୍ଷରୁ ଛାତ୍ରୀ ନିବାସରେ ଅନୁସୂଚିତ ଜାତି ଛାତ୍ରୀଙ୍କ ସିଟ୍ ସଂଖ୍ୟା ବଢାଇବାକୁ ସାଧାରଣରେ ଦାବି ହେଉଛି ।

Comments are closed.