MEllora 950×100

ଓଡ଼ିଶା ଆକାଶରେ ‘ସି/୨୦୨୨ ଇ-୩’ ଧୂମକେତୁ

ଭୁବନେଶ୍ବର: ଓଡ଼ିଶା ଆକାଶରେ ‘ସି/୨୦୨୨ଇ-୩’ ନାମକ ଧୂମକେତୁ ଦେଖା ଦେଇଛି। ଚଳିତ ମାସ ୨୨ ଓ ୨୩ ତାରିଖରେ ରାଜ୍ୟର କେତେକ ସ୍ଥାନରେ ରାତି ଆକାଶରେ ଏହି ଧୂମକେତୁ ବାଇନାକୁଲାରରେ ପଠାଣି ସାମନ୍ତ ପ୍ଲାନେଟାରିୟମ ବୈଜ୍ଞାନିକ ଦେଖିଛନ୍ତି। ଉତ୍ତର-ପୂର୍ବ ଦିଗବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ପୁଣି ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧ ଓ ୨ରେ ଖାଲି ଆଖିରେ ଦେଖାଦେଇପାରେ। ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି। ୫୦ ହଜାର ବର୍ଷ ପରେ ଏହି ଧୂମକେତୁଟି ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇଥିବାରୁ ଏହା ଦୃଶ୍ୟମାନ ହେଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେତେବେଳେ ଗୋଟିଏ ଧୂମକେତୁ ଆବଷ୍କାର ହୋଇଥାଏ ପ୍ରଥମେ ତାକୁ ଏ, ବି ଏବଂ ସି ବର୍ଗୀକରଣ କରାଯାଇଥାଏ। ସେହି ଦୃଷ୍ଟିରୁ ଏହି ଧୂମକେତୁକୁ ପ୍ରଥମେ ସି ବର୍ଗ ଦିଆଯାଇଛି। ଯେହେତୁ ଏହା ୨୦୨୨ ମସିହାରେ ଆବିଷ୍କୃତ ହୋଇଥିଲା, ସେଥିପାଇଁ ସି-୨୦୨୨ ରଖାଯାଇଛି। ଇ୩ ହେଉଛି ଗୋଟିଏ ନମ୍ୱର। ‘ଇ୩’ର ଅର୍ଥ ହେଉଛି ସେହି ମାସ କେତୋଟି ଧୂମକେତୁ ଆବିଷ୍କୃତ ହୋଇଛନ୍ତି। ତା’ ଛଡ଼ା ଯେଉଁ ବୈଜ୍ଞାନିକ ବା ଅନୁଷ୍ଠାନ ଆବିଷ୍କାର କରିଥାଆନ୍ତି, ତା’ର ନାଁ ମଧ୍ୟ ଯୋଡ଼ି ଦିଆଯାଇଥାଏ। ଜାନୁଆରୀ ଶେଷ ଓ ଫେବ୍ରୁଆରୀ ୧ ବା ୨ ତାରିଖ ବେଳକୁ ଏହି ଧୂମକେତୁ ଖାଲି ଆଖିରେ ଦେଖାଯିବ। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଦୂରବେକ୍ଷଣ ଯନ୍ତ୍ର ବା ବଡ଼ ବାଇନାକୁଲାର ସାହାଯ୍ୟରେ ଦେଖି ହେଉଛି। ଉତ୍ତର-ପୂର୍ବ ଆକାଶ, ଯେଉଁଠି ଆକାଶ ପୂରା ଆଲୋକମୁକ୍ତ ରହିଛି ସେହି ସବୁ ଅଞ୍ଚଳକୁ ଅନାଇଲେ ଦେଖାଯିବ। ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ସ୍ପଷ୍ଟ ଭାବେ ଦେଖାଯିବାର ସମ୍ଭାବନା ରହିଛି। ଯେତେବେଳେ ତାର ମ୍ୟାଗ୍ନିଚ୍ୟୁଟ୍‌ ୬ ପାଖାପାଖି ରହିବ। ଯଦି ଖାଲି ଆଖିରେ ଦେଖାଯିବ ତା’ହେଲେ ୪ରୁ ୫ ଘଣ୍ଟା ଧରି ଦେଖାଦେବ। ୩୦ ତାରିଖ ସନ୍ଧ୍ୟା ୭.୩୦ମିନିଟ ସମୟରେ ଉତ୍ତର-ପୂର୍ବ ଦିଗବଳୟରେ ପ୍ରାୟ ୨୦ ଡିଗ୍ରୀ ଉପରେ ଧ୍ରୁବତାରା ପାଖରେ ରହିବ। ପ୍ରତିବର୍ଷ ୨୦ରୁ ୨୫ଟି ଧୂମକେତୁ ପୃଥିବୀର ନିକଟତର ହୋଇଥାଆନ୍ତି। ସେମାନେ ଯେତେବେଳେ ସୂର୍ଯ୍ୟର ନିକଟର ହୁଅନ୍ତି, ସେତେବେଳେ ତାଙ୍କର ଗୋଟିଏ ବଡ଼ ଲାଞ୍ଜ ସୃଷ୍ଟି ହୋଇଥାଏ। ଆଉ ଧୂମକେତୁ ଗୁଡ଼ିକ ଆକାର ଛୋଟ ହୋଇଥିବାରୁ ସବୁବେଳେ ଖାଲି ଆକାଶରେ ଦେଖା ଦିଅନ୍ତି ନାହିଁ। ୨୦୦୫ ମସିହାରେ ହାଲ୍‌ବପ୍‌ ନାମକ ଗୋଟିଏ ଧୂମକେତୁକୁ ଖାଲି ଆଖିରେ ଦେଖାଦେଇଥିଲା। ୨୦୨୦ ମସିହାରେ ନ୍ୟୁଆଇଜ୍‌ ନାମକ ଏକ ଧୂମକେତୁ ଦେଖାଦେଇଥିଲା। ଏବେ ଦେଖାଦେଉଥିବା ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ। ତା’ର ଅର୍ଥ ଏହି ଧୂମକେତୁ ୫୦ ହଜାର ବର୍ଷରେ ଥରେ ଦେଖାଦେଇଥାଏ ବୋଲି ସେ କହିଛନ୍ତି।

Comments are closed.