ତିରୋଧାନ ଦିବସରେ ଜନ୍ମମାଟିରେ ବାବୁଜୀଙ୍କୁ ଶ୍ରଦ୍ଧାସୁମନ

ବିଶ୍ୱନାଥ ବିଦ୍ୟାପୀଠ
ଆଠଗଡ଼: ଆଠଗଡ଼ସ୍ଥିତ ବିଶ୍ୱନାଥ ବିଦ୍ୟାପୀଠରେ ମହାନ ଜନସେବକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ସାମ୍ବାଦିକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ତିରୋଧାନ ଦିବସରେ ଶନିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରଧାନଶିକ୍ଷକ ଅମର କୁମାର ମହାରଣା ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମହାରଣା ଓ ଶିକ୍ଷୟିତ୍ରୀ ସରିତା ମିଶ୍ର ପ୍ରମୁଖ ଡଃ ରଥଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ସେବାମୂଳକ କାର୍ୟ୍ୟର ଅବତାରଣା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଗୋପବନ୍ଧୁ ମହିଳା କଲେଜ
ଗୋପବନ୍ଧୁ ମହିଳା କଲେଜରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶତାୟୁ ସାମ୍ବାଦିକ ତଥା ଜନସେବକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୫ତମ ତିରୋଧାନ ଦିବସ ଅବସରରେ ଶନିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କନିଷ୍ଠ ମହିଳା କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର, ଡିଗ୍ରୀ ମହିଳା କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର, ବରିଷ୍ଠ ଅଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ, ଡଃ ରୀନା ପଟ୍ଟନାୟକ, ପ୍ରମୋଦିନି ଜେନା, ସ୍ମିତା ମହାପାତ୍ର, ବବିତା ସାହୁୁ, ପୁଷ୍ପମଞ୍ଜରୀ ଦାସ ପ୍ରମୁଖ ଉଦ୍‌‌ବୋଧନ ଦେଇ ଡଃ ରଥଙ୍କ ତ୍ୟାଗ ଓ ସେବା ମନୋଭାବର ତୁଳନା ନାହିଁ ବୋଲି ପ୍ରକାଶ କରିଥିଲେ। ଆଠଗଡ଼ର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେମାନେ ମତପ୍ରକାଶ କରିବା ସହ କଲେଜ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିିକା ଓ କର୍ମଚାରୀ ସହଯୋଗ କରିଥିବାବେଳେ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଗୋପବନ୍ଧୁ ବିଜ୍ଞାନ କଲେଜ
ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରତିଷ୍ଠାତା ତଥା ଶତାୟୁ ସାଧକ ଓ ମହାନ ଜନସେବକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ତିରୋଧାନ ଦିବସରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଲେଜ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏବଂ ଅନ୍ୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। କଲେଜର ଅଧ୍ୟକ୍ଷ ଡଃ ସାହୁ ରାଧାନାଥ ରଥଙ୍କର ଜୀବନାଦର୍ଶ ସଂପର୍କରେ ଆଲୋକପାତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ବରିଷ୍ଠ ଅଧ୍ୟାପକ ଦେବେଶ ନନ୍ଦନ ରଥ, ପ୍ରଣବ କୁମାର ଦାସ, ପ୍ରାଧ୍ୟାପିକା ପ୍ରଭାତି ଦେବୀ, ମଳୟ ମଞ୍ଜରୀ ଦାସ, ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ, ଲିପସା ଲୋପାମୁଦ୍ରା ଆଚାର୍ୟ୍ୟ, ସସ୍ମିତା ଖାଲକୋ, ବିଷ୍ଣୁପ୍ରିୟା ପଣ୍ଡା, ସସ୍ମିତା ହୋତା, ମୁଖ୍ୟକିରାଣୀ ପ୍ରଦୀପ ସେଠୀ, ସତ୍ୟବ୍ରତ ମହାପାତ୍ର, ଡେମୋନଷ୍ଟ୍ରେଟର ବିନୟ ଶତପଥୀଙ୍କ ସମେତ ଅନ୍ୟମାନେ ଡଃ ରଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗ୍ରନ୍ଥାଗାରିକ ଆଲୋକ କୁମାର ପଟ୍ଟନାୟକ କାର୍ୟ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସାବିତ୍ରୀ ରଥ ବିଦ୍ୟାପୀଠ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହାନ ଦେଶସେବକ, ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କର ମହାପ୍ରୟାଣ ଦିବସ ଅବସରରେ ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରଧାନଶିକ୍ଷକ ସୂର୍ୟ୍ୟମଣି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ଗଣ୍ଠିଆ ଓ ସଭ୍ୟ ମନୋରଞ୍ଜନ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡଃ ରଥଙ୍କର ତ୍ୟାଗପୁତ ଜୀବନାଦର୍ଶ ଆଜିର ଯୁବଛାତ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରମୋଦ କୁମାର ସାହୁ, ସୁବ୍ରତ କୁମାର ତ୍ରିପାଠୀ, ଶିକ୍ଷୟିତ୍ରୀ ବିନୋଦିନି ଦେଇ, ସୁକନ୍ୟା ମଙ୍ଗୁଆଳ, ଜ୍ୟୋତିପ୍ରଭା ଭଞ୍ଜ, ମିତା ରାଉତ ଓ ସୁଚିତ୍ରା ରାଉତ ପ୍ରମୁଖ ଡଃ ରାଧାନାଥ ରଥଙ୍କ ଜୀବନୀ ବିଶେଷ କରି ତାଙ୍କର ସେବା ମନୋଭାବ ସଂପର୍କରେ ଅବତାରଣା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଡଃ ରଥଙ୍କ ପ୍ରତିମୂର୍ତ୍ତି ସମେତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ସାବିତ୍ରୀ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ କର୍ମଚାରୀ ନିରଞ୍ଜନ ସ୍ୱାଇଁ କାର୍ୟ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.