ଖାନନଗର-ଲିଙ୍କ୍‌ରୋଡ଼ ହେବ ୬ ଟିକିଆ

ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମୋହର

‘ଏସ୍‌ଇବିସି’କୁ ଯିବେ ୨୨ ସମ୍ପ୍ରଦାୟ,  ନିର୍ମାଣ ହେବ ଆଉ ୮୬୬ ବିଜୁ ସେତୁ, ଇ-ଯାନ ରିଆତି ବୃଦ୍ଧି, ୨୦୨୬ ସୁଦ୍ଧା ନିରନ୍ତର ବିଦ୍ୟୁତ୍‌ ସେବା

ଭୁବନେଶ୍ୱର : ରାଜ୍ୟରେ ଗମନାଗମନ ଓ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବା, ପଛୁଆବର୍ଗ (ଏସ୍‌ଇବିସି) ତାଲିକାରେ ୨୨ ସମ୍ପ୍ରଦାୟଙ୍କୁ ଯୋଡ଼ିବା ଏବଂ ବୈଦ୍ୟୁତିକ ଯାନର ବହୁଳ ବ୍ୟବହାର ଲାଗି ରିଆତି ବୃଦ୍ଧି କରିବା ଭଳି ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ସୋମବାର ମୋହର ମାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ କଟକ ଖାନନଗରଠାରୁ ଲିଙ୍କ୍‌ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୬ଥାକିଆ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ବିଜୁ ସେତୁ ଯୋଜନାରେ ଆଉ ୮୬୬ଟି ପୋଲ ନିର୍ମାଣ କରାଯିବ।
ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କଟକ ସହରର ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି କଟକ ରିଂ ରୋଡ଼ର ୧୯/୬୦୦ କିମିରୁ ୨୧/୭୦୦ କିମି ତଥା ଖାନନଗରଠାରୁ ଲିଙ୍କ୍‌ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୬ଥାକିଆ କରାଯିବ। ଏହି ରାସ୍ତା ଆର୍‌କେଡି କନ୍‌ଷ୍ଟ୍ରକସନ୍ ପ୍ରା. ଲି. ୧୨୧.୬୫କୋଟି ଟଙ୍କା ବିନିଯୋଗରେ ଆସନ୍ତା ୨ବର୍ଷ ମଧ୍ୟରେ ନିର୍ମାଣ କରିବ। ସେହିପରି ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଲାଗି ‘ଆର୍‌ଡିଏସ୍‌ଏସ୍‌’ ଯୋଜନାରେ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୬୨୮୪କୋଟି ଟଙ୍କାର ଆକଳନ କରାଯାଇଛି। ଏଥିମଧ୍ୟରୁ ରାଜ୍ୟ ସରକାରଙ୍କ ଅଂଶଧନ ୨୩୪୨କୋଟି ଟଙ୍କା ରହିଛି। ଏହି ଯୋଜନା ମାଧ୍ୟମରେ ୪୨୮କୋଟି ଟଙ୍କାର ସ୍ମାର୍ଟ ମିଟର, ୪୨୪୮କୋଟି ଟଙ୍କାର ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯିବା ଲାଗି ୧୫୦୯ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୬ ମସିହା ସୁଦ୍ଧା ଏହି ଯୋଜନା ଶେଷ କରାଯାଇ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବୈଦ୍ୟୁତିକ ଯାନ ପଞ୍ଜୀକରଣ କରାଯିବ। ବୈଦ୍ୟୁତିକ ଯାନ ନୀତି-୨୦୨୧ରେ ଯାନ କ୍ରୟ ଓ ଉପଭୋକ୍ତାଙ୍କ ପାଇଁ ଯେଉଁ ସୁବିଧା ରହିଛି ତାହାକୁ ବୃଦ୍ଧି କରାଯିବ। ବୈଠକରେ କେନ୍ଦ୍ର ତାଲିକାଭୁକ୍ତ ଥିବା ଅନ୍ୟାନ୍ୟ ପଛୁଆବର୍ଗ(ଓବିସି) ଜାତିଗୁଡିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ(ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ-୧୯୯୩ର ସଂଶୋଧନ ସଂକ୍ରାନ୍ତ ଅଧ୍ୟାଦେଶ ଅଣାଯାଇଛି। ରାଜ୍ୟରେ ୨୨ଟି ଜାତି/ସମ୍ପ୍ରଦାୟ ଭାରତ ସରକାରଙ୍କ ପଛୁଆବର୍ଗ ତାଲିକାରେ ରହିଥିଲେ ହେଁ ସଂପୃକ୍ତ ଜାତି/ସମ୍ପଦାୟ ଏବଂ ଏହାର ସମାନ ଅର୍ଥକ ଜାତିଗୁଡିକ ଅଦ୍ୟାବଧି ଏସ୍‌ଇବିସି ତାଲିକାରେ ଯୋଡ଼ି ହୋଇ ନାହାନ୍ତି। ଏହି ଜାତିଗୁଡିକର ଶିକ୍ଷାଗତ ଓ ସାମଗ୍ରିକ ବିକାଶ ଲାଗି ‘ଏସ୍‌ଇବିସି’ ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟ ଲାଗି ଅନ୍ୟାନ୍ୟ ପଛୁଆବର୍ଗ ତାଲିକାଭୁକ୍ତ ଥିବା ଜାତିଗୁଡିକୁ ଏସ୍‌ଇବିସି ତାଲିକାରେ ଯୋଡିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଅଣାଯାଇଛି।
ଭବିଷ୍ୟନିଧି ପାଣ୍ଠିରୁ ସହଜରେ ଅଗ୍ରିମ ଉଠାଣ ଓ ଅନ୍ତିମ ଜମାରାଶି ପାଇବା ଲାଗି ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏଣିକି ଉଭୟ ପୁରୁଷ ଓ ମହିଳା ଗ୍ରାହକମାନଙ୍କ ପାଇଁ ପରିବାର ସଂଜ୍ଞାରେ ଅନ୍ୟ ସଦସ୍ୟଙ୍କୁ ଗ୍ରହଣ କରାଯିବ। ଯଦି ଗ୍ରାହକ ସେବା ନିବୃତ୍ତ ହେବା ପରେ ଚୂଡାନ୍ତ ଉଠାଣ ଲାଗି ଆବେଦନ ନ କରିବେ, ତେବେ ଉଠାଣ ଓ ବିତରଣ ଅଧିକାରୀ କିମ୍ବା କାର୍ଯ୍ୟାଳୟ ମୁଖ୍ୟ ଅବସର
ତାରିଖଠାରୁ ୩ମାସ ମଧ୍ୟରେ ଆବେଦନ କରିବେ। ଅବସରର ୬ମାସ ପର୍ଯ୍ୟନ୍ତ ସୁଧ ପ୍ରାପ୍ତିକୁ ଅନୁମତି ମିଳିବ। ଗ୍ରାହକଙ୍କ ମୃତ୍ୟୁ କିମ୍ବା ସ୍ବେଚ୍ଛାକୃତ ଅବସର ତଥା ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ଶେଷ କାର୍ଯ୍ୟଦିବସର ୩ମାସ ମଧ୍ୟରେ ପ୍ରଦାନ କରାଯିବ।
ରାଜ୍ୟରେ ଥିବା ଅସଂଯୋଜିତ ସ୍ଥାନଗୁଡିକୁ ସେତୁ ସହ ଯୋଡିବା ପାଇଁ ରାଜ୍ୟ ସରକାର ୨୦୧୧-୧୨ରେ ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ। ୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକବର୍ଷ ମଧ୍ୟରେ ୫୧୮୨କୋଟି ଟଙ୍କା ବିନିଯୋଗରେ ୯୪୬ଟି ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା। ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଯାତାୟାତର ସୁବିଧାକୁ ଦୃଷ୍ଟିରେ ରଖି ଏହି ମିଆଦ ୨୦୨୫-୨୬କୁ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ଅତିରିକ୍ତ ୩୫୯୭.୨୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅତିରିକ୍ତ ୮୬୬ଟି ସେତୁ ନିର୍ମାଣ କରାଯିବାକୁ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି।
ଭାରତୀୟ ଜାତୀୟ ହକି ଦଳଗୁଡ଼ିକର ପ୍ରାୟୋଜକତା ଚୁକ୍ତିକୁ ୧୦ବର୍ଷ ପାଇଁ ବୃଦ୍ଧି ନିଷ୍ପତ୍ତିକୁ କ୍ୟାବିନେଟ ମଞ୍ଜୁର ଦେଇଛି। ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ହକି ଏକ ଲୋକପ୍ରିୟ କ୍ରୀଡ଼ା ହୋଇଥିବାରୁ ଏହି ନିଷ୍ପତ୍ତି ଯୋଗୁଁ ଯୁବବର୍ଗ ଅଧିକ ପ୍ରୋତ୍ସାହିତ ହେବେ। ଏହାବ୍ୟତୀତ ଓଡ଼ିଶାକୁ ହକିର ବିଶ୍ବସ୍ତରୀୟ କେନ୍ଦ୍ର ଭାବେ ସୁଦୃଢ଼ କରାଯିବ, ଯାହାଦ୍ବାରା ରାଜ୍ୟରେ କ୍ରୀଡ଼ା ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଯୋଗଦାନ ମିଳିବ। ଓଡ଼ିଶା ଖଣି ନିଗମ ଅନୁମୋଦନକ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ହକି ଇଣ୍ଡିଆର ଚୁକ୍ତିନାମା ରହିଥିଲା। ହକି ଇଣ୍ଡିଆଙ୍କ ଅନୁରୋଧକ୍ରମେ ଖଣି ନିଗମଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ୨୦୩୩ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଏହି ଚୁକ୍ତିନାମା ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟ ଖଣି ନିଗମ ପକ୍ଷରୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରାଯିବାକୁ ପ୍ରସ୍ତାବ ରହିଛି।
ରାଜସ୍ବ ବିଭାଗରୁ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର ହୋଇଥିବା ଲଘୁଖଣିଜ ପଦାର୍ଥର ଇ-ନିଲାମି, ଟ୍ରାଞ୍ଜିଟ ପାସ୍, ଖଣି ଚୋରି ରୋକିବା, ଖଣିଜ ପରିବହନ ଇତ୍ୟାଦିକୁ ସୁବ୍ୟବସ୍ଥିତ କରିବା ଲାଗି ଓଡ଼ିଶା ଲଘୁ ଖଣିଜ ପଦାର୍ଥ ନିୟମ-୨୦୧୬ ସଂଶୋଧନ କରାଯାଇଛି। ଏହାସହିତ ନିର୍ଦିଷ୍ଟ ଲଘୁ ଖଣିଜ ଉତ୍ସଗୁଡିକର ନିଲାମ ପ୍ରକ୍ରିୟାକୁ ସଫଳ ରୂପାୟନ ପରେ ଅଧିକ ସ୍ବଚ୍ଛତା ଆଣିବାପାଇଁ ଓଡ଼ିଶା ନିର୍ଦିଷ୍ଟ ଲଘୁ ଖଣିଜ ନିଲାମ ନିୟମ-୨୦୧୯କୁ ମଧ୍ୟ ସଂଶୋଧନ କରାଯାଇଛି। ଏଥିସହିତ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଅଣୁ,କ୍ଷୁଦ୍ର ଉଦ୍ୟୋଗ ସହିତ ରେଟ୍‌ କଣ୍ଟ୍ରାକ୍ଟ ନିୟମ-୨୦୧୪ର ସଂଶୋଧନ, ଗ୍ରାମ୍ୟ ନିର୍ମାଣ ସଂସ୍ଥାରେ କାର୍ଯ୍ୟରତ ଜିଲାସ୍ତରୀୟ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ନିୟମାବଳୀ-୧୯୫୬ରେ ସଂଶୋଧନ, ଓଡ଼ିଶା ଅବକାରୀ ଅମଲା ସେବା ନିୟମ-୨୦୨୩ର ପ୍ରଚଳନ ଏବଂ ଓଡ଼ିଶା ବନସେବା କ୍ୟାଡର ପୁନଃ ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଶ୍ରୀ ଜେନା କହିଛନ୍ତି।

Comments are closed.