୨ ବନପାଳ ଓ ୩ ବନରକ୍ଷୀ ନିଲମ୍ବିତ, ରେଞ୍ଜରଙ୍କ ନିଲମ୍ବନକୁ ଅପେକ୍ଷା

ଆଠଗଡ଼: ବଡମ୍ବା ବନାଞ୍ଚଳରେ ହାତୀ ଶିକାର ଘଟଣାରେ ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କର ବନବିଭାଗ ହେଫାଜତରେ ମାଡମରା ଘଟଣାରେ ମୃତ୍ୟୁ ହେବା ମାମଲାରେ ଗିରଫ ହୋଇଥିବା ୨ଜଣ ବନପାଳ ଓ ୩ଜଣ ବନରକ୍ଷୀଙ୍କୁ ଆଠଗଡ଼ ଡିଏଫଓ ନିଲମ୍ବନ କରିଥିବାବେଳେ ଅନ୍ୟତମ ଗିରଫ ଅଭିଯୁକ୍ତ ବଡମ୍ବା ରେଞ୍ଜରଙ୍କ ନିଲମ୍ବନ ଆଦେଶକୁ ଅପେକ୍ଷା କରାଯାଇଛି। ଗିରଫ ବନପାଳ ମନୋଜ ଦାସ ଓ ଦୀପକ ସେଠୀ ଏବଂ ବନରକ୍ଷୀ କୁନା ବେହେରା, ପ୍ରଭାତ ପ୍ରଧାନ ଓ ସୁନାୟକ ମାଝିଙ୍କୁ ଗତ ୮ତାରିଖରେ ପୁଲିସ ଗିରଫ କରିଥିବା ଓ ସେମାନେ ୪୮ଘଣ୍ଟାରୁ ଅଧିକ ଜେଲ ହାଜତରେ ରହିଥିବାରୁ ନିୟମାନୁଯାୟୀ ସେହି ୮ତାରିଖଠାରୁ ସେମାନଙ୍କୁ ଡିଏଫଓ ତାଙ୍କ ଅଫିସ ଆଦେଶ ନଂ ୪୫ ଠାରୁ ୪୯ ନମ୍ବର ପର୍ୟ୍ୟନ୍ତ ଚିଠି ଆଧାରରେ ନିଲମ୍ବିତ କରିଥିବା ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ସୁତ୍ରରୁ ପ୍ରକାଶ। ସେହିପରି ଗିରଫ ଅନ୍ୟତନ ମୁଖ୍ୟ ଅଭିଯୁକ୍ତ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରାଙ୍କୁ ନିୟମାନୁଯାୟୀ ଗିରଫ ହେବା ଦିନଠାରୁ ନିଲମ୍ବନ କରିବା ଲାଗି ରାଜ୍ୟ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କୁ ଡିଏଫଓ ଡାକ୍ତର ପତି ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହି ଘଟଣାରେ ଆଠଗଡ଼ ଓ ତିଗିରିଆ ପୁଲିସ ମୋଟ ୧୪ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ମିଳିଥିବା ପ୍ରମାଣ ଆଧାରରେ ଉପରୋକ୍ତ ୬ଜଣଙ୍କୁ ଗିରଫ କରିଥିବାବେଳେ ୨ଜଣ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକଙ୍କ ସମେତ ମୋଟ ୮ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୁଲିସ ଛାଡି ଦେଇଥିବା ଜଣାପଡ଼ିଛି। ତେବେ ତଦନ୍ତ ଚାଲିଛି ଏବଂ ଛାଡିଦିଆଯାଇଥିବା ବନ କର୍ମଚାରୀଙ୍କ ମଧ୍ୟରୁ ଯଦି କାହାର ସେଥିରେ ସଂପୃକ୍ତିି ପ୍ରମାଣ ମିଳେ ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ତଦନ୍ତକାରି ଅଧିକାରୀ ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।

Comments are closed.